ଧର୍ମେନ୍ଦ୍ର ନିର୍ବାଚିତ

ନୂଆଦିଲ୍ଳୀ : କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରବି ଶଙ୍କର ପ୍ରସାଦ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଥିଲା ଶେଷ ଦିବସ। ନାମାଙ୍କନ ପ୍ରତ୍ୟାହାର ପରେ ଅନେକ ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମଧ୍ୟ ପ୍ରଦେଶରୁ ୫ ଜଣ ନିର୍ବାଚିତ ହୋଇଥିବା ବେଳେ ରବିଶଙ୍କର ପ୍ରସାଦଙ୍କ ସମେତ ୬ ଜଣ ବିହାରରୁ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବିଜେପି ମଧ୍ୟ ପ୍ରଦେଶରୁ ପ୍ରାର୍ଥୀ କରିଥିଲା। ତାଙ୍କୁ ମିଶାଇ ବିଜେପିର ୪ ଜଣ ପ୍ରାର୍ଥୀ ଏଠାରୁ ନିର୍ବାଚିତ ହୋଇଛନ୍ତି।

ସେହିଭଳି ଗୁଜରାଟରେ ୪ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଶେଷ ମୁହୂର୍ତରେ ବିଜେପି ଏହାର ତୃତୀୟ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିବା ପରେ ଏହା ସମ୍ଭବ ହୋଇଛି। ରାଜ୍ୟରୁ ବିଜେପି ଏବଂ କଂଗ୍ରେସର ଦୁଇଟି ଲେଖାଏଁ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନରୁ ସମସ୍ତ ତିନିଟି ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଓଡ଼ିଶାରୁ ସମସ୍ତ ୩ଟି ଆସନରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି। ଆନ୍ଧ୍ର ପ୍ରଦେଶରେ ଟିଡିପିର ୨ ଏବଂ ଓ୍ଵାଇଏସଆର କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ତେବେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମ ବଙ୍ଗରେ ନିର୍ବାଚନ ନିଶ୍ଚିତ। ୟୁପିର ୧୦ଟି ଆସନ ମଧ୍ୟରୁ ବିଜେପି ୮ଟି ଜିତିବା ନିଶ୍ଚିତ ଥିବା ବେଳେ ଏହା ୯ ଜଣଙ୍କୁ ପ୍ରାର୍ଥୀ କରିଛି। ଏଠାରେ ସମାଜବାଦୀ ଏବଂ ବହୁଜନ ସମାଜ ପାର୍ଟି ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ୟୁପିରୁ ରାଜ୍ୟସଭା ପ୍ରାର୍ଥୀ ଅଛନ୍ତି। ସେହିଭଳି ପଶ୍ଚିମ ବଙ୍ଗରେ ୫ଟି ଆସନରେ ୬ ଜଣ ପ୍ରାର୍ଥୀ ଅଛନ୍ତି। ତୃଣମୂଳ କଂଗ୍ରେସର ୪ ଏବଂ କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ଥିବା ବେଳେ ସିପିଏମ୍‌ ଜଣେ ପ୍ରାର୍ଥୀ ଦେଇଛି। ନିର୍ବାଚନ ୨୩ ତାରିଖରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ୧୬ଟି ରାଜ୍ୟରୁ ୫୮ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର