ପାଟନା: ବିହାରରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ଦେଇଛି ଆରଜେଡି। ମହାମେଣ୍ଟର ପ୍ରମୁଖ ସହଯୋଗୀ କଂଗ୍ରେସରୁ କୌଣସି ପ୍ରାର୍ଥୀଙ୍କୁ ନ ନେଇ ଆରଜେଡି ନିଜର ଦୁଇପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଏବେ କଂଗ୍ରେସରେ ଅସନ୍ତୋଷ ତୀବ୍ର ହୋଇଛି ।
ଆରଜେଡିର ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ରାଜ୍ୟସଭା ପ୍ରାର୍ଥୀଙ୍କର ଦୁଇନାମ ଘୋଷଣା କରିଥିଲେ। ଆରଜେଡି ପକ୍ଷରୁ ପ୍ରେମ ଚନ୍ଦ୍ର ଗୁପ୍ତା ଏବଂ ଅମରେନ୍ଦ୍ର ଧାରୀ ସିଂହଙ୍କୁ ରାଜ୍ୟସଭା ଲାଗି ଏଥର ପ୍ରାର୍ଥୀ କରାଯାଇଛି।
ଏହି ଘୋଷଣା ପରେ ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ଆରଜେଡି ଉପରେ ପ୍ରତିଶ୍ରୁତି ନ ରଖିବାର ଅଭିଯୋଗ ଆଣିଛନ୍ତି। ଖାଲି ସେତିକି ନୁହେଁ, ଏଥି ସହ ଏହି ନିଷ୍ପତ୍ତି ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରିଛି କଂଗ୍ରେସ ।
ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜ୍ୟସଭା ପାଇଁ ଆରଜେଡି ନିଜର ଦୁଇ ପ୍ରାର୍ଥୀ ଦେବା ମହାମେଣ୍ଟରେ ଏକ ନୂଆ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି ।
ବିହାର କଂଗ୍ରେସ ପ୍ରଭାରୀ ଶକ୍ତି ସିଂହ ଗୋହିଲ ତେଜସ୍ୱୀ ଯାଦବଙ୍କୁ ଚିଠି ଲେଖି କଂଗ୍ରେସକୁ ଏକ ଆସନରେ ସୁଯୋଗ ଦେବା ଲାଗି ଦେଇଥିବା ପ୍ରତିଶ୍ରୁତି ସଂପର୍କରେ ସ୍ମରଣ କରାଇଛନ୍ତି।
କଂଗ୍ରେସର ଜଣେ ନେତା ପ୍ରଶ୍ନ କରିଛନ୍ତି ଯେ, ଯଦି ବର୍ତ୍ତମାନ ତେଜସ୍ୱୀ ଯାଦବ ନିଜ ପ୍ରତିଶ୍ରୁତି ରକ୍ଷା କରିପାରିଲେ ନାହିଁ, ତେବେ ଆଗକୁ ତାଙ୍କ ଉପରେ କିପରି ବିଶ୍ୱାସ କରାଯିବ ? ପୂର୍ବରୁ ରାଜ୍ୟସଭା ପାଇଁ ଗୋଟିଏ ଆସନ କଂଗ୍ରେସକୁ ଦେବା ପାଇଁ ଆରଜେଡି ରାଜି ହୋଇଥିଲା, ହେଲେ ଏବେ ତାହାକୁ ରକ୍ଷା କରି ନାହାନ୍ତି ତେଜସ୍ୱୀ ଯାଦବ ବୋଲି ସେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/rahul-tejaswi.-india-today-jpg.jpeg)