ତେଜିଲା ରାଉରକେଲା ରାଜନୀତି, ବିଜେପିକୁ ଧକକା

ଦିଲ୍ଲୀପଙ୍କ ସମର୍ଥନରେ ବାହାରିଲେ ବିଜୟ, ବଡ଼ ଧରଣର ବିଭାଜନ ଘଟାଇପାରନ୍ତି ୨ ନେତା

ଭୁବନେଶ୍ବର : ରାଉରକେଲା ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ହସ୍ପିଟାଲ ପ୍ରସଙ୍ଗ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ସ୍ଥାନୀୟ ବିଜେପି ବିଧାୟକ ଦିଲ୍ଲୀପ ରାୟ ଏହି ପ୍ରସଙ୍ଗକୁ ନେଇ ଗତକାଲି ନିଜର ଅସନ୍ତୋଷ ପୁଣି ଥରେ ଓଗାଳିବା ସହିତ କେନ୍ଦ୍ର ନିକଟରେ ଶେଷ ଥର ପାଇଁ ଫେରାଦ ହେବେ ବୋଲି କହିଥିଲେ। କେବଳ ସେତିକି ନୁହେଁ, ଦଳରୁ ଦୂରେଇଯିବା ନେଇ ପରୋକ୍ଷରେ ସଙ୍କେତ ଦେଇଥିଲେ। ଏହି ଘଟଣା ରାଜ୍ୟ ବିଜେପିକୁ ଅକଳରେ ପକାଇ ଦେଇଛି। କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟ-କେନ୍ଦ୍ର ମଧ୍ୟରେ ତୁ ତୁ ମେ ମେ ଚାଲିଥିବା ବେଳେ ଖୋଦ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ନ ହେବା ନେଇ ନିଜ ଦଳର ବିଧାୟକଙ୍କ ଅଭିଯୋଗ ନିର୍ବାଚନ ସମୟରେ ମହଙ୍ଗା ପଡିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖିଛନ୍ତି। ରାଜ୍ୟ ବିଜେପି ନେତାମାନେ ଏହାକୁ ହାଲୁକା ଭାବେ ନେବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ବିଜେପି ନେତା ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ପ୍ରସଙ୍ଗଟିକୁ ନୂଆ ମୋଡ ଦେଇଛି। ଦିଲ୍ଲୀପଙ୍କୁ ଖୋଲା ସମର୍ଥନ ଦେଇଛନ୍ତି ବିଜୟ।

ଆଜି ଗଣମାଧ୍ୟମକୁ ଶ୍ରୀ ମହାପାତ୍ର କହିଛନ୍ତି, ଦିଲ୍ଲୀପ ଯେଉଁ ପ୍ରଶ୍ନ ଉଠାଇଲେ ତାହାର ଯଥାର୍ଥତା ରହିଛି । ବହୁ ଆଗରୁ ସରକାର ଓ ଦଳ ଏ ବାବଦରେ ଚିନ୍ତା କରିବାର କଥା । ଏବେ ବହୁତ ବିଳମ୍ବ ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତିର ନିଜ ବିଷୟରେ ନିଷ୍ପତି ନେବାର ସ୍ୱାଧୀନତା ଅଛି। ବିଧାୟକ ଅପମାନିତ ଅନୁଭବ କରିଥିବେ, ତେଣୁ ଏମିତି କହିଛନ୍ତି । ଆଗକୁ ଆଲୋଚନା ଭିତ୍ତିରେ କିଛି ନିଷ୍ପତ୍ତି ହେବ ବୋଲି ତାଙ୍କର ସଙ୍କେତ ଆଗକୁ ବିଜେପିରେ ବଡ଼ ବିଭାଜନ ଆଶଙ୍କାକୁ ଦ଼ୃଢୀଭୂତ କରିଛି। ଦିଲ୍ଲୀପ ରାୟଙ୍କ ସହିତ ବିଜୟ ମହାପାତ୍ର ଓ ବିଭିନ୍ନ ଜିଲ୍ଲାର ଅସନ୍ତୁଷ୍ଟ ନେତାମାନେ ବିଜେପି ଛାଡିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏହା ଯଦି ବାସ୍ତବ ରୂପ ନିଏ, ତେବେ ନିର୍ବାଚନ ବର୍ଷରେ ବିଜେପି ବିଜେଡିକୁ ମାତ୍ ଦେବା ଲାଗି ବଢିବା ବଦଳରେ ଛି଼ଡିବା ବା ବିଭାଜନ ହେବା ଦଳ ପାଇଁ ମହଙ୍ଗା ପଡିପାରେ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। ସେପଟେ ଆଜି ଦିଲ୍ଲୀପ ସୋସିଆଲ ମିଡିଆରେ ପୁଣି ଥରେ ନିଜର ଅସନ୍ତୋଷ ଝାଡିଛନ୍ତି। କହିଛନ୍ତି, ଅକ୍ଳାନ୍ତ ପରିଶ୍ରମ ଓ ସଚ୍ଚୋଟତା ସତ୍ୱେ କୌଣସି ସୁଫଳ ନମିଳିବା ତାଙ୍କୁ ଅତ୍ୟଧିକ ନିରାଶ କରିଛି । ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ।

ଉଲ୍ଲେଖଥାଉକି, ବିଜେପି ନେତା ଗୋଲକ ମହାପାତ୍ର ଆଜି ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ଦଳ ପାଇଁ କେହି ଅଲୋଡା ନୁହେଁ । କାହାକୁ ଅପମାନିତ କରିନି ବିଜେପି । ଦଶ ବର୍ଷ ଧରି ୟୁପିଏ ସରକାର ଟେଣ୍ଡର କରିକି ମଧ୍ୟ ବ୍ରାହ୍ମଣୀ ସେତୁ କରିନଥିଲେ । ସେତେବେଳେ ଏ ବନ୍ଧୁମାନେ କଣ କରୁଥିଲେ? ମୋଦୀ ସରକାର ଆସିବା ପରେ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ କାମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର