ତିନି ରାଜ୍ୟରେ ବିଜେପିର ନିର୍ବାଚନୀ ବିଫଳତା: ମୋଦିଙ୍କ ‘କଂଗ୍ରେସ ମୁକ୍ତ ଭାରତ’ ରଣନୀତିକୁ ରାହୁଲ ଲଗାଇଲେ ରୋକ୍

ଭୁବନେଶ୍ବର: ପାଞ୍ଚ ରାଜ୍ୟ ନିର୍ବାଚନରେ କଂଗ୍ରେସର ସଫଳତା ଏକଥା ସ୍ପଷ୍ଟ କରିଛି ଯେ ଲୋକେ ବିଜେପି ପ୍ରତି ଅାଗ୍ରହ ହରାଇଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଶାସକ ବିଜେପି କ୍ଷମତାରୁ ହଟିବା ପରିସ୍ଥିତି ଦେଖା ଦେଇଛି। ଏହି ଘଟଣା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭାରତ ‘ବିଜେପି ମୁକ୍ତ’ ହେବାକୁ ଯାଉଛି ବୋଲି ମତ ରଖିଛନ୍ତି । ଏବର ରାଜନୈତିକ ପରିସ୍ଥିତିକୁ ସମୀକ୍ଷା କଲେ ମନେହୁଏ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଂଗ୍ରେସ ମୁକ୍ତ ଭାରତ ଯୋଜନାକୁ ରୋକ ଲାଗିଛି। ଅାଉ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏହି .ରୋକ ଲଗାଇବାରେ ସଫଳ .ହୋଇଛନ୍ତି।

ଜଣାପଡ଼ୁଛି, ଦେଶରେ ଧୀରେ ଧୀରେ ବିଜେପି ପତିଆରା ହରାଇବା ପାଇଁ ବସୁଛି । ମୋଦିଙ୍କ ଲୋକପ୍ରିୟତା ସତ୍ୱେ ବିଧାନସଭା ନିର୍ବାଚନରେ ବିଜେପି ସତ୍ତାରୂଢ଼ ରାଜ୍ୟଗୁଡ଼ିକ ଯାଇଛି କଂଗ୍ରେସ ହାତକୁ । ବିଗତ ସାଢ଼େ ୪ ବର୍ଷ ଧରି ଶାସନରେ ଥିବା ବିଜେପି, କଂଗ୍ରେସ ମୁକ୍ତ ଭାରତ ଗଠନ ପାଇଁ ନାରା ଦେଇଆସୁଥିଲା । ହେଲେ ୫ ରାଜ୍ୟ ନିର୍ବାଚନରେ ବାଜି ଓଲଟା ପଡ଼ିଯାଇଛି । ମୋଦିଙ୍କୁ ଶକ୍ତ ଝଟକା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବିଜେପି ହାତ ଖାଲି ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ରାଜସ୍ଥାନରେ ପଟ୍ଟ ପରବର୍ତନ ହୋଇଛି । ସେଠାରେ ସରକାର ବିରୋଧୀ ହାୱାର ଫାଇଦା ନେଇ ପୁଣିଥରେ କ୍ଷମତାକୁ ଫେରିବ କଂଗ୍ରେସ । ସେପଟେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବି କଂଗ୍ରେସ କ୍ଷମତାରେ ବସିବାକୁ ଯାଉଛି  ।  ଛତିଶଗଡ ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିବା ରମଣ ସିଂ ଆଶା ଧୂଳିସାତ ହୋଇଛି । ଏଠାରେ ସରକାର ଗଢିବା ପାଇଁ ଯାଉଛି କଂଗ୍ରେସ । କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବା  ନିଶ୍ଚିତ ହୋଇଛି । ସେପଟେ ତେଲେଙ୍ଗାନା ଓ ମିଜୋରାମରେ ଜାତୀୟ ଦଳକୁ ପଛରେ ପକାଇଲେ ଆଞ୍ଚଳିକ ଦଳ । ଟିଆରଏସ୍ ଓ ଏମ୍ଏନ୍ଏଫ୍ ସରକାର ଗଢ଼ିବା ନିଶ୍ଚିତ ହୋଇଛି । ଏଠାରେ ବି ବିଜେପିର ଗ୍ରହଣୀୟତା ଦେଖିବାକୁ ମିଳିନାହିଁ।

ଏଣୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟଯାତ୍ରାରେ ଏକପ୍ରକାର ରୋକ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ।

 

ସମ୍ବନ୍ଧିତ ଖବର