ରାଜ୍ୟସଭା ଆଶାୟୀ: ପାଟ୍ଟଶାଣୀଙ୍କ ପ୍ରତୀକ୍ଷା ବଢ଼ିଲା, ଚ୍ୟାଉପଟ୍ଟନାୟକ ହେଲେ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ

ଭୁବନେଶ୍ବର: ରାଜ୍ୟସଭାକୁ ଯିବା ଲାଗି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଦୁଇ ବରିଷ୍ଠ ନେତା ଅପେକ୍ଷା କରିଥିଲେ। ମାତ୍ର ଆଜି ଦଳର ସୁପ୍ରିମୋ ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂହ,ମୁନ୍ନା ଖାଁ, ସୁଜିତ କୁମାର, ଓ ମମତା ମହାନ୍ତଙ୍କ ନାମ ଘୋଷଣା କରିଛନ୍ତି। ଫଳରେ ଦୁଇ ଆଶାୟୀ ବ୍ରହ୍ମପୁରର ପୂର୍ବତନ ବିଧ‌ାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ଭୁବନେଶ୍ବରର ପୂବର୍ତନ ସାଂସଦ ପ୍ରସନ୍ନ ପାଟ୍ଟାଶାଣୀଙ୍କୁ ନିରାଶ ହେବାକୁ ପଡ଼ିଛି। ମାତ୍ର ଚ୍ୟାଉପଟ୍ଟନାୟକଙ୍କୁ  ଥଇଥାନ କରାଯାଇଥିବ‌ା ବେଳେ ଅନ୍ୟ ପାଟ୍ଟଶାଣୀଙ୍କ ଅପେକ୍ଷାର ଅବଧି ବଢ଼ିଛି। ଚ୍ୟାଉପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ  ଭାବେ ଅବସ୍ଥାପିତ କରାଯାଇ ଥିବା ବେଳେ ପୂବର୍ତନ ସାଂସଦ ପାଟ୍ଟଶାଣୀଙ୍କ ହାତ ଖାଲି ରହିଛି। ତେବେ ପାଟ୍ଟଶାଣୀଙ୍କୁ କେବେ ଦଳ କୌଣସି ପଦପଦବୀ ହେଉଛି ତାହା ଦେଖିବାକୁ ରହିଲା।

୨୦୧୯ ନିର୍ବାଚନରେ ବିଧାନସଭା ନିର୍ବାଚନ ଲାଗି ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବା ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଦଳ ପକ୍ଷରୁ ରାଜ୍ୟସଭା ପଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ୪ ରାଜ୍ୟସଭା ଆସନ ଖାଲି ହେବା ସୂଚନା ମିଳିବା ପରଠାରୁ ଚ୍ୟାଉପଟ୍ଟନାୟକ ଏଥିଲାଗି ଲବି ମଧ୍ୟ କରି ଆସୁଥିଲେ। ଅବଶ୍ୟ କିଛିଦିନ ପୂର୍ବରୁ ତାଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡିର ଅଧ୍ୟକ୍ଷ କରାଯାଇଥିଲା। ତା’ ସତ୍ତ୍ବେ ସେ ରାଜ୍ୟସଭା ଆସନ ପାଇବା ଲାଗି ଲୋକସେବା ଭବନକୁ ଆସି ସୁପ୍ରିମୋଙ୍କୁ ଦେଖା କରିଥିଲେ। ‌ଶେଷରେ ତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଏକ କ୍ୟାବିନେଟ୍ ପାହ୍ୟା ବିଶିଷ୍ଟ ପଦବୀ ପ୍ରଦାନ କରିଛନ୍ତି। ସେ ଓଡ଼ିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ମାତ୍ର ଭୁବନେଶ୍ବର ଲୋକସଭାର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଲାଗି କୌଣସି ଦାୟିତ୍ବ ଘୋଷଣା ହୋଇନାହିଁ ।

The Hindu

ଯଦିଓ ସୁପ୍ରିମୋଙ୍କ ଏହି ନିଷ୍ପତ୍ତି ଯୋଗୁଁ  ନିରାଶ ହୋଇଛନ୍ତି  ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କିନ୍ତୁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଯେହେତୁ ତାଙ୍କୁ ଦଳର ସୁପ୍ରିମୋ ତାଙ୍କୁ ପ୍ରତିଶ୍ରୁତି ଦେିଛନ୍ତି, ତାହା ଆଜି ନ ହେଲେ କାଲି ପୂରଣ ହେବାର ଆଶା ରହିଛି। ରାଜ୍ୟସଭା ଆସନ ନ ହେଲେ ସରକାରରେ ଅନ୍ୟ କୌଣସି ପଦବୀ ମିଳିପାରେ।  ୨୦୧୯ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବା ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ସେତେବେଳେ କହିଥିଲେ ବିଜେଡି ସୁପ୍ରିମୋ । ହେଲେ କିଛି ଦିନ ପୂର୍ବରୁ ସେ ଦେଇଥିବା ବୟାନ୍ ତାଙ୍କୁ ଅଡ଼ୁଆରେ ପକାଇଲା । ‘ଭଗବାନ୍ ଓ ସୈତାନ’ ବୟାନ ପାଇଁ ତାଙ୍କ ରାଜ୍ୟସଭା ରାସ୍ତା ବନ୍ଦ କରିଦେଲା ବୋଲି ଆକଳନ ହେଉଛି । ତେବେ ବରିଷ୍ଠ ନେତା ପାଟ୍ଟଶାଣୀଙ୍କୁ  ଆଗକୁ ସଂଜମତା ଅବଲମ୍ବନ କରିବାକୁ ପଡ଼ିବ।

ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବେଳେ ଆଜି ପ୍ରାର୍ଥୀ ଘୋଷଣା ହୋଇଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ବିଜ୍ଞପ୍ତି ପ୍ରକଶ ପାଇବା ପରେ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ଓଡ଼ିଶାର ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ୧୭ ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ ଏବଂ ମେଘାଳୟରେ ହେବ ରାଜ୍ୟସଭା ନିର୍ବାଚନ ।

ସମ୍ବନ୍ଧିତ ଖବର