ରାଜସ୍ଥାନ ନାଟକର ‘ଅପାରଗ’ରୁ ‘ଆପଣାର’ ଯାଏ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୨ ଜଣ ଦଳୀୟ ବିଧାୟକଙ୍କୁ ଧରି ବିଜେପିକୁ ଲମ୍ଫ ମାରିବା ସହ ମଧ୍ୟପ୍ରଦେଶର କମଳନାଥ ସରକାରଙ୍କୁ ଭାଙ୍ଗିଦେବାର ଠିକ୍‌ ୫ ମାସ ପରେ କଂଗ୍ରେସକୁ ରାଜସ୍ଥାନ ବିଧାନସଭାରେ ଅନୁରୂପ ଅବସ୍ଥା ସାମନା କରିବାର ଆଶଙ୍କା ରହିଥିଲା। ତେବେ ନିଜ ସମର୍ଥକ ବିଧାୟକଙ୍କ ସହ ବିଦ୍ରୋହୀ ନେତା ସଚିନ ପାଇଲଟଙ୍କ ଘରବାହୁଡ଼ା ଏବଂ ୬ ଜଣ ବିଏସ୍‌ପି ବିଧାୟକଙ୍କୁ ଆସ୍ଥା ଭୋଟରେ ଭାଗନେବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି କଂଗ୍ରେସକୁ ଆଶ୍ବସ୍ତ କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଶିବିରର ସ୍ବାର୍ଥକୁ ଅକ୍ଷୁଣ୍ଣ ରଖି ବିଦ୍ରୋହୀ ସଚିନ୍‌ଙ୍କୁ କିପରି ସନ୍ତୁଷ୍ଟ କରାଗଲା, ସେ ସମ୍ପର୍କରେ ଦଳୀୟ ମହଲ କିଛି ବି କହିବାକୁ ପସନ୍ଦ କରୁନଥିବା ବେଳେ ଦଳ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରୁ ବିପଦ ଟଳିଯା‌ଇଛି।

ରାଜସ୍ଥାନ ସରକାରକୁ ଭାଙ୍ଗିବା ଲାଗି ବିଜେପି କୋଟି କୋଟି ଟଙ୍କାର କାରବାର ଚଳାଇଛି ବୋଲି ଗତ ମାସ ୧୧ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଯେତେବେଳେ ଅଭିଯୋଗ ଆଣିଲେ, ସେବେଠାରୁ ଆଜି ଯାଏ ରାଜସ୍ଥାନ ରାଜନୀତିରେ ଅନେକ କିଛି ଦେଖିବାକୁ ମିଳିଛି। ଏପରିକି ତାଙ୍କୁ ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଲଢ଼େଇର ସାମନା କରିବା ସହ ସେ ଅଧିକ ଦୃଢ଼ ହୋଇ ଉଭା ହୋଇଥିବା ପ୍ରମାଣିତ କରିଛନ୍ତି। ତେବେ ସାରା ରାଜ୍ୟବାସୀଙ୍କୁ ଦେଖିବାକୁ ପଡ଼ିଥିବା ଏହି ନାଟକରେ କିଛି ରୋଚକ ସଂଳାପ ହିଁ ବିଭିନ୍ନ ଦୃଶ୍ୟର ମହତ୍ତ୍ବକୁ ବଢ଼ାଇଦେଇଥିଲା। ବିଜେପି ବିରୋଧରେ ଘୋଡ଼ାବେପାର ଅଭିଯୋଗ ଆଣିବା ଦିନ ଶ୍ରୀ ଗେହଲଟ୍‌ କହିଥିଲେ, “ମୁଖ୍ୟମନ୍ତ୍ରୀ ହେବାକୁ କିଏ ବା ଚାହେନାହିଁ? ଆମ ପଟରେ ତ ୫ରୁ ୭ ଜଣ ସେହି ପଦବି ପାଇଁ ଯୋଗ୍ୟ ବିବେଚିତ ମନେ ହେଉଛନ୍ତି। ତେବେ କେବଳ ତ ଜଣେ ସେହି ଆସନରେ ବସିବ ନା!” ବିଦ୍ରୋହୀ ନେତା ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ତାଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଥିବା ପରିପ୍ରେକ୍ଷୀରେ ଶ୍ରୀ ଗେହଲଟ୍‌ଙ୍କ ଏହି ଟିପ୍ପଣୀ ରାଜନୀତି ବିଶାରଦଙ୍କୁ ବେଶ୍‌ ଆମୋଦିତ କରିଥିଲା। ସେହିପରି ଜୁଲାଇ ୧୪ରେ ସଚିନ ଏବଂ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ନିଜ ପଦପଦବିରୁ ବହିଷ୍କାର କରାଯିବା ପରେ ସଚିନ କହିଥିଲେ, “ସତ୍ୟକୁ ହଇରାଣ କରାଯାଇପାରେ, ମାତ୍ର ପରାଜୟ କରିହୁଏ ନାହିଁ।” ସଚିନଙ୍କର ଏହି ବକ୍ତବ୍ୟ ତାଙ୍କ ଅଭିଳାଷର ବିହଙ୍ଗାବଲୋକନ କରିବା ସହ ତାଙ୍କ ଦୃଢ଼ ଭବିଷ୍ୟତ କାର୍ଯ୍ୟଧାରା ଆଡ଼କୁ ମଧ୍ୟ ଇଙ୍ଗିତ କରିଥିଲା।

ଅପରପକ୍ଷେ, ଦଳୀୟ ବିଦ୍ରୋହ ଜନିତ ନିଜର ଦୋଦୁଲ୍ୟମାନ ସ୍ଥିତି ଯୋଗୁଁ ଭିତରେ ଆଶଙ୍କିତ ଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଶ୍ରୀ ଗେହଲଟ୍‌ ସଚିନ୍‌ଙ୍କୁ ହେୟ ମନେ କରି ଜୁଲାଇ ୨୦ରେ ଗଣମାଧ୍ୟମରେ କହିଥିଲେ, “ସେ ଜଣେ ଅପାରଗ, ଅଦରକାରୀ ଏବଂ କିଛି କରୁନାହାନ୍ତି ବୋଲି ମୁଁ ଜାଣିଛି। ସେ କେବଳ ଦଳ ଭିତରେ ଅନ୍ତଃକନ୍ଦଳକୁ ପ୍ରୋତ୍ସାହିତ କରୁଛନ୍ତି।” ତେବେ ନାଟକର ବିଭିନ୍ନ ମୋଡ଼ ପରେ ସୋମବାର ସଚିନ୍‌ ଯେତେବେଳେ ରାହୁଲ ଗାନ୍ଧିଙ୍କୁ ଭେଟିଲେ ସେତିକିରେ ହିଁ ରାଜସ୍ଥାନ ରାଜନୀତି ନାଟକର ଯବନିକା ପଡ଼ିଥିଲା। ଆଉ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଆଦରିନେବା ଅବସରରେ ଉଚ୍ଚାରଣ କରିଥିବା ଶେଷ ସଂଳାପ “ପରିସ୍ଥିତି ଯାହା ହେଉ ନା କାହିଁକି, ଆପଣାର ଲୋକମାନେ ସବୁବେଳେ ଆପଣାର ହୋଇ ରହିଥିବେ” ଦ୍ବାରା ସେ ଅତୀତର ଯାବତୀୟ ଅଦେଖା ଘାଆରେ ମଲମ ମାରିବାକୁ ଚେଷ୍ଟା କରିଛନ୍ତି। ତେବେ ସଚିନ୍‌ଙ୍କ ପରି ଉଦୀୟମାନ ନେତାଙ୍କର ମୁଖ୍ୟମନ୍ତ୍ରୀ ହେବାର ଗୋପନ ଅଭିଳାଷ ଏହାଦ୍ବାରା ଉଭେଇଗଲା ନା ଆବଶ୍ୟକ ଭିତ୍ତିଭୂମି ଅପେକ୍ଷାରେ ସେ ବାଧ୍ୟ ପ୍ରଜାଟିଏ ଭଳି ପରିସ୍ଥିତିକୁ ସମ୍ମାନ ଜଣାଇଛନ୍ତି ତାହା ସମୟ ହିଁ କହିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର