ଭୁବନେଶ୍ୱର : ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି। ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାର ସ୍ଥାୟୀ ଓ ଅନ୍ୟାନ୍ୟ କମିଟିର ସଭ୍ୟ ପଦରୁ ଦଳୀୟ ସାଂସଦଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ସବୁ ସାଂସଦ ଇସ୍ତଫା ଦେଇଥିବା ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି। କେଉଁ କମିଟିରେ ବିଜେଡିର କିଏ ସଦସ୍ୟ ରହିବେ, ସେ ସଂପର୍କରେ ଖୁବ୍‌ଶୀଘ୍ର ସାନି ତାଲିକା ପ୍ରସ୍ତୁତ କରି ବିଜେଡି ପକ୍ଷରୁ ସଂସଦରେ ଜଣାଇ ଦିଆଯିବ। ଏଥିଲାଗି ସମସ୍ତ ସାଂସଦ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଛନ୍ତି।

Advertisment

ନବୀନଙ୍କ ଏଭଳି ପଦକ୍ଷେପ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କି ଉଦ୍ଦେଶ୍ୟ ରଖି ନବୀନ ଏମିତି ଗୋଟିଚାଳନା କଲେ, ତାହା ଏଯାଏ କେହି ଠଉରାଇ ପାରିନାହାନ୍ତି। ସମ୍ଭବତଃ ଭଲ ପ୍ରଦର୍ଶନ କରୁଥିବା କିଛି ସାଂସଦଙ୍କୁ ଗୁରୁତ୍ୱପୂର୍ଣ୍ଣ କମିଟି ଦିଆଯିବା ସହିତ ଦଳରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସ୍ଥାୟୀ କମିଟିରୁ ଦୂରେଇବା ଲାଗି ଏଭଳି ଗୋଟିଚାଳନା କରାଯାଇଥାଇପାରେ ବୋଲି ବିଶ୍ୱାସ କରାଯାଉଛି। ଏଥିସହିତ ସ୍ଥିର ହୋଇଛି, ରେଳ ବିଭାଗର ଅବହେଳା, ମହାନଦୀ ଟ୍ରିବ୍ୟୁନାଲ ଗଠନ ଦିଗରେ କେନ୍ଦ୍ରର କାଳକ୍ଷେପଣ ନୀତି, କୋଇଲା ରୟାଲିଟି, ଏମ୍‌ଏସ୍‌ପି ଆଦି ପ୍ରସଙ୍ଗ ସଂସଦରେ ଉଠିବ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ ନବୀନ ନିବାସରେ ବସିଥିଲା। ବ୍ୟାପକ ଆଲୋଚନା ପରେ ସ୍ଥିର ହୋଇଥିଲା ଯେ ନୂଆ ଡିଭିଜନ୍‌ ଖୋଲିବା ଲାଗି ରେଳ ମନ୍ତ୍ରାଳୟ ଯେଉଁ ପ୍ରକ୍ରିୟା ଆରମ୍ଭ କରୁଛି, ସେଥିରେ ଓଡ଼ିଶାର ରାୟଗଡାକୁ ନ୍ୟାୟ ମିଳିବା ଦରକାର। ପୂର୍ବତଟ ରେଳବାଇରୁ କିଛି ଅଂଶ କାଢିନେଇ ସେମାନେ ଓ୍ଵାଲଟିୟର ଡିଭିଜନ କରିବାକୁ ମନ ବଦଳାଇଥିବାରୁ ରାଉରକେଲା ଆଦି ଅଞ୍ଚଳକୁ ଦକ୍ଷିଣ ପୂର୍ବ ରେଳପଥରୁ କାଢି ଆଣିବା ଲାଗି ଓଡ଼ିଶା ଦାବି ରଖିବ। ଏହାବ୍ୟତୀତ ରାୟଗଡାରେ ନୂଆ ରେଳପଥ ଡିଭିଜନ କରିବା ଲାଗି ଓଡ଼ିଶା ଚାପ ସୃଷ୍ଟି କରିବ। ଏ ନେଇ ସାଂସଦମାନେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ମଧ୍ୟ ଜଣାଇବେ।

ଶ୍ରୀ ମହତାବ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦେଶର ମାସେ ପରେ ବି କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ କରିନାହାନ୍ତି। ଯଦିଓ କ୍ୟାବିନେଟ୍‌ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁୁମୋଦନ କରିଛନ୍ତି, କିନ୍ତୁ ଏଯାଏ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ସେହିଭଳି ପୋଲାଭରମ୍‌ ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ। ନିର୍ଧାରିତ ସମୟ ପରେ କୋଇଲା ରୟାଲିଟି ବୃଦ୍ଧି କରିନାହାନ୍ତି କେନ୍ଦ୍ର ସରକାର। ଏହାବ୍ୟତୀତ ଏମ୍‌ଏସ୍‌ପି ନେଇ ବିଜେଡି ସାଂସଦମାନେ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିବେ।

ଉଲ୍ଲେଖଥାଉକି, ସଂସଦର ୨୭ଟି ଷ୍ଟାଣ୍ଡିଂ କମିଟିରେ ଓଡ଼ିଶାର ପ୍ରାୟ ସବୁ ସାଂସଦମାନେ ସଦସ୍ୟ ଅଛନ୍ତି। ଏହାବ୍ୟତୀତ ସ୍ୱାଧିକାର କମିଟି ଆଦିରେ ମଧ୍ୟ ଓଡ଼ିଶାର ସାଂସଦମାନେ ସଦସ୍ୟ ଅଛନ୍ତି। ଏବେ କେଉଁ କମିଟିରେ କିଏ ସଦସ୍ୟ ରହିବେ, ତାର ଏକ ତାଲିକା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିବେ। ଥରେ ଏହି ତାଲିକା ପ୍ରସ୍ତୁତ ହେବା ପରେ ବାଚସ୍ପତିଙ୍କୁ ଜଣାଇ ଦିଆଯିବ।