କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ ଦିଲ୍ଲୀରେ, ଏହି ସବୁ ନେତାମାନଙ୍କ ନାମ କରାଯାଇଛି ସୁପାରିସ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶାର ସମ୍ଭାବିତ ପ୍ରାର୍ଥୀ ତାଲିକା ଏଆଇସିସିକୁ ପଠାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ଅନୁମୋଦନ ଉପରେ ଏହି ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ତାଲିକାରେ ଓଡ଼ିଶାର ଜଣାଶୁଣା ନେତା ସାମିଲ ଅଛନ୍ତି। କିଛି ଆସନ ପାଇଁ ଏକାଧିକା ନେତାଙ୍କ ନାମ ସୁପାରିଶ କରାଯାଇଛି। ସେହିପରି ସମ୍ଭାବିତ ତାଲିକାରେ ୭୦ ପ୍ରତିଶତ ଯୁବ ଗୋଷ୍ଠୀକୁ ସ୍ଥାନ ମିଳିଥିବା ବେଳ ବାକି ୩୦ ପ୍ରତିଶତ ଆସନରେ ବରିଷ୍ଠ ନେତାଙ୍କୁ ସ୍ଥାନ ମିଳିଛି। ଆଗାମୀ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ତାଲିକାକୁ ସମୀକ୍ଷା କରିବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି।

ସିଇସି କମିଟିକୁ ପଠାଇଯାଇଥିବା ପ୍ରାର୍ଥୀଙ୍କ ତାଲିକା ସାମ୍ନାକୁ ଆସିବା ପରେ କଂଗ୍ରେସ ଟିକେଟ ଘୋଷଣାକୁ କେବଳ ଅପେକ୍ଷା କରାଯାଇଛି । ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏବେ ସାମ୍ନାକୁ ଆସିଛି । ବିଧାନସଭା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପାଇଁ ଦୁଇଟି ଆସନ ରଖିଛନ୍ତି । କେଉଁଝରର ଘସିପୁରା ଓ ଭଦ୍ରକର ଭଣ୍ଡାରିପୋଖରୀ ଆସନ ପାଇଁ ନିରଞ୍ଜନଙ୍କ ନାଁ ସୁପାରିଶ କରାଯାଇଛି । ତେବେ ବିରୋଧୀଙ୍କ ରଣନୀତି ଅନୁଯାୟୀ ନିର୍ବାଚନ ସମୟରେ ନିରଞ୍ଜନ ନିଷ୍ପତି ନେବେ ବୋଲି ସୂଚନା ମିଳିଛି ।

ସେହିଭଳି ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ ଓ ସ୍ନେହାଶ୍ରୀ ହରିଚନ୍ଦନଙ୍କ ନାଁ ସୁପାରିଶ କରାଯାଇଛି । ଅନ୍ୟପଟେ ପୁରୀ ଲୋକସଭା ଆସନ ପାଇଁ ବିଶ୍ୱରଞ୍ଜନ ମହାନ୍ତି ଓ ସତ୍ୟପ୍ରକାଶ ନାୟକଙ୍କ ନାଁ ସୁପାରିଶ କରାଯାଇଛି । ଏସବୁ ଭିତରେ ସବୁଠୁ ବଡ କଥା ହେଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ନିର୍ବାଚନକୁ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ବେଗୁନିଆ ଆସନରୁ ପୃଥ୍ୱୀ ବଲ୍ଲଭଙ୍କ ବାଦ୍ ଅନ୍ୟ କୌଣସି ପ୍ରାର୍ଥୀଙ୍କ ନାଁ ନଥିବା ବେଳେ ସେ ହିଁ କଂଗ୍ରେସ ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇବା ଏକପ୍ରକାର ସ୍ପଷ୍ଟ ହୋଇଛି ।

ସେହିଭଳି ଜଟଣୀ ଆସନରୁ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ସହ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାଁ ସୁପାରିଶ କରାଯାଇଛି । ଅନ୍ୟପଟେ ବଲାଙ୍ଗୀର ଆସନରୁ ପୁଣିଥରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନାଁ ସୁପାରିଶ କରାଯାଇଛି । ସେହିଭଳି ବଲାଙ୍ଗୀର ଲୋକସଭା ଆସନ ପାଇଁ ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ସହ ଲକ୍ଷ୍ମଣ କୁମାର ମେହେରଙ୍କ ନାଁ ସୁପାରିଶ କରାଯାଇଛି । କଳାହାଣ୍ଡି ଲୋକସଭା ଆସନ ପାଇଁ ଭକ୍ତ ଦାସ ଓ ଜଗନ୍ନାଥ ପଟ୍ଟନାୟକଙ୍କ ନାଁ ସୁପାରିଶ କରାଯାଇଥିବା ବେଳେ କିଏ ଟିକେଟ ପାଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ । କେନ୍ଦ୍ରପଡା ଲୋକସଭା ଆସନ ପାଇଁ ପୂର୍ବତନ ପ୍ରାର୍ଥୀ ଧରଣୀଧର ନାୟକଙ୍କ ସହ ଚିନ୍ମୟ ବେଉରାଙ୍କ ନାଁ ସିଇସି କମିଟିକୁ ପଠାଯାଇଛି । ସେହିଭଳି ଚର୍ଚ୍ଚାରେ ରହତ ଆସିଥିବା ସାଲେପୁର ଆସନ ପାଇଁ ପ୍ରକାଶ ଚନ୍ଦ୍ର ବେହେରା ଓ ଗୁରୁପଦ ନନ୍ଦଙ୍କ ନାଁ ସୁପାରିଶ କରାଯାଇଛି । ତେଣୁ ସାଲେପୁର ବିଧାୟକ ପ୍ରକାଶ ପୁଣିଥରେ କଂଗ୍ରେସ ଟିକେଟରୁ ଲଢିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

 

ରାଜନଗର ଆସନ ପାଇଁ ଅଂଶୁମାନ ମହାନ୍ତି ଓ ମିଟୁ ଦାସ, କେନ୍ଦ୍ରାପଡା ଆସନ ପାଇଁ ଗଣେଶ୍ୱର ବେହେରା ଓ ହଳଧର ସେଠୀଙ୍କ ନାଁ ସିଇସି କମିଟିକୁ ସୁପାରିଶ କରାଯାଇଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ତାଙ୍କ ପୁଅ ସଂଗ୍ରାମ ଜେନାଙ୍କ ନାଁ ଆନନ୍ଦପୁର ଆସନ ପାଇଁ ସୁପାରିଶ କରାଯାଇଥିବା ବେଳେ ସୁନ୍ଦରଗଡ ଆସନ ପାଇଁ ସୁମିତା ବିଶ୍ୱାଳ ଓ ଜଙ୍କିଆ ମୁଣ୍ଡାଙ୍କ ନାଁ ସିଇସିି କମିଟିକୁ ପଠାଯାଇଛି । ବାଲେଶ୍ୱର ଲୋକସଭା ଆସନ ପାଇଁ ନବଜ୍ୟୋତି ପଟ୍ଟନାୟକଙ୍କ ସହ ସୁର୍ଦଶନ ଦାସଙ୍କ ନାଁ ସିଇସି କମିଟିକୁ ସୁପାରିଶ କରାଯାଇଛି । ସେହିଭଳି ଜୟପୁର ଆସନ ପାଇଁ ତାରା ବାହିନୀପତିଙ୍କ ନାଁ ସୁପାରିଶ କରାଯାଇଛି । ତେବେ ଆଗାମୀ ୧୧ ତାରିଖରେ ସିଇସି କମିଟି ବୈଠକ ବସିବା ପରେ ସ୍କ୍ରିନିଂ କମିଟି ଓ ଏଆଇସିସି ରିପୋର୍ଟ ଆଧାରରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ୧୫ କିମ୍ବା ୧୬ ତାରିଖରେ ପ୍ରକାଶ ପାଇବ ।

ସମ୍ବନ୍ଧିତ ଖବର