ବିଜେପି ଛାଡ଼ିଲେ ୨୦୧୯ରେ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ

ଜଗତସିଂହପୁର: ଉପନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଛନ୍ତି ରମାକାନ୍ତ ଭୋଇ । ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିବା ରମାକାନ୍ତ ଆଜି ନିଜ ସମର୍ଥକଙ୍କ ସହ ପଦ୍ମ ଶିବିରରୁ ପରିତ୍ୟାଗ କରିଛନ୍ତି । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ବିଜେପି ଛାଡିଛନ୍ତି ରମାକାନ୍ତ,ଯାହା ଜଗତସିଂହପୁର ଜିଲ୍ଲରେ ଦଳରେ ଥିବା କନ୍ଦଳକୁ ପଦାରେ ପକାଇଛି ।

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାଜକିଶୋର ବେହେରା ଦଳ ଛାଡି ବିଜେପିରେ ଯୋଗଦେବା ପରେ ରମାକାନ୍ତଙ୍କ ଶିବିର ଏହାକୁ ସହଜରେ ଗ୍ରହଣ କରି ନଥିଲା । ଏପରିକି ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଥିଲେ ରମାକାନ୍ତଙ୍କ ଗୋଷ୍ଠୀ । ତିର୍ତ୍ତୋଲରେ ବିଜେପିରୁ ପୁଣି ଥରେ ପ୍ରାର୍ଥୀ ହେବାକୁ ରମାକାନ୍ତ ଆଶା ବାନ୍ଧି ବସିଥିବା ବେଳେ ଦଳରେ ରାଜକିଶୋରଙ୍କ ଯୋଗଦାନ ଟିକେଟ ରେସରେ ରମାକାନ୍ତଙ୍କୁ ପଛକୁ ଠେଲି ଦେଇଥିଲା ।

ତିର୍ତ୍ତୋଲ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଏଯାଏଁ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେଡି ନିଜ ଗଡ ବଞ୍ଚାଇବା ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଥିବା ବେଳେ ବିଜେପି ଏହି ଆସନକୁ ଅକ୍ତିଆର କରିବାକୁ ଋଣନୀତି କରୁଛି । ସେହିଭଳି କଂଗ୍ରେସ ପୁଣିଥରେ ଏହି ଆସନ ଫେରିପାଇବାକୁ  ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର