ବିଜେପୁରରେ ରୀତା ସାହୁ ବିଜେଡିି ପ୍ରାର୍ଥୀ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ କେବେ ହେବ, ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ବିଜୁ ଜନତା ଦଳ ଆଜି ପ୍ରାର୍ଥିତ୍ୱ ସଂପର୍କରେ ଘୋଷଣା କରିଛି। ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ବିଜେପୁର ଉପନିର୍ବାଚନରେ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ହିଁ ଦଳୀୟ ପ୍ରାର୍ଥୀ ହେବେ। କେବଳ ସେତିକି ନୁହେଁ, ବିଜେପୁରରେ ବିଜେଡିରେ ଲାଗି ରହିଥିବା କନ୍ଦଳ ଶୀଘ୍ର ଦୂର ହେବ ବୋଲି ମଧ୍ୟ ନବୀନ ଠାରିଛନ୍ତି।

ଗତକାଲି ରୀତାଙ୍କ ପ୍ରାର୍ଥିତ୍ୱ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ତେରଚ୍ଛା ବାଣ ମାରିଥିଲେ। କହିଥିଲେ, ଟିକେଟ୍‌ କାହାକୁ ଦିଆଯିବ, ସେ ନେଇ ବି ଦଳ କୌଣସି ଠୋସ୍‌ ନିଷ୍ପତ୍ତି ନେଇନାହିଁ। ଦଳର ମୁଖ୍ୟ ଏ ନେଇ ସବୁ ସ୍ତରର ନେତାଙ୍କ ସହିତ ଆଲୋଚନା କରିବେ ଓ ଉପଯୁକ୍ତ ନିଷ୍ପତ୍ତି ନେବେ। ଏପରିକି ନବୀନ ଗଣମାଧ୍ୟମକୁ କହିଛନ୍ତି କି ବୋଲି ପାଲଟା ପ୍ରଶ୍ନ କରିଥିଲେ।

ମାତ୍ର ନବୀନ ନା କାହା ସହ ଆଲୋଚନା କଲେ ବା ଅପେକ୍ଷା କଲେ। ପ୍ରସନ୍ନ ପ୍ରଶ୍ନ କରିବାର ୨୪ ଘଣ୍ଟା ପୂରିନି, ମୁଖ୍ୟମନ୍ତ୍ରୀ ରୀତା ସାହୁଙ୍କ ନାମ ଘୋଷଣା କରିଦେଲେ। ପ୍ରସନ୍ନଙ୍କ ପାଇଁ ଏହା ଏକ ଶକ୍ତ ଝଟ୍‌କା ସଦୃଶ ହୋଇଥିବା କୁହାଯାଉଛି। ଖାସ୍‌ ପ୍ରସନ୍ନ ଏମିତି କହିଲେ ବୋଲି ନବୀନ ଆଗତୁରା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା କରୁଛନ୍ତି। ଅତୀତରେ ଆଠଗଡ ଉପନିର୍ବାଚନରେ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ଏମିତି ଢଙ୍ଗରେ ଝଟ୍‌କା ଦେଇଥିଲେ ନବୀନ। ତେବେ ସ୍ଥାନୀୟ ବିଜେଡିରେ ସୃଷ୍ଟି ହୋଇଥିବା ଅସନ୍ତୋଷ ସଂପର୍କରେ ସେ ଜାଣନ୍ତି, ଏକଥା ନବୀନଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି।

ଏହି ପ୍ରସଙ୍ଗକୁ ନେଇ ଦଳୀୟ ନେତାମାନେ ଆଜି ମତମନ୍ତବ୍ୟ ବି ଦେଇଛନ୍ତି। ଗୋଟିଏ ପଟେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖି ତାଙ୍କ ଅସନ୍ତୋଷ ଜଣାଇଥିବା ବେଳେ ଅନ୍ୟପଟରେ କିନ୍ତୁ ରୀତାଙ୍କ ନାମ ଘୋଷଣା ପରେ ପ୍ରସନ୍ନ ଆଜି ଗଣମାଧ୍ୟମ ସାମ୍ନାରେ ଓଲଟା ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି, ବିଜେପୁର ଉପନିର୍ବାଚନରେ ବିଜେଡି ନିଶ୍ଚିତ ଜିତିବ ଏଥିରେ ସନ୍ଦେହ ନାହିଁ। ତାଙ୍କ ମନରେ ଅସନ୍ତୋଷ ରହିଥିବା କଥାକୁ ବି ସେ ଅଗ୍ରାହ୍ୟ କରିଛନ୍ତି। କହିଛନ୍ତି ଯେ ପ୍ରସନ୍ନ ଅପ୍ରସନ୍ନ ନୁହନ୍ତି ବରଂ ପ୍ରସନ୍ନ ସବୁବେଳେ ହିଁ ପ୍ରସନ୍ନ ଅଛନ୍ତି। ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ଦଳର ଅସନ୍ତୋଷକୁ ନିୟନ୍ତ୍ରଣକୁ ଅଣାଯିବ। ପ୍ରସନ୍ନ ଆଚାର୍ଯ୍ୟ ସେ ନିର୍ବାଚନମଣ୍ଡଳୀରୁ ଗତ ଥର ଲଢିଥିଲେ, ଏଥର ବି ସେ ପୁରଭାଗରେ ରହି ନିର୍ବାଚନ ପରିଚାଳନା କରିବେ।

ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖ ଦିନ ଦିଂବଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଓ ତାଙ୍କ ପରିବାର ବିଜେଡିରେ ମିଶିବା ପରେ ବିଜେପୁର ରାଜନୀତି ସରଗରମ ହୋଇ ଉଠିଥିଲା। ବିଶେଷକରି ସେ ନିଜେ ନିର୍ବାଚନ ଲଢିବେ ବୋଲି ମନ୍ତବ୍ୟ ଦେବାପରେ ଅସନ୍ତୋଷ ତେଜିଥିଲା। ସୁବଳଙ୍କ ପରିବାର ବର୍ଗଙ୍କୁ ଯେପରି ଭାବେ ବିଜେଡିରେ ସାମିଲ କରାଯାଇଛି ଏଥିରୁ ବିଜେପୁର ନିର୍ବାଚନମଣ୍ଡଳୀର ନେତା ଓ କର୍ମୀଙ୍କୁ ଉପେକ୍ଷା କରାଯାଇଛି ବୋଲି କିଛି କର୍ମୀ ଗତକାଲି ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ଏକ ବୈଠକରେ ମତ ରଖିଥିଲେ। ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ହିଁ ଏହି ବୈଠକ ହୋଇଥିଲା। ଗୋଟିଏ ପଟେ ପ୍ରସନ୍ନଙ୍କ ମନ୍ତବ୍ୟ ଓ ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ବିଦ୍ରୋହ ସୃଷ୍ଟି ଲାଗି ଉଦ୍ୟମକୁ ଦୃଷ୍ଟିରେ ରଖି ନବୀନ ପ୍ରାର୍ଥିତ୍ୱ ନେଇ ବହୁ ଆଗରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବା କୁହାଯାଉଛି।

ତେବେ ପ୍ରଶ୍ନ ଉଠୁଛି, ବିଜେଡି ଏ ଅସନ୍ତୋଷକୁ ପ୍ରଶମିତ କରିବାରେ ସମର୍ଥ ହେବ ନା ବିରୋଧୀ ଏଥିରୁ ଫାଇଦା ନେବେ। ବିଜେଡି ନେତାମାନେ ସୁପ୍ରିମୋଙ୍କୁ ସମ୍ମାନ ଦେଇ ଦଳ ପାଇଁ କାମ କରିବେ ନା ଦଳ ଭିତରେ ରହି ଅନ୍ୟ ଦଳକୁ ଭୋଟ୍‌ ଠେଲିଦେବେ?

ସମ୍ବନ୍ଧିତ ଖବର