ଭୁବନେଶ୍ବର: ବିଜେଡିର ପ୍ରତିଷ୍ଠା ଦିବସରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡିରୁ ବିତାଡିତ ହୋଇଥିବା ବରିଷ୍ଠ ନେତା ଡା.ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଆଜି ପ୍ରତିଷ୍ଠା ଦିବସ ସଭାମଞ୍ଚରେ ଦେଖିବାକୁ ମିଳିଛି । ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠିକ୍ ପଛପଟେ ସମ୍ବିତଙ୍କୁ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ରାଜନୈତିକ ବିଶ୍ଲେଷକଙ୍କୁ ମଧ୍ୟ ବିସ୍ମିତ କରିଛି । କାରଣ ଦାମ ଦଳରୁ ବିଦା ହେବା ପରେ କହିଥିଲେ ତାଙ୍କ ପୁଅ ତାଙ୍କ ସାଥୀରେ ଅଛି । ସେ ଅଶୋକ ଦାସ କି କଳ୍ପତରୁ ଦାସଙ୍କ ପୁଅ ନୁହେଁ ସେ ଦାମ ରାଉତର ପୁଅ ବୋଲି  କହିଥିଲେ । ଏପରିକି ପୁଅ ସମ୍ବିତ ତାଙ୍କ ସହ ସବୁବେଳେ ଅଛି ବୋଲି ବୟାନ ଦେଇଥିଲେ । କିନ୍ତୁ ଆଜିର ଏହି ଚିତ୍ର ଭିନ୍ନ କିଛି ବୟାନ କରୁଛି ।
Advertisment
କୁହାଯାଏ ରାଜନୀତିରେ ସବୁ କିଛି ସମ୍ଭବ। ଏଠାରେ ସର୍ମ୍ପକ କିଛି ମାନେ ରଖେନା । ବୋଧହୁଏ ଠିକ୍ ସେହି ଫର୍ମୁଲାକୁ ଆପଣାଇଛନ୍ତି ପୁଅ ସମ୍ବିତ ରାଉତରାୟ । ଗୋଟିଏ ପଟେ ବାପା ଦାମ ରାଉତ ଦଳ ଗଢି ନବୀନଙ୍କୁ ଟାର୍ଗେଟ କରିବାକୁ ଭୁଲୁ ନଥିବା ବେଳେ ଅନ୍ୟପଟେ ପୁଅ ସମ୍ବିତ  ନବୀନ ସରକାରର ସଫଳତା ବଖାଣୁଛନ୍ତି ।  ସମ୍ବିତ ନବୀନଙ୍କୁ ନିଜର ନେତା ମାନିବା ସହ ୨୦୧୯ରେ ନବୀନଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଥିବା କହିଛନ୍ତି । କିନ୍ତୁ ଅନ୍ୟପଟେ ଦାମ ୨୦୧୯ରେ ନବୀନଙ୍କୁ ଶାସନରୁ ହଟାଇବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ।
publive-image
ପାରାଦ୍ୱୀପ ଆସନରୁ ଦାମ ଲଢିବାକୁ କହୁଥିବା ବେଳେ ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଯଦି ସମ୍ବିତଙ୍କୁ ଦଳ ପ୍ରାର୍ଥୀ କରେ ତେବେ ତାଙ୍କ ବିପକ୍ଷରେ ନିର୍ବାଚନ ଲଢିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ ।
ଗତବର୍ଷ ମଧ୍ୟ ଯେତେବେଳେ ଦାମ ଦଳରେ ଥିଲେ ସେତେବେଳେ ପ୍ରତିଷ୍ଠା ଦିବସ ସଭାରେ ତାଙ୍କୁ ଦେଖିବାକୁ ମିଳିନଥିଲା । ପୁରୀରେ ପ୍ରତିଷ୍ଠା
ଦିବସ ପାଳନ ହେଉଥିଲେ ମଧ୍ୟ ଦାମ ପିପିଲି ପାଖରୁ ଫେରି ଆସିଥିଲେ । ସେତେବେଳେ ପୁଅ ସମ୍ବିତ ରାଉତରାୟ ପାରାଦ୍ୱୀପ ନିର୍ବାଚନମଣ୍ଡଳୀରୁ କର୍ମୀଙ୍କୁ ଧରି ପୁରୀ ସଭା ଯାଇଥିଲେ । ଆଉ ଏହା ଭିତରେ ଗୋଟିଏ ବର୍ଷ ବିତିଯାଇଛି । ଆଉ ସମୟର କାଳଚକ୍ରରେ ଦାମଙ୍କୁ ବିଜେଡିରୁ ବିତାଡିତ ହେବାକୁ ପଡିଛି । କିନ୍ତୁ ବୋଧହୁଏ ପୁଅ ସମ୍ବିତ ରାଉତରାୟ ନିଜର ରାଜନୈତିକ ଭବିଷ୍ୟତ ପାଇଁ ବିଜେଡିରୁ ମୁହଁ ଫେରାଇ ପାରୁନାହାନ୍ତି । ଆଉ ପ୍ରତିଷ୍ଠା ସଭାରେ ଯୋଗ ଦେଇ ବାପାଙ୍କ  କଥାକୁ ଭୁଲ ପ୍ରମାଣିତ କରିଛନ୍ତି ।