ଆଠଗଡ଼: ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୁରୁବାର ପ୍ରଚାର ମଇଦାନକୁ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓହ୍ଲାଇଛନ୍ତି। ସ୍ଥାନୀୟ ମୁଣ୍ଡଳୀଠାରୁ ଆରମ୍ଭ ହୋଇଛି ସ୍ୱାଇଁ ଏବଂ ସାଂସଦ ଭର୍ତ୍ତୁହରି ମହତାବ ସେମାନଙ୍କ ସମର୍ଥକଙ୍କ ଗହଣରେ ଜୋରଦାର ପ୍ରଚାର କରିଛନ୍ତି। ସେମାନେ ନୂଆପଡ଼ା ସ୍ଥିତ ମୁଣ୍ଡଳିଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍‌ ରାଲି ଜରିଆରେ ଲୋକମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ ଓ ସବୁଥର ପରି ଏଥର ମଧ୍ୟ ବିଜୁବାବୁଙ୍କ ଦଳକୁ ସମର୍ଥନ କରିବା ପାଇଁ ପ୍ରାର୍ଥନା କରିଥିଲେ।

Advertisment

ଏହି ଶୋଭାଯାତ୍ରା ମୁଣ୍ଡଳୀ ଠାରୁ ଆରମ୍ଭ ହୋଇ ବଉଳପଦା, ନୂଆଗଡ଼, ଅନନ୍ତପୁର, ବ୍ରହ୍ମପୁର, ନିଧିପୁର, ଚମ୍ପାପୁର, ଇଶ୍ୱରା ଛକ, ବୀରକିଶୋରପୁର ଛକ ଆଦି ସ୍ଥାନ ଅତିକ୍ରମ କରି ମଧ୍ୟାହ୍ନ ୧୨:୩୦ରେ ଇଚ୍ଛାପୁର ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସମାପ୍ତ ହୋଇଥିଲା

୧୯୯୦-୨୦୧୯ ଦୀର୍ଘ ୩୦ ବର୍ଷର ରାଜନୈତିକ କ୍ୟାରିଅରରେ ଦଳ ଓ ନିଜ ଅଞ୍ଚଳ ପାଇଁ ରଣେନ୍ଦ୍ର ପ୍ରତାପଙ୍କର ଅନେକ ବଳିଷ୍ଠ ଅବଦାନ ରହିଛି। ଆଠଗଡ଼ ଅଞ୍ଚଳରେ ସେ ଶିକ୍ଷା, ଗମନାଗମନ, ଶିଳ୍ପ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶ କରାଇଥିବାରୁ ଅଞ୍ଚଳବାସୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ତାଙ୍କ ସହିତ ରହିଛି।