ସମାଜବାଦୀ ପାର୍ଟିରେ ଯୋଗ ଦେବେ ଭାଜପା ଛାଡିଥିବା ସାଂସଦ ସାବିତ୍ରୀ ବାଇ ଫୁଲେ !

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟିରୁ ବିଦ୍ରୋହ କରି ଦଳର ସଦସ୍ୟତା ତ୍ୟାଗ କରିଥିବା ଲୋକସଭା ସଦସ୍ୟ ସାବିତ୍ରୀ ବାଇ ଫୁଲେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କର ସାକ୍ଷାତ ଖୁବ୍‌ ଗୋପନୀୟ ଭାବେ ହୋଇଥିବା ଜଣାଯାଇଛି।
ଭାଜପାରୁ ଇସ୍ତଫା ଦେବାପରେ ସାବିତ୍ରୀ ଦେବୀ ନୂଆ ଦଳ ସନ୍ଧାନରେ ଅଛନ୍ତି। ବହରାଇଚର ସାଂସଦ ସାବିତ୍ରୀ ବାଇ ଜଣେ ଦଳିତ ମହିଳା। ସେ ମୋଦି ସରକାରଙ୍କ ସଂରକ୍ଷଣ ନୀତିକୁ ଦଳିତ ବିରୋଧୀ ବୋଲି କହି ଚର୍ଚ୍ଚିତା ହୋଇଥିଲେ। ସେ ଗତ ଅପ୍ରେଲ ମାସରେ ହିଁ ଭାଜପା ବିରୁଦ୍ଧରେ ବିଷେଦଗାର କରିବା ଆରମ୍ଭ କରିଥିଲେ। ଅବଶେଷରେ ସାବିତ୍ରୀ ବାଇ ଗତ ଡିସେମ୍ବର ୬ ତାରିଖରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତେବେ ସେ ଲୋକସଭା ସଦସ୍ୟ ଭାବେ ଇସ୍ତଫା ଦେବେ ନାହିଁ ବୋଲି ରୋକ ଠୋକ୍‌ କହିଛନ୍ତି।
ଏଣେ ଅଖିଳେଶ ଯାଦବଙ୍କୁ ଭେଟିବାପରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ,ସାବିତ୍ରୀ ବାଇ ଖୁବ୍‌ ଶୀଘ୍ର ସମାଜବାଦୀ ପାର୍ଟିରେ ଯୋଗ ଦେବେ। ଜଣେ ଦଳିତ ସାଂସଦ ହୋଇଥିବା ହେତୁ ଭାଜପା ତାଙ୍କ କଥାକୁ ଗୁରୁତ୍ୱ ଦେଉ ନାହିଁ ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର