ରାହୁଳ ଗାନ୍ଧୀଙ୍କ ଅଭିଯୋଗ: ମଧ୍ୟପ୍ରଦେଶ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରୁଛି ବିଜେପି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କଂଗ୍ରେସ ସରକାରରେ ବିଜେପି ଅସ୍ଥିରତା ସୃଷ୍ଟି କରୁଛି ବୋଲି ବୁଧବାର ଦିନ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ପ୍ରକାଶ କରି ରାହୁଳ ଗାନ୍ଧୀ କହିଛନ୍ତି ଯେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଅର୍ଥନୀତି ଉପରେ ଧ୍ୟାନ ଦିଅନ୍ତୁ। ଗତ କିଛି ଦିନ ହେବ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ୩୫% ହ୍ରାସ ପାଇଥିବାରୁ ଦେଶରେ ତୈଳ ଦର କମ୍‌ କରନ୍ତୁ।

ଟୁଇଟ୍‌ କରି ସେ ଲେଖିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ଏକ ନିର୍ବାଚିତ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବାରେ ବ୍ୟସ୍ତ ରହିଛନ୍ତି। ତେଣୁ ବିଶ୍ୱ ବଜାରରେ ତୈଳ ଦର ୩୫% ହ୍ରାସ ପାଇଥିବା କଥା ଜାଣି ପାରି ନ ଥାଇ ପାରନ୍ତି। ପେଟ୍ରୋଲ ଦର କମ୍‌ କରି ଭାରତୀୟମାନଙ୍କୁ ଉପକୃତ କରାନ୍ତୁ। ଏହା ଅର୍ଥନୀତି ଅଭିବୃଦ୍ଧି କରିବାରେ ସହାୟକ ହେବ।

Image Source: Zee News

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଆଜି ଅପରାହ୍ଣରେ ସିନ୍ଧିଆ ବିଜେପିରେ ଯୋଗ ଦେଇ ପାରନ୍ତି। ଏଥିପାଇଁ କଂଗ୍ରେସ ବିଜେପିକୁ ତୀବ୍ର ସମାଲୋଚନା କରୁଛି। ଆସାମର କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ ଅର୍ଥନୀତି ବିଷୟରେ ବିଜେପିର ଆଗ୍ରହ ନାହିଁ। ଅର୍ଥନୀତି ଦୁଃସ୍ଥିତିରେ ଥିବା ବେଳେ ବିଜେପି ଏକ ସ୍ଥିର ସରକାରକୁ ଭାଙ୍ଗିବାକୁ ପ୍ରାଥମିକତା ଦେଉଛି। କର୍ଣ୍ଣାଟକରେ ବିଜେପି କ’ଣ କରିଛି ଆମେ ଦେଖିଛୁ। ଯଦି ମଧ୍ୟପ୍ରଦେଶରେ ଲୋକେ ବିଜେପିକୁ ଚାହିଁ ଥାଆନ୍ତେ ତେବେ ସେମାନେ ତାଙ୍କୁ ଭୋଟ୍‌ ଦେଇଥାଆନ୍ତେ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ସିନ୍ଧିଆ ଲେଖିଛନ୍ତି ଯେ ରାଜ୍ୟ ଓ ଦେଶବାସୀଙ୍କ ସେବା କରିବା ମୋର ପ୍ରାରମ୍ଭିକ ଆଭିମୁଖ୍ୟ। ଏ ଦଳରେ ଥାଇ ମୁଁ ତାହା କରିପାରିବି ନାହିଁ ବୋଲି ଜାଣିପାରୁଛି।

ସମ୍ବନ୍ଧିତ ଖବର