କର୍ଣ୍ଣାଟକ ରାଜନୀତି ଓ ଶର୍ମା ଟ୍ରାନ୍ସପୋର୍ଟ ବସ

ବେଙ୍ଗାଲୁର: କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି। କେତେବେଳେ ଘଟଣା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଚାରିପଟେ ବୁଲୁଛି ତ କେତେବେଳେ ର କର୍ଣ୍ଣାଟକ ରାଜଭବନ ଚାରିପଟେ। ଏଭଳି ପରିସ୍ଥିତିରେ ନିଜ ନିଜ ଦଳର ବିଧାୟକମାନଙ୍କ ସଙ୍ଗଠିତ କରି ରଖିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ ନାକେଦମ ହୋାଇପଡ଼ିଛନ୍ତି। ବିଶେଷ କରି ସିଂହାସନ ପାଇଁ ଘୋଡ଼ା ବେପାର ହେବାର ଆଶଙ୍କା କରି ନିଜ ଦଳର ବିଧାୟକଙ୍କୁ ନେଇ କଂଗ୍ରେସ ଓ ଜେଡିଏସ ରାଜ୍ୟ ବାହାରେ ଛୁପାଇ ରଖିଥିଲେ ଓଏହାକୁ ଉଭୟ ଦଳର ମୁଖ୍ୟମାନେ ବେଶ ଗୋପନୀୟତାର ସହିତ ସଫଳ କରିବାରେ ଉଦ୍ୟମ କରିଛନ୍ତି। ତେବେ ବିଧାୟକଙ୍କ ଏହି ଅଜ୍ଞାତବାସରେ ଶର୍ମା ଟ୍ରାନ୍ସପୋର୍ଟ୍ସ ନାମକ ଏକ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। ଉଭୟ କଂଗ୍ରେସ ଓ ଜେଡିଏସ ସେମାନଙ୍କ ବିଧାୟକମାନଙ୍କୁ ରାଜ୍ୟ ବାହାରକୁ ପଠାଇବା ପାଇଁ ଶର୍ମା ଟ୍ରାନ୍ସପୋର୍ଟର ବସକୁ ବ୍ୟବହାର କରିଛନ୍ତି। ତେବେ କାହିଁକି ଏହି ଶର୍ମା ଟ୍ରାନ୍ସପୋର୍ଟ ବସ ଉଭୟ ବ୍ୟବହାର କରିଛନ୍ତି ତାକୁ ନେଇ ଏବେ କର୍ଣ୍ଣାଟକ ରାଜନୀତିରେ ଏକ ରୋଚକ ଆଲୋଚନା ହେଉଛି।


ଶର୍ମା ଟ୍ରାନ୍ସପୋର୍ଟ ହେଉଛି କଂଗ୍ରେସ ନେତା ସ୍ୱର୍ଗତ ଧନରାଜ ପରସମଲ ଶର୍ମା (ରାଜନୈତିକ ମହଲରେ ଡିପି ଶର୍ମା ନାମରେ ପରିଚିତ)ଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ସଂସ୍ଥା। ଏହି ସଂସ୍ଥାର ସମଗ୍ର ଦକ୍ଷିଣ ଭାରତରେ ବସ ଯୋଗାଯୋଗ ବ୍ୟବସ୍ଥା ରହିଛି। ଡିପି ଶର୍ମା ଗୁଜରାଟର ମୂଳ ବାସିନ୍ଦା ହୋଇଥିଲେ ମଧ୍ର ସେ ବ୍ୟବସାୟ ପାଇଁ କର୍ଣ୍ଣାଟକ ଆସିତିଲେ । ୧୯୮୦ ଦଶନ୍ଧିରେ ସେ କର୍ଣ୍ଣାଟକ ରାଜନୀତିରେ ସକ୍ରୀୟ ହୋଇଥିଲେ।ଏହି ସମୟରେ ସେ ଶର୍ମା ଟ୍ରାନ୍ସପୋର୍ଟ ପ୍ରତିଷ୍ଠା କରିଥିଲେ। ତେବେ ଦୁଇ ଦୁଇ ଥର କଂଗ୍ରେସ ଟିକେଟରେ ଲୋକସଭା ପାଇଁ ପ୍ରାର୍ଥୀ ହୋଇ ଶ୍ରୀ ଶର୍ମା ପରାଜିତ ହୋଇଥିଲେ। ୨୦୦୧ ମସିହାରେ ତାଙ୍କ ପରଲୋକ ପରେ ତାଙ୍କ ବଡ଼ ପୁଅ ସୁରେଶ ଶର୍ମା ‘ଶର୍ମା ଟ୍ରାନ୍ସପୋର୍ଟ’ ବ୍ୟବସାୟ ବୁଝିବା ସହିତ କର୍ଣ୍ଣାଟକ ପିସିସିର ସମ୍ପାଦକଭାବେ କାର୍ଯ୍ୟ କରିଥିଲେ। ୨୦୧୬ରେ ସୁରେଶ ଶର୍ମାଙ୍କ ପରଲୋକ ପରେ ତାଙ୍କ ସାନଭାଇ ସୁନୀଲ ଶର୍ମା ବ୍ୟବସାୟ ସମ୍ଭାଳୁଛନ୍ତି। ତେବେ ଶର୍ମା ପରିବାର କଂଗ୍ରେସ ଅନୁଗତ ହୋଇଥିାରୁ ଉଭୟ ଜେଡିଏସ ଓ କଂଗ୍ରେସ ଦଳ ଗୋପନୀୟତା ରହିବା ବିଶ୍ୱାସରେ ଶର୍ମା ଟ୍ରାନ୍ସପୋର୍ଟକୁ ବ୍ୟବହାର କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର