ବିଜେପିକୁ ବାହାର କରିବା ପାଇଁ ଏକତ୍ର ହେବେ ଅନ୍ୟ ସବୁ ପାର୍ଟି: ଏନ୍‌ସିପି

ନୂଆଦିଲ୍ଲୀ: ବିଗତ ୨-୩ ମାସ ମଧ୍ୟରେ ଦେଶର ରାଜନୈତିକ ପଟ୍ଟଚିତ୍ରରେ ପରିବର୍ତ୍ତନ ଆସିଥିବା ପରିଲକ୍ଷିତ ହୋଇଛି। ଭାରତୀୟ ଜନତା ପାର୍ଟି ବିରୋଧରେ ଅନ୍ୟ ଜାତୀୟ ଓ ଆଞ୍ଚଳିକ ଦଳ ଗୁଡ଼ିକ ବିଭିନ୍ନ ପ୍ରକାରର ଅଭିଯୋଗ ଆଣୁଛନ୍ତି ବୋଲି ଜାତୀୟବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ମାଜିଦ୍‌ ମେନନ ଗୁରୁବାର କହିଛନ୍ତି। ବିଜେପିକୁ ବାହାର କରିବା ପାଇଁ ଅନ୍ୟ ଦଳ ଗୁଡ଼ିକ ଉଦ୍ୟମ କରୁଛନ୍ତି। ଏଥି ପାଇଁ ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛିି। ସେ କହିଛନ୍ତି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିକଟରେ ନିଜ ନିବସରେ ନୈଶ୍ୟଭୋଜୀର ଆୟୋଜନ କରିଥିଲେ। ଏଥିରେ ସେ ୨୦ଟି ଦଳର ନେତାଙ୍କୁ ନିମନ୍ତ୍ରଣ କରିଥିଲେ। ନୈଶ୍ୟଭୋଜୀ ସ୍ଥଳରେ ଏନ୍‌ଡିଏ ବିରୋଧରେ ଚର୍ଚ୍ଚା ହୋଇଥିଲା।

ମାଜିଦ୍‌ କହିଛନ୍ତି, ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଣ୍ଟରୁ ସ୍ପଷ୍ଟ ହେଉଛି ଯେ, ଉତ୍ତରପ୍ରଦେଶର ଲୋକମାନେ ସଚେତନ ହୋଇଛନ୍ତି ଓ ସେମାନେ ବିଜେପି ସରକାର ହଟାଇବାକୁ ଚାହୁଁଛନ୍ତି। ସମସ୍ତ ରାଜନୈତିକ ଦଳର ନେତାମାନେ ହୃଦୟଙ୍ଗମ କରିଛନ୍ତି ନିଜ ନିଜ ଭିତରେ ବୁଝାମଣା ଠିକ୍‌ଠାକ୍‌ ରଖିବା ଦରକାର। ଏନ୍‌ସିପି କହିଛି, ବିଏସ୍‌ପି ଓ ସମାଜବାଦୀ ପାର୍ଟି ଏକାଠି ହୋଇ ପାରନ୍ତି। ସେହିଭଳି ସିପିଆଇ-ଏମ୍‌ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇପାରେ।

ଏନ୍‌ସିପି ନେତା କହିଛନ୍ତି, ବିଜେପିକୁ ହଟାଇବା ପାଇଁ ବର୍ତ୍ତମାନ ସମସ୍ତ ପାର୍ଟି ଏକାଠି ହୋଇଛନ୍ତି। ଶରଦ ପାଓ୍ଵାର ମଧ୍ୟ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇ ନାହିଁ ଯେ କିଏ ହେବେ ନେତା? ପ୍ରଥମେ ନିର୍ବାଚନ ବିଜୟ ପରେ ଏ ସମ୍ପର୍କରେ ସ୍ପଷ୍ଟ ହେବ। ମେନନ କହିଛନ୍ତି ସୋନିଆ ଓ ଶରଦ ପାଓ୍ଵାର ଏକାଠି ହୋଇ ବିଶାଳ ମହାମେଣ୍ଟ ଛିଡ଼ା କରିବେ।

ରାହୁଲ ଗାନ୍ଧି ବୁଧବାର ବିଳମ୍ବିତ ରାତ୍ରିରେ ଜାତୀୟବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ଭେଟିଛନ୍ତି। ପାଓ୍ଵାରଙ୍କ ନିବାସରେ ରାହୁଲ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ରାହୁଲ ଆଗାମୀ ମାର୍ଚ୍ଚ ୨୮ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଲ୍ଲୀରେ ଭେଟିବେ।

ସମ୍ବନ୍ଧିତ ଖବର