ଭ୍ରଷ୍ଟାଚାରୀଙ୍କୁ ଗାଦିଚ୍ୟୁତ କରିବାକୁ ଆହ୍ଵାନ

ସମତାକ୍ରାନ୍ତି ଦଳର ବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ରାଜ୍ୟରେ ବିଜେଡି ସରକାର ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ସରକାର। ସିଏଜି ତାଙ୍କ ରିପୋର୍ଟରେ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣି ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛନ୍ତି। ଲୁହାପଥର, କୋଇଲା, ବକ୍ସାଇଟ୍‌ଠାରୁ ଆରମ୍ଭ କରି ଚିଟଫଣ୍ଡ ଦୁର୍ନୀତିରେ ସରକାରୀ ଦଳର ବହୁ ମନ୍ତ୍ରୀ, ସାଂସଦ ଓ ବିଧାୟକ ସଂପୃକ୍ତ ଅଛନ୍ତି। ତେଣୁ ରାଜ୍ୟରୁ ଭ୍ରଷ୍ଟଚାରୀ ବିଜେଡି ଦଳକୁ ଗାଦିଚ୍ୟୁତ କରିବା ପାଇଁ ଜନସାଧାରଣଙ୍କୁ ଆହ୍ଵାନ କରିଛି ସମତାକ୍ରାନ୍ତି ଦଳ।

ଆଜି ରୋଟାରି ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରତିଷ୍ଠାତା ବ୍ରଜ କିଶେର ତ୍ରିପାଠୀ କହିଲେ, ଖଣି ଦୁର୍ନୀତିରେ ସାହା କମିସନଙ୍କ ରିପୋର୍ଟରେ ସିବିଆଇ ତଦନ୍ତ ସୁପାରିସ୍‌ ଉପରେ ରାଜ୍ୟ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ତେଣୁ ଏନ୍‌ଡିଏ ଓ ବିଜେଡି ସରକାର ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ଏହା ପ୍ରମାଣିତ କରୁଛି।

ସେହିପରି କେନ୍ଦ୍ର ସରକାରଙ୍କ ଚଳିତ ଆର୍ଥିକ ବର୍ଷର ବଜେଟ ଦିଗହରା ଓ ଚିରାଚରିତ ବଜେଟ୍‌। ଆଗାମୀ ଦିନରେ ଏହା ଦେଶରେ ଅତ୍ୟଧିକ ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ବୃଦ୍ଧି କରିବ। ରାଜ୍ୟର ଅନ୍ୟ ଛୋଟ ଦଳମାନେ ଏକାଠି ହେଇପାରିଲେ ଦୁର୍ନୀତିମୁକ୍ତ କାର୍ଯ୍ୟକ୍ଷମ ଶାସନ ହେବାରେ ସଫଳ ହୋଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ଦଳର ମୁଖ୍ୟ ସଂଯୋଜକ ଯଜ୍ଞେଶ୍ୱର ବାହୁ କହିଲେ, ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ବିଦ୍ୟୁତ ଶକ୍ତି, ପିଇବା ପାଣି ଭଳି ଯୋଜନା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦଳର ବରିଷ୍ଠ ନେତା ପ୍ରଶାନ୍ତ ମିଶ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପଞ୍ଚାନନ ମିଶ୍ର, ସୁରେନ୍ଦ୍ର ନାଥ ଦାଶ, ସରୋଜ ବେହେରା, ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଭାତ ସାମନ୍ତରା, ଗୟାଧର ମଲ୍ଲିକ, ଗୋପାଳ ମିଶ୍ର ଓ ଧୀରେନ୍‌ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର