ଜୀବନଠୁଁ ମୃତ୍ୟୁ ମୂଲ୍ୟବାନ
ନାରାୟଣ, ନାରାୟଣ। ସ୍ୱର୍ଗତ ସୁବଳ ସାହୁ ବିଜେପୁରର ବିଧାୟକ ଥିଲେ। ବିରୋଧୀ କଂଗ୍ରେସ ଦଳରେ ଥିଲେ ବୋଲି ତାଙ୍କର ନ୍ୟାୟୋଚିତ ଦାବିକୁ ସୁଦ୍ଧା ସରକାର ଅଣଦେଖା କରିଯାଉଥିଲେ ବୋଲି ତାଙ୍କର ସମର୍ଥକମାନେ କହନ୍ତି। ଅଥଚ ଆଜି ସେ ଚାଲିଗଲା ପରେ ଖାସ୍ ତାଙ୍କରି ଆସନଟି ଦଖଲ ପାଇଁ ନବୀନ ସରକାର ମାଗିବା ଆଗରୁ ସବୁ ଅଜାଡ଼ି ଦେଉଛନ୍ତି। ଆମ ଜାଣିବାରେ, ନିକଟ ଅତୀତରେ କୌଣସି ଗୋଟିଏ ଉପନିର୍ବାଚନକୁ ଆଖିଆଗରେ ରଖି ରାଜ୍ୟ ସରକାର ଏଭଳି ଯୋଜନା ଓ ସୁବିଧା କଥା ଘୋଷଣା କରିନାହାନ୍ତି, ଯେମିତି ବିଜେପୁର କ୍ଷେତ୍ରରେ ହୋଇଛି। ସୁବଳ ସାହୁଙ୍କ ଜୀବନ ଯାହା ସଫଳ କରିପାରି ନ ଥିଲା ତାଙ୍କର ମରଣ ସେସବୁକୁ ଅଚିରେ ସମ୍ଭବ କରିଦେଲା। ପ୍ରଥମତଃ, ତାଙ୍କ ପତ୍ନୀ ଓ ପରିବାରକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଡାକିନେଇ ନିଜ ଦଳରେ ସ୍ଥାନ ଦେଲେ ଓ ତାଙ୍କୁ ଟିକେଟ୍ ଦେବା କଥା ଘୋଷଣା କଲେ। ଏପ୍ରକାର ରାଜନୈତିକ ଉପହାର ସହ ପ୍ରଚୁର ଆର୍ଥିକ ଉପହାର କଥା ମଧ୍ୟ ଶୁଣିବାକୁ ମିଳୁଛି। ସୁବଳଙ୍କ ପରିବାର ଭିନ୍ନ ଏବେ ସେ ଅଞ୍ଚଳର ଉନ୍ନତି କଥା କହିବା। ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଥମ ଭୂତଳ ପାଇପ ଜଳସେଚନ ଯୋଜନାର ଘୋଷଣା କରିଛନ୍ତି। ଏହି ଗଙ୍ଗାଧର ମେହେର ଯୋଜନାର ଅଟକଳ ୧୨୫୦ କୋଟି ଟଙ୍କା। ଏହାଛଡ଼ା ବିଜେପୁରରେ ୨ଟି ସେତୁ ଓ ବିଜୁଳି ବିଭାଗର ୧୧ କେଭି ସବ୍ଷ୍ଟେସନ୍ ନିର୍ମାଣ ହେବ। ବରପାଲିର ରେଳବାଇ ପୋଲ ପାଇଁ ୩୧ କୋଟି, ଆଗଲପୁର-ବିଜେପୁର ରାସ୍ତା ପାଇଁ ୯ କୋଟି, ବରପାଲି ମୁଖ୍ୟ କେନାଲ ରାସ୍ତା କାମଲାଗି ୫ କୋଟି, ବିଜେପୁର-ଦାମୋଦର ପୋଖରୀର ପୁନରୁଦ୍ଧାର ପାଇଁ ୩ କୋଟି ଟଙ୍କା ସହ ବିଜେପୁରର ତିନିଟି ବ୍ଲକ୍ର ଉନ୍ନୟନ କାମ ପାଇଁ ୧୫.୩୬ କୋଟି ଟଙ୍କାର ଆଗତୁରା ବ୍ୟବସ୍ଥା ମଧ୍ୟ କରାଯାଇଅଛି। ଏହା ସାଙ୍ଗକୁ ବିଜେପୁରକୁ ଏକ ଏନ୍ଏସି ଭାବରେ ମଧ୍ୟ ଘୋଷଣା କରାଯାଇଛି।
ଚାନ୍ଦବାଲିର ଚାନ୍ଦ ମଳିନ
ବାବୁ ବ୍ୟୋମକେଶ ରାୟ ଚାନ୍ଦବାଲିର ବିଧାୟକ। ବାବୁ ରାଜଧାନୀରେ ବେଶି ବ୍ୟସ୍ତ ରହୁଥିବାରୁ ସେପଟେ ତାଙ୍କ ଏରିଆରେ ସଂଗଠନ ଭାଗ ଭାଗ ହେବାକୁ ବସିଲାଣି। ଏବେଠାରୁ ହୁସିଆର ନ ହେଲେ କେବଳ ନବୀନ ନାମ ତାଙ୍କ ଭାବମୂର୍ତ୍ତି ଚାନ୍ଦକୁ ଉଜ୍ଜ୍ୱଳ କରିପାରିବ ନାହିଁ। ଭଦ୍ରକରୁ ନେଇ ଚାନ୍ଦବାଲି ପର୍ଯ୍ୟନ୍ତ ଏହି ଅଞ୍ଚଳରେ କାଳୀପୂଜା ବିଖ୍ୟାତ। ତିହିଡ଼ି, ପୀରହାଟ, ମତୋ, ଘଣ୍ଟେଶ୍ୱର ସବୁଠି କାଳୀମେଢ଼ ଓ ଯାତ୍ରା ହୁଏ। ସେଇ ଅବସରରେ ନେତାଏ ବ୍ୟାନର ଲଗେଇ ତହିଁରେ ହାତଯୋଡ଼ା ଫଟୋ ଛାପି ଶୁଭେଚ୍ଛା ଜଣାଇବା ବାହାନାରେ ନିଜ ନିଜର ପ୍ରଚାର କରାନ୍ତି। ଚାନ୍ଦବାଲି ବ୍ଲକ୍ର ବିଜେଡି ସଭାପତି ବାବୁ ପ୍ରତାପ ଧଳ ଏଠିକାର ଜଣାଶୁଣା ନେତା। ତାଙ୍କ ବୋହୂ ଆଗରୁ ଚାନ୍ଦବାଲି ବ୍ଲକ୍ର ଚେୟାରମ୍ୟାନ୍ ଥିଲେ। ବାବୁ ପ୍ରତାପ ଏଥର କାଳୀପୂଜା ସମୟରେ କିଛି ବ୍ୟାନର ଲଗେଇଥିଲେ। ତହିଁରେ ସେ ସାଂସଦ ଅର୍ଜୁନ ସେଠୀ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ରଖିଥିବାବେଳେ ସ୍ଥାନୀୟ ବିଧାୟକ ବାବୁ ବ୍ୟୋମକେଶଙ୍କର ଫଟୋ ରଖି ନ ଥିଲେ। ଏ ଖବର ଯେତେବେଳେ ବାପିଙ୍କ ପାଖେ ପହଞ୍ଚିଲା ସେତେବେଳେ ସେ ଅତ୍ୟନ୍ତ କ୍ଷୁବ୍ଧ ହୋଇଯାଇଥିଲେ। ତାହାପରେ ସେ ତାଙ୍କର ଯୁବକର୍ମୀମାନଙ୍କୁ କି ପରାମର୍ଶ ଦେଲେ କେଜାଣି ପରଦିନ ଦେଖିଲାବେଳକୁ ପ୍ରତାପଙ୍କ ସବୁ ବ୍ୟାନର, ବାତ୍ୟାପୀଡ଼ିତ କଦଳୀଗଛର ପତ୍ର ପରି ଚିରି ଧୂନା ଧୂନା।
ସମୟ ବଡ଼ ମୂଲ୍ୟବାନ
ଯେଉଁମାନେ ଅଭିଯୋଗ କରୁଛନ୍ତି ଯେ ରାଉରକେଲା ସରକାରୀ ଡାକ୍ତରଖାନାର ନୂଆ କୋଠାଘର କାମ ସରିବାଲାଗି ଆହୁରି ଆଠ ନଅ ମାସ ବାକି ଥିବାବେଳେ ବାବୁ ନବୀନ କାହିଁକି ତାହାକୁ ତରବରରେ ଉଦ୍ଘାଟନ କଲେ ସେମାନେ ନବୀନଙ୍କ ଦୃଷ୍ଟିରେ ସମୟର ମୂଲ୍ୟ ଜାଣନ୍ତି ନାହିଁ। ଗଲା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇଥିଲେ। ଖବର ମିଳିଥିଲା କି ନାହିଁ ଜାଣିନୁ, ମାତ୍ର ସେ ଡାକ୍ତରଖାନାର ପାଣି, ବିଜୁଳି କାମ ସରିନାହିଁ। ମାତ୍ର ମୁଖ୍ୟମନ୍ତ୍ରୀ ତାହା ଜାଣି ପାରି ନ ଥିବେ। କାରଣ ସିଏ କୋଠା ପର୍ଯ୍ୟନ୍ତ ଯାଇ ନ ଥିଲେ। ଅଢ଼େଇଶହ ମିଟର ଦୂରରୁ ଉଦ୍ଘାଟନ କରି ଫେରିଆସିଲେ। ଏକଥାକୁ ନାପସନ୍ଦ କରି କିଛି ସ୍ଥାନୀୟ ଲୋକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଦେଇ ଗଲାପରେ ଅଫିସର ଓ ଡାକ୍ତରଙ୍କ ଟେନ୍ସନ୍ ଓହ୍ଲେଇଗଲା। ତେଣିକି ହସ୍ପିଟାଲ୍ର କାମ ସରିଲା କି ନ ସରିଲା କିଏ ବୁଝିବ? ସେ ଟିକିଏ ଡାକ୍ତରଖାନା ପାଖ ପର୍ଯ୍ୟନ୍ତ ଯାଇ ନ ଥାନ୍ତେ! ମାତ୍ର ଜଣେ ବିଜେଡି କର୍ମୀ ଉତ୍ତର ଦେଲେ, ‘‘ସମୟ, ସମୟ।’’ ସମୟର ଘୋର ଅଭାବ। ଏକଥା କହି ସେ ଟାଙ୍ଗରପାଲିରେ ସ୍ୱାଧୀନତା ସଂଗ୍ରାମୀ ଦ୍ୱାରିକାନାଥ କୁସୁମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପ୍ରସଙ୍ଗ ମନେପକେଇ ଦେଇଥିଲେ। ଗଲା ଫେବ୍ରୁଆରି ମାସରେ ମୁଖ୍ୟମନ୍ତ୍ରୀ ଟାଙ୍ଗରପାଲି ଆସିଥିଲେ। ତାଙ୍କ କାର୍ଯ୍ୟକ୍ରମ ଭିତରେ ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟ ମଧ୍ୟ ସଂପୃକ୍ତ ଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ଦେଢ଼କିଲୋମିଟର ଦୂର ମୂର୍ତ୍ତି ପାଖକୁ ଯିବେ ନାହିଁ, ତେଣୁ ଖବରଗଲା, ମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆଣିବା ବ୍ୟବସ୍ଥା କରାଯାଉ। ମାତ୍ର ଅନଭିଜ୍ଞ ରାଜମିସ୍ତ୍ରି ସେତେବେଳକୁ ମୂର୍ତ୍ତିକୁ ସିମେଣ୍ଟ ଲଗେଇ ସ୍ତମ୍ଭ ସହ ଯୋଡ଼ି ଦେଇଥିଲେ। ଭିଡ଼ାଓଟରାରେ ସଂଗ୍ରାମୀ ହଟିବେ ନାହିଁ। କ’ଣ କରାଯିବ? ଶେଷକୁ କିଛି ବୁଦ୍ଧିମାନ ଲୋକ, ତରବର ଭାବରେ ସଂଗ୍ରାମୀଙ୍କର ଆଉ ଗୋଟେ ମୂର୍ତ୍ତି ତିଆରି କରାଇଥିଲେ। ତାହା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନିଆଯାଇଥିଲା ଓ ସେ ତାହାକୁ ଅନାବରଣ କରିଥିଲେ। ଅବଶ୍ୟ ତାଙ୍କ ହସ୍ତସ୍ପର୍ଶ ପାଇଥିବା ସେଇ ମୂର୍ତ୍ତିଟିର ଦଶା କ’ଣ ହେଲା ଆମେ କହିପାରିବୁ ନାହିଁ, କାରଣ ମଙ୍ଗସପୁର ଛକରେ ତ ଆଗରୁ ସିମେଣ୍ଟ ଲାଗି ପ୍ରତିମୂର୍ତ୍ତି ବସିସାରିଥିଲା।
କଂଗ୍ରେସର ଏକତା
ଏହା ଭିତରେ ବିଭିନ୍ନ ଖବରକାଗଜରେ ବଡ଼ ବଡ଼ କଂଗ୍ରେସ ନେତା ବସି ଆଲୋଚନା କରୁଥିବାର ଫଟୋଟିଏ ଦେଖିଲୁ। ସେହି ଆଲୋଚନାର ସାରମର୍ମ ସମସ୍ତେ ଏକମନ ଏକପ୍ରାଣ ହୋଇ କାମ କରିବେ ଓ ବିଜେପୁର ଆସନରୁ ନିଜ ଦଳର ପ୍ରାର୍ଥୀ ଜିଣାଇ ଆଣିବେ। ସେ ସଭାରେ ପି.ସି.ସି. ସଭାପତି ବାବୁ ପ୍ରସାଦ ହରିଚନ୍ଦନଙ୍କ ସହ ବାବୁ ହେମାନନ୍ଦ ବିଶ୍ୱାଳ, ନିରଞ୍ଜନ ପଟ୍ଟନାୟକ, କାହ୍ନଚରଣ ଲେଙ୍କା ଏବଂ ଶ୍ରୀକାନ୍ତ ଜେନା ପ୍ରମୁଖ ବହୁ ବରିଷ୍ଠ ନେତା ଥିଲେ। ତେବେ ବାବୁମାନଙ୍କର ଏହି ଆଲୋଚନାର ଚେହେରାକୁ ତଳସ୍ତରରେ ଥିବା କଂଗ୍ରେସ କର୍ମୀମାନେ ବାସ୍ତବତା ବୋଲି ଗ୍ରହଣ କରିପାରୁନାହାନ୍ତି। କୋରାପୁଟର ଜଣେ ପୁରୁଣା କଂଗ୍ରେସ କର୍ମୀ ଆମକୁ କହିଲେ, ‘‘ଆମ ଜିଲ୍ଲାର କୁନ୍ଦୁଲି ଗଣଧର୍ଷଣ ଘଟଣା ଜିଲ୍ଲାବାସୀଙ୍କ ସାମୂହିକ ଚେତନାକୁ ଦୋହଲେଇ ଦେଇଥିଲା।’’ ଏ ଘଟଣା ଘଟିବା ପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୋରାପୁଟ ବନ୍ଦ ଡାକରା ଦିଆଯାଇଥିଲା ଏବଂ ତାହା ଖୁବ୍ ସଫଳ ହୋଇଥିଲା। ଜିଲ୍ଲାର ଚାରି କଂଗ୍ରେସ ବିଧାୟକ ଏକାଠି ସେଥିରେ ଭାଗ ନେଇଥିଲେ। ମାତ୍ର ପି.ସି.ସି. ସଭାପତି ଯୋଉ ୧୭ ତାରିଖର ପଦଯାତ୍ରାକୁ ଗଲେ ସେତେବେଳେ ଏକଜୁଟ କଂଗ୍ରେସ ପୁଣି ଭାଗ ଭାଗ ହୋଇଗଲା। ବାବୁ ପ୍ରସାଦ ହରିଚନ୍ଦନଙ୍କ ସହ ଦି’ଜଣ ବିଧାୟକ ସେଇ ଯାତ୍ରାରେ ଯୋଗ ଦେଇଥିବାବେଳେ କୋରାପୁଟର ବାବୁ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ ଏବଂ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମୀନାକ୍ଷୀ ବାହିନୀପତି କେହି ଏଥିରେ ଭାଗ ନେଇ ନ ଥିଲେ। ଫଳରେ କୋରାପୁଟ ଜିଲ୍ଲାବାସୀଙ୍କ ଆଗରେ କଥାଟା ପରିଷ୍କାର ହୋଇଗଲା ଯେ ଏ ଦଳର ନେତାଏ ଏକତ୍ର ନାହାନ୍ତି, ଏକାଠି ନାହାନ୍ତି। ଏହିଭଳି ବିଭକ୍ତ ଓ ବିଭଙ୍ଗ ଚେହେରାର କଂଗ୍ରେସ ବିଜେପୁରରେ ଶଙ୍ଖ ଓ ପଦ୍ମ ବିରୋଧରେ କିଭଳି ଲଢ଼ିବ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Rajdhani-Rajniti_Part_1_Naveen_Subal-Sahu.jpg)