ଜୟପୁର: ମଧ୍ୟପ୍ରଦେଶରେ କଂଗ୍ରେସର ଆଭ୍ୟନ୍ତରୀଣ କଳହ ପରେ ଏବେ ରାଜସ୍ଥାନରେ ବି ଅନୁରୂପ ଅବସ୍ଥା ଲାଗି ରହିଛି। ଏହାର ଫାଇଦା ଉଠାଇବା ଲାଗି ବିଜେପି ଏକ ନୂଆ ରଣନୀତି ପ୍ରସ୍ତୁତ କରିଛି। ତାହା ଅନୁଯାୟୀ ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ନିଜର ଦ୍ୱିତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଦଳର ଦ୍ୱିତୀୟ ପ୍ରାର୍ଥୀ ଭାବେ ଓଁକାର ସିଂ ଲଖାୱତ୍‌ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Advertisment

ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଧ୍ୟମରେ ବଡ଼ ଝଟକା ଦେବା ପରେ ଏବେ ବିଜେପି ରାଜସ୍ଥାନର ଏକ ଛୋଟ ପରୀକ୍ଷା ନେବା ପାଇଁ ଚାହୁଁଛି । ବିଜେପି ରାଜ୍ୟସଭା ନିର୍ବାଚନରେ ଦ୍ୱିତୀୟ ପ୍ରାର୍ଥୀ ଦେବାର ଏକମାତ୍ର କାରଣ ହେଲା ଏହା ଜରିଆରେ ଦଳ ଜାଣିପାରିବ ଯେ ବାସ୍ତବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ଉପରେ କେତେଜଣ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । ଏହା ମଧ୍ୟ ଦଳ ଆଶା ରଖିଛି ଯେ, ସଚିନ ପାଇଲଟଙ୍କ ଗୋଷ୍ଠୀରେ ଥିବା କିଛି ବିଧାୟକ ନିଜ ଦଳର ରାଜ୍ୟସଭା ପ୍ରାର୍ଥୀଙ୍କୁ ବିରୋଧ କରି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି ବା ଅନୁପସ୍ଥିତ ରହିପାରନ୍ତି । ଯଦି ଏଭଳି ଘଟେ, ତେବେ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ଓଁକାର ସିଂ ଲଖାୱତ୍‌ ରାଜ୍ୟସଭାକୁ ନିର୍ବାଚିତ ହୋଇଯିବେ।

ସୂଚନାଯୋଗ୍ୟ, କଂଗ୍ରେସ ରାଜ୍ୟସଭା ପାଇଁ ଯେଉଁ ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା, ସେମାନଙ୍କ ଭିତରୁ ନିରଜ ଡାଙ୍ଗୀଙ୍କୁ ନେଇ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ସଚିନ ପାଇଲଟ୍‌ ଆପତ୍ତି ଉଠାଇଥିଲେ । ପାଇଲଟ୍‌ ଗୋଷ୍ଠୀ ପକ୍ଷରୁ ବିଧାୟକ ବେଦପ୍ରକାଶ ସୋଲାଙ୍କି ଏହାକୁ ଖୋଲାଖୋଲି ବିରୋଧ କରିଥିଲେ ମଧ୍ୟ ଡାଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇଛି ।