ପ୍ରଶାନ୍ତ, ସୌମ୍ୟରଂଜନ, ଅଚ୍ୟୁତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର : ବିଜୁ ଜନତା ଦଳର ତିନି ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା। ଏହି ଅବଧି ଅପରାହ୍ନ ୩ଟାରେ ଶେଷ ପରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ରାଜେଶ ପ୍ରଭାକର ପାଟିଲ ବିଜେଡି ପ୍ରାର୍ଥୀଙ୍କ ନିର୍ବାଚନ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ପାଟିଲ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉପସ୍ଥିତିରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଶ୍ରୀ ନନ୍ଦ ଓ ଶ୍ରୀ ପଟ୍ଟନାୟକଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିିଛନ୍ତି। ଅନ୍ୟତମ ନିର୍ବାଚିତ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଅନୁପସ୍ଥିତ ଥିବାରୁ ସାର୍ଟିଫିକେଟ୍‌ ଗ୍ରହଣ କରିପାରିନାହାନ୍ତି। ଏଥିସହିତ ରାଜ୍ୟସଭାର ତିନିଟି ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।

ବିଧାନସଭାରେ ବିଜେଡିର ସଂଖ୍ୟା ଦୃଷ୍ଟିରୁ ତିନି ଜଣ ପ୍ରାର୍ଥୀଙ୍କର ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଥିଲା। ମୋଟ ୧୪ ଜଣ ନାମାଙ୍କନ ପତ୍ର ଫର୍ମ ନେଇଥିଲେ ହେଁ, ବିଜେଡିର ତିନି ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଗତ ୧୩ ତାରିଖ ଦିନ ଯା଼ଞ୍ଚ ବେଳେ ଅନ୍ୟତମ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କର ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା।
ରାଜ୍ୟସଭାକୁ ନିର୍ବାଚିତ ହେବା

ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବି। ଚଷା, ଭାଷା ଓ ନିଶା ପାଇଁ ମୋର କାମ ଜାରି ରହି। ଚିଟ୍‌ଫଣ୍ଡ ଓ ଭାଷାକୁ ନେଇ ରାଜ୍ୟ ସରକାର ପଦକ୍ଷେପ ନେଲେଣି। ଆଗକୁ ଅନ୍ୟ ପ୍ରସଙ୍ଗର ମଧ୍ୟ ସମାଧାନ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେହିଭଳି ପ୍ରଶାନ୍ତ ନନ୍ଦ କହିଥିଲେ, ଦଳର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ ଓ ଦଳର ଯାହା ବି ପ୍ରଶ୍ନ ଥିବ ତାହା ରାଜ୍ୟସଭାରେ ଉଠାଇବେ। ଆଜି ତିନି ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଵରେ ନିର୍ବାଚିତ ହୋଇଥିବା ପରିପ୍ରେକ୍ଷୀରେ ଆସନ୍ତା ୨୩ ତାରିଖ ଦିନ ଆଉ ନିର୍ବାଚନ ହେବ ନାହିଁ।

ଏଠାରେ ଉଲ୍ଲେଖଥାଉକି, ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲିପ ତିର୍କି ଓ ଏ ଭି ସ୍ୱାମୀଙ୍କ କାର୍ଯ୍ୟକାଳ ଆସନ୍ତା ୩ ତାରିଖରେ ଶେଷ ହେଉଛି।

ସମ୍ବନ୍ଧିତ ଖବର