ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ରାଜନୀତି ଜୋର ଧରିଲା

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଜି ଶେଷ ହୋଇଛି। ବିଜେଡି ସମର୍ଥନରେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନକୁ ନେଇ ଜାତୀୟ ରାଜନୀତିରେ ଭିନ୍ନ ଭିନ୍ନ ଅଙ୍କକଷା ଚାଲିଥିଲା ବେଳେ ଓଡ଼ିଶା ରାଜନୀତିରେ ବି ହଲ୍‌ଚଲ୍‌ ସୃଷ୍ଟି ହୋଇଛି। ହରିବଂଶଙ୍କୁ ବିଜେଡିର ସମର୍ଥନ ବିଭିନ୍ନ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜେଡି-ବିଜେପି ମଧ୍ୟରେ ଅସାଧୁ ମେଣ୍ଟ ଚାଲିଥିବା ସ୍ପଷ୍ଟ ହୋଇଛି ବୋଲି କଂଗ୍ରେସ ସିଧାସଳଖ ଆରୋପ ଲଗାଇଛି। ତେବେ ବିଜେଡି ପୂର୍ବ ପରି ଏବେ ବି ସମଦୂରତ୍ୱ କଥା ଦୋହରାଇଛି। ଆଉ ବିଜେପି ଏହି ପ୍ରସଙ୍ଗରେ ବେଶ୍‌ ମାପିଚୁପି ମନ୍ତବ୍ୟ ଦେଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍‌ଡିଏ ଓ ବିଜେପି ସହ ତାଙ୍କ ସମ୍ପର୍କକୁ ସ୍ପଷ୍ଟ କରିଛନ୍ତି। ବିଜେପି ଠାରୁ ଦୂରତା ବଜାୟ ରଖୁଛି ବୋଲି କହୁଥିବା ବିଜେଡିର ଅସଲ ଚେହେରା ଏବେ ପଦାରେ ପଡ଼ିଛି। ବିରୋଧୀ ଦଳ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଯଦି ବିଜେଡି ଅରାଜି ଥିଲା, ତେବେ ଏନ୍‌ଡିଏ ପ୍ରାର୍ଥୀଙ୍କ ଠାରୁ ମଧ୍ୟ ସମଦୂରତ୍ୱ ବଜାୟ ରଖିପାରିଥା’ନ୍ତା। ସବୁ ରାଜନୈତିକ ଦଳ ବହୁ ପୂର୍ବରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ବେଳେ ନବୀନ ବାବୁ ଶେଷ ପର୍ଯ୍ୟନ୍ତ ନିରବ ରହିଲେ। ଶ୍ରୀ ପଟ୍ଟନାୟକ ଆହୁରି ଆରୋପ ଲଗାଇଛନ୍ତି, ରାଜ୍ୟରେ ବିଜେପି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରୁଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହ କେବେ ବି ନବୀନ ପଟ୍ଟନାୟକଙ୍କ ବିରୋଧରେ ମୁହଁ ଖୋଲୁ ନାହାନ୍ତି। ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ସଫଳତା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ସମ୍ମାନିତ କରୁଥିଲା ବେଳେ ରାଜ୍ୟରେ ବିଜେପି କେବଳ ଲୋକଦେଖାଣିଆ ଭାବେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା। ନଗଡ଼ା, ମାଲକାନଗିରିରେ ଅପପୁଷ୍ଟି ଘଟଣା ଲୋକଲୋଚନକୁ ଆସୁଥିବା ବେଳେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରୁଥିବା କେନ୍ଦ୍ର କହୁଛି। ଓଡ଼ିଶାର ଚାଷୀ ଆତ୍ମହତ୍ୟା କରୁଥିଲା ବେଳେ ଓଡ଼ିଶା କୃଷି କର୍ମଣ ପୁରସ୍କାର ପାଉଛି। ଏସବୁ କେନ୍ଦ୍ରର ବିଜେପି ସରକାର ହିଁ ଓଡ଼ିଶାକୁ ଦେଉଛନ୍ତି। ତେଣୁ ବିଜେପି ଓ ବିଜେଡି ମଧ୍ୟରେ କିପରି ସମ୍ପର୍କ ରହିଛି, ତାହା ରାଜ୍ୟବାସୀ ଜାଣିପାରୁଛନ୍ତି। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ବଡ଼ଭାଇ ଓ ବିଜେପି ସାନଭାଇ ଭୂମିକାରେ ରହିଥିବା ବେଳେ ଆଗାମୀ ଦିନରେ ବିଜେପି ବଡ଼ଭାଇ ଓ ବିଜେଡି ସାନଭାଇ ଭୂମିକାରେ ଅବତୀର୍ଣ୍ଣ ହେବା ଅନୁମାନ କରାଯାଉଛି।

କିନ୍ତୁ କଂଗ୍ରେସର ଏପରି ଅଭିଯୋଗକୁ ବିଜେଡି ଗ୍ରହଣ କରିପାରି ନାହିଁ। ଦଳ ପକ୍ଷରୁ ଏହି ନିଷ୍ପତ୍ତିକୁ ଯଥାର୍ଥ ବୋଲି ଯୁକ୍ତି ଦର୍ଶାଯାଇଛି। ଜେଡି(ୟୁ) ଓ ବିଜେଡି ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଜନ୍ମ ନେଇଥିବାରୁ ଓ ଉଭୟ ଦଳର ଆଦର୍ଶ ପାଖାପାଖି ସମାନ ହୋଇଥିବାରୁ ହରିବଂଶଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଦଳର ନେତାମାନେ କହିଛନ୍ତି। ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଦଳର ନିଷ୍ପତ୍ତି ଅନୁଯାୟୀ ସାଂସଦମାନେ ଜେଡି(ୟୁ) ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି। ଏଥିରେ ଏନ୍‌ଡିଏକୁ ପରୋକ୍ଷ କି ପ୍ରତ୍ୟକ୍ଷ ସମର୍ଥନର ପ୍ରଶ୍ନ ନାହିଁ। ସିବିଆଇ ଡରରେ ବିଜେଡି ଏପରି ନିଷ୍ପତ୍ତି ନେଲା କି ବୋଲି ପ୍ରଶ୍ନରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ବିଜେଡି କାହାକୁ ଭୟ କରୁ ନାହିଁ। ଭୟ ଆମ ଜାତକରେ ନାହିଁ। ଆମର ସମଦୂରତା ନୀତି ଏବେ ବି ବଳବତ୍ତର ରହିଛି। ୨୦୧୯ରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ବି ଶ୍ରୀ ଆଚାର୍ଯ୍ୟ ଖଣ୍ଡନ କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସର୍ବସମ୍ମତ ହେବାର ଆବଶ୍ୟକ ଥିଲା। ବିରୋଧୀ ଦଳର ଅସହଯୋଗରୁ ସର୍ବସମ୍ମତ ହୋଇପାରିଲା ନାହିଁ। ହରିବଂଶଙ୍କ ପରି ଜଣେ ନିର୍ବିବାଦୀୟ ବ୍ୟକ୍ତି ଉପାଧ୍ୟକ୍ଷ ହେଲେ। ଆମେ ସବୁ ଦଳକୁ ସମର୍ଥନ ପାଇଁ ନିବେଦନ କରିଥିଲୁ। କେବଳ ବିଜେଡି ନୁହେଁ, ଏକାଧିକ ଆଞ୍ଚଳିକ ଦଳ ନିଜ ନିଜ ରାଜ୍ୟରେ ବିଜେପି ସହ ରାଜନୈତିକ ଅସହମତି ଥିବା ସତ୍ତ୍ୱେ ହରିବଂଶଙ୍କୁ ସମର୍ଥନ କରିଥିଲେ। ଓଡ଼ିଶାରେ ବିଜେଡି ସହ ବିଜେପିର ବୁଝାମଣା ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଲେ, ବିଜେପି ନିଜସ୍ୱ ତାକତ୍‌ରେ ଓଡ଼ିଶାରେ ନିର୍ବାଚନ ଲଢ଼ିବ। ଯେଉଁମାନେ ଓଡ଼ିଶାର ଆଶା, ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛନ୍ତି, ସେହି ଆଶା ଆକାଂକ୍ଷାକୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପୂରଣ କରିବ।

ସମ୍ବନ୍ଧିତ ଖବର