ରାଜ୍ୟସଭା ନିର୍ବାଚନ : ବିଜେପିର ବାଜିମାତ୍‌

ୟୁପି, କର୍ଣ୍ଣାଟକରେ କ୍ରସ୍‌ଭୋଟିଂ

ନୂଆଦିଲ୍ଲୀ : ୧୬ଟି ରାଜ୍ୟର ୫୮ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାପଳ ଆଜି ପ୍ରକାଶ ପାଇଛି। ଏଥିରେ ସବୁଠାରୁ ବେଶି ଫାଇଦା ମିଳିଛି ବିଜେପିକୁ। ଏହି ପାର୍ଟିକୁ ମିଳିଛି ୨୮ଟି ଆସନ। କଂଗ୍ରସକୁ ୧୦ଟି ଆସନ ମିଳିଥିବା ବେଳେ ଅନ୍ୟମାନଙ୍କୁ ମିଳିଛି ୨୦ଟି ଆସନ। ଏହାସହିତ ରାଜ୍ୟସଭାରେ ବିଜେପି ଏହାର ଶକ୍ତି ବୃଦ୍ଧି କରିଛି। ତେବେ ବହୁମତଠାରୁ ତଥାପି ଦୂରରେ ରହିଛି।

୧୬ଟି ରାଜ୍ୟରୁ ରାଜ୍ୟସଭାର ୫୮ଟି ଆସନ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା। ପୂର୍ବରୁ ୧୦ଟି ରାଜ୍ୟରୁ ୩୨ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଆଜି ୬ଟି ରାଜ୍ୟରେ ୨୬ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟମାନଙ୍କରେ ଭୋଟଗ୍ରହଣ ସୁରୁଖୁରରେ ହୋଇଥିଲା। ଏହି ଦୁଇ ରାଜ୍ୟରେ କ୍ରସଭୋଟିଂ ଯୋଗୁଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। କେତେକ ଦଳଙ୍କ ଅଭିଯୋଗ ପରେ ଏହି ଦୁଇ ରାଜ୍ୟରେ ଭୋଟଗଣତିକୁ ସ୍ଥଗିତ ରଖାଯାଇଥିଲା। କିଛି ସମୟ ପରେ କର୍ଣ୍ଣାଟକରେ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା କରାଯାଇଥିଲା। ତେବେ ୟୁପିକୁ ନେଇ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଅନିଶ୍ଚିତତା ଲାଗି ରହିଥିଲା। ରାଜ୍ୟରେ ୧୦ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ୯ ଜଣ ପ୍ରାର୍ଥୀ ଦେଇଥିବା ବେଳେ ସମାଜବାଦୀ ଓ ମାୟାବତୀଙ୍କ ବିଏସପି ଗୋଟିଏ ଲେଖାଏଁ ପ୍ରାର୍ଥୀ ଦେଇଥିଲେ। ସଂଖ୍ୟା ଦୃଷ୍ଟିରୁ ବିଜେପିକୁ ୮ଟି ମିଳିବା କଥା। କିନ୍ତୁ କ୍ରସଭୋଟିଂ ଯୋଗୁଁ ପାର୍ଟିକୁ ଆଉ ଗୋଟିଏ ଆସନ ମିଳିଛି। ସମାଜବାଦୀ ପାର୍ଟି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ବିଏସପି ପ୍ରାର୍ଥୀ ହାରିଯାଇଛନ୍ତି। ଫଳରେ ଏଠାରେ ବିଜେପିକୁ ଗୋଟିଏ ଆସନର ଫାଇଦା ମିଳିଛି।

ମିଳିଥିବା ରିପୋର୍ଟ ଅନୁଯାୟୀ ୟୁପିରେ ବିଜୟ ପାଇଁ ଜଣେ ପ୍ରାର୍ଥୀଙ୍କୁ ୩୭ ଭୋଟର ଆବଶ୍ୟକତା ଥିଲା। ସେହି ହିସାବରେ ବିଜେପିର ୮ ଏବଂ ସମାଜବାଦୀର ଜଣେ ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେବେ ବିଜେପିର ନବମ ପ୍ରାର୍ଥୀଙ୍କୁ ୧୬ ଏବଂ ବିଏସପି ପ୍ରାର୍ଥୀଙ୍କୁ ୩୨ଟି ଭୋଟ ମିଳିଥିଲା। କିନ୍ତୁ ଆବଶ୍ୟକ ୩୭ଟି ଭୋଟ ନମିଳିବାରୁ ସେକଣ୍ଡ ପ୍ରିଫରେନ୍ସ ଭୋଟର ସହାୟତା ନିଆଯାଇଥିଲା। ଏଥିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ।

ଉତ୍ତର ପ୍ରଦେଶରୁ ନିର୍ବାଚିତ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଏବଂ ସମାଜବାଦୀ ପ୍ରାର୍ଥୀ ଜୟା ବଚ୍ଚନ।

ଆଜି ହୋଇଥିବା ନିର୍ବାଚନରେ ୨୬ଟି ଆସନ ମଧ୍ୟରୁ ବିଜେପିକୁ ୧୨ଟି ଆସନ ମିଳିଥିବା ବେଳେ ମମତାଙ୍କ ତୃଣମୂଳ କଂଗ୍ରେସକୁ ୪, କଂଗ୍ରେସକୁ ୫, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ୩ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆଜି କର୍ଣ୍ଣାଟକରୁ କଂଗ୍ରେସର ତିନି ଜଣ ବିଜୟୀ ହୋଇଥିବା ବେଳେ ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସର ୪ ଏବଂ ତେଲେଙ୍ଗାନାରେ ଟିଆରଏସର ୩ ଜଣ ବିଜୟୀ ହୋଇଛନ୍ତି।

ମୋଟ ୫୮ଟି ଆସନ ମଧ୍ୟରୁ ବିଜେପିକୁ ସର୍ବାଧିକ ୨୮ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୧୦ଟି ଆସନ ମିଳିଛି। ସେହିଭଳି ତୃଣମଳକୁ ୪, ବିଜେଡି ୩, ଆରଜେଡି ୨, ଟିଆରଏସକୁ ୩ଟି ଆସନ ମିଳିଛି।

ଏହି ନିର୍ବାଚନରେ ବିଜେପିକୁ ୧୧ଟି ଆସନର ଫାଇଦା ମିଳିଥିବା ବେଳେ କଂଗ୍ରେସ ୪ଟି ଆସନ ହରାଇଛି। କାରଣ ବିଜେପିର ୧୭ ଏବଂ କଂଗ୍ରେସର ୧୪ ଜଣ ରାଜ୍ୟସଭା ସଭ୍ୟ ଅବସର ନେଉଛନ୍ତି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ଏବେ ବିଜେପିର ୫୮ ସଭ୍ୟ ଥିବା ବେଳେ କଂଗ୍ରେସର ୫୪ ଜଣ ସଭ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର