ଝାଡ଼ଖଣ୍ଡରୁ ସମ୍ବିତ୍‌ ହେବେ ରାଜ୍ୟସଭା ପ୍ରାର୍ଥୀ!

ନୂଆଦିଲ୍ଲୀ : ବିଜେପିର ଜାତୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର ଝାଡ଼ଖଣ୍ଡରୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ହେବା ଚର୍ଚ୍ଚା ଜୋର୍‌ ଧରିଛି। ଆସନ୍ତାମାସରେ ୧୬ଟି ରାଜ୍ୟରେ ୫୮ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ଦଳର ସାଧାରଣ ସମ୍ପାଦକ, ଜାତୀୟ ଉପସଭାପତି ଏବଂ ଜାତୀୟ ପ୍ରବକ୍ତାମାନଙ୍କ ମଧ୍ୟରୁ ପ୍ରାର୍ଥୀ ଚୟନ କରାଯିବା ପାଇଁ ବିଜେପିର ଯୋଜନା ଥିବାରୁ ସମ୍ବିତ୍‌ଙ୍କ ପ୍ରାର୍ଥିତ୍ୱ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଝାଡ଼ଖଣ୍ଡରେ ୨ଟି ରାଜ୍ୟସଭା ଆସନ ପାଇଁ ଭୋଟ୍‌ ହେବାକୁ ଥିବାବେଳେ ସଂଖ୍ୟା ଦୃଷ୍ଟିରୁ ବିଜେପିର ଜଣେ ପ୍ରାର୍ଥୀ ଜିଣିବାର ସମ୍ଭାବନା ରହିଛି। ତେବେ ସେଠାରେ ପ୍ରାର୍ଥୀ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେଇନାହାନ୍ତି। ଅପରପକ୍ଷେ, ୨୦୧୯ ନିର୍ବାଚନରେ ଓଡ଼ିଶା ପ୍ରତି ବିଜେପି ଯଥେଷ୍ଟ ଫୋକସ୍‌ କରୁଥିବା ଯୋଗୁଁ ସମ୍ବିତଙ୍କୁ ଝାଡ଼ଖଣ୍ଡରୁ ପ୍ରାର୍ଥୀ କରାଯିବା ଶୁଣାଯାଉଛି। ସମ୍ପ୍ରତି ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୨ ଜଣ ଥିବାବେଳେ ଆଉଜଣେ ଓଡ଼ିଆଙ୍କୁ ରାଜ୍ୟସଭା ପଠାଇ ବିଜେପି ଓଡ଼ିଶାବାସୀଙ୍କୁ ଏକ ନୂଆ ବାର୍ତ୍ତା ଦେବାର ପ୍ରୟାସ କରିବ। ସୂଚନା ଥାଉ କି, ୨୦୧୦ରେ ପ୍ରଥମେ ବିଜେପି ଦିଲ୍ଲୀ ଶାଖାର ମୁଖପାତ୍ର ସାଜି ପରେ ଜାତୀୟ ମୁଖପାତ୍ର ହୋଇଥିବା ଡା. ପାତ୍ର ଏବେ ଗଣମାଧ୍ୟମରେ ଜଣେ ଚର୍ଚ୍ଚିତ ଚେହେରା ।

ସମ୍ବନ୍ଧିତ ଖବର