ବିଜେପିରେ ମିଶ୍ରଣ ପର୍ବ : ଅବସରପ୍ରାପ୍ତ ଆଇଏଏସ୍‌ ଅଶୋକ ତ୍ରିପାଠୀ ଯୋଗ ଦେଲେ

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ରାଜସ୍ୱ ପର୍ଷଦ ସଦସ୍ୟ ଅଶୋକ କୁମାର ତ୍ରିପାଠୀଙ୍କ ସମେତ ଭୁବନେଶ୍ୱର ଓ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ରାଜନୈତିକ ବ୍ୟକ୍ତି, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ବିଜେପିରେ ସାମିଲ୍‌ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ବିକାଶ ଆହୁରି ତ୍ୱରାନ୍ଵିତ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ୧୯୮୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଶ୍ରୀ ତ୍ରିପାଠୀ ୨୦୧୬ରେ ଚାକିରିରୁ ଅବସର ନେଇଥିଲେ। ବଡ଼ମ୍ବା ଅଞ୍ଚଳର ବିଭିନ୍ନ ଦଳର କିଛି ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ଆଇନଜୀବୀ, ଯୁବ ଓ ଛାତ୍ର ନେତା ପ୍ରମୁଖ ବିଜେପିରେ ମିଶିଥିଲେ। ମିଶ୍ରଣ ପର୍ବରେ କେନ୍ଦ୍ର ପେଟ୍ରୋଲିୟମ୍‌ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ଦ୍ୱାରା ବଡ଼ମ୍ବା ଅଞ୍ଚଳରେ ବିଜେପି ଶକ୍ତିଶାଳୀ ହେବ ବୋଲି ସେ କହିଥିଲେ। ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର