ଶରଦ ଯାଦବଙ୍କୁ ଝଟ୍‌କା: ନୀତୀଶଙ୍କୁ ମିଳିଲା ପ୍ରକୃତ ଜେଡି(ୟୁ)ର ମାନ୍ୟତା

ଦଳକୁ ତୀର ଚିହ୍ନ ବି ସ୍ୱୀକୃତି ଦେଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ବିହାର ରାଜନୀତିରେ ସଂଯୁକ୍ତ ଜନତା ଦଳ ବା ଜେଡି(ୟୁ)କୁ ଆଜି ଏକ ନିର୍ଣ୍ଣାୟକ ମୋଡ଼ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ପରିଚାଳିତ ଗୋଷ୍ଠୀ ହିଁ ପ୍ରକୃତ ଜେଡି(ୟୁ) ବୋଲି ଆଜି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ସେହିପରି ନୀତୀଶଙ୍କ ଗୋଷ୍ଠୀ ମଧ୍ୟ ଦଳର ନିର୍ବାଚନୀ ସଂକେତ ‘ତୀର’ ଚିହ୍ନକୁ ବ୍ୟବହାର କରିପାରିବେ ବୋଲି ଆୟୋଗ କହିଛନ୍ତି। ଏହାଦ୍ୱାରା ବରିଷ୍ଠ ନେତା ଶରଦ ଯାଦବଙ୍କ ଗୋଷ୍ଠୀକୁ ଶକ୍ତ ଧକ୍କା ଲାଗିଛି। ନିର୍ବାଚନ ଆୟୋଗଙ୍କ କହିବା କଥା, ନୀତୀଶଙ୍କ ନେତୃତ୍ୱରେ ପରିଚାଳିତ ଗୋଷ୍ଠୀ ହିଁ ବିଧାନସଭାରେ ଉଲ୍ଲେଖନୀୟ ସଂଖ୍ୟାଗରିଷ୍ଠ ପ୍ରତିନିଧିତ୍ୱ କରୁଛି। ସେହିପରି ଦଳର ଶୀର୍ଷ କାର୍ଯ୍ୟକାରିଣୀ ଜାତୀୟ ପରିଷଦରେ ମଧ୍ୟ ନୀତୀଶଙ୍କ ଗୋଷ୍ଠୀ ଅନୁରୂପ ସମର୍ଥନ ହାସଲ କରିଛି। ସୁତରାଂ ତାଙ୍କ ଗୋଷ୍ଠୀ ହିଁ ପ୍ରକୃତ ଜେଡି(ୟୁ) । ଏଥି ସହିତ ବିହାରରେ ଏକ ମାନ୍ୟତାପ୍ରାପ୍ତ ଦଳୀୟ ସଂକେତ ‘ତୀର’ ଚିହ୍ନକୁ ମଧ୍ୟ ନୀତୀଶଙ୍କ ଗୋଷ୍ଠୀ ବ୍ୟବହାର କରିପାରିବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

ଉଲ୍ଲେଖ ଥାଉ କି, ବିହାରରେ ମେଣ୍ଟ ସରକାର ଗଢ଼ିଥିବା ନୀତୀଶ କୁମାର ଗତ ଜୁଲାଇ ୨୭ ତାରିଖରେ ଲାଲୁପ୍ରସାଦ ଯାଦବଙ୍କ ଆର୍‌ଜେଡି ଏବଂ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ବିଜେପି ସହ ହାତ ମିଳାଇ ପୁଣି ମନ୍ତ୍ରୀମଣ୍ଡଳ ଗଢ଼ିବାକୁ ଆଗେଇ ଆସିଥିଲେ। ତେବେ ଏହାଦ୍ୱାରା ନୀତୀଶ ଦଳର ଜାତୀୟ କାର୍ଯ୍ୟନିର୍ବାହୀ ନିଷ୍ପତ୍ତିକୁ ଅବମାନନା କରି ଦଳବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ଶରଦ ଅଭିଯୋଗ ଆଣିଥିଲେ। ଫଳରେ ବିହାରରେ ଜେଡି(ୟୁ) ଦୁଇ ଫାଳ ହୋଇଯାଇଥିଲା। ତେବେ ଶରଦଙ୍କ ନେତୃତ୍ୱରେ ପରିଚାଳିତ ଗୋଷ୍ଠୀ ପ୍ରକୃତ ଜେଡି(ୟୁ) ବୋଲି ଶରଦ ଦାବି କରି ଆସୁଥିଲେ। ଏପରିକି ତାଙ୍କ ଗୋଷ୍ଠୀକୁ ପ୍ରକୃତ ଦଳର ମାନ୍ୟତା ଏବଂ ଦଳୀୟ ସଂକେତ’ତୀର’ ଚିହ୍ନ ମିଳିବା ଲାଗି ସେହି ଗୋଷ୍ଠୀର କାର୍ଯ୍ୟକାରୀ ସଭାପତି ଛୋଟୁଭାଇ ଅମରସଙ୍ଗ ବାସବ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜିର ରାୟ ପରେ ନୀତୀଶଙ୍କ ଗୋଷ୍ଠୀ ଖୁସି ମନାଉଥିବା ବେଳେ ଶରଦଙ୍କ ଶିବିରରେ ହତାଶା ଖେଳିଯାଇଛି।

ସମ୍ବନ୍ଧିତ ଖବର