ଭୁବନେଶ୍ୱର: ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଆଜି  ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନିକଟକୁ ପଠାଇ ଦେଇଛି। ସମ୍ଭାବ୍ୟ ପ୍ରାର୍ଥୀମାନଙ୍କର ଭାଗ୍ୟ ବସ୍ତୁତଃ ବର୍ତ୍ତମାନ ହାଇକମାଣ୍ଡଙ୍କ ହାତରେ।

Advertisment

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଆଜି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ବୈଠକ ବସି ଆଗାମୀ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଚୂଡାନ୍ତ କରି ଏଆଇସିସି ନିକଟକୁ ପଠାଇ ଦିଆଯାଇଛି। ଏଆଇସିସି ସ୍କ୍ରିନିଂ କମିଟି ଏହି ତାଲିକା ଯାଞ୍ଚ କରି ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବେ। ତା’ପରେ ଏହା ପ୍ରକାଶ କରାଯିବ।

ରାଜ୍ୟ କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ‘ସମ୍ବାଦ ଡଟ୍‌-ଇନ୍‌ ’କୁ  କହିଛନ୍ତି ଯେ, ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଦିଲ୍ଲୀ ପଠାଯାଇଛି। ବୈଠକରେ ମହିଳା ଓ ଯୁବ ପ୍ରାର୍ଥୀମାନଙ୍କୁ ଅଧିକ ପ୍ରତିନିଧିତ୍ୱ ଦେବା ପାଇଁ ମତ ପ୍ରକାଶ ପାଇଥିଲା। ତେବେ, ବିଜୟ ସମ୍ଭାବନାକୁ ସର୍ବାଗ୍ରେ ଦୃଷ୍ଟି ଦିଆଯାଇଛି।

publive-image

ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ, ସବୁ ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରାର୍ଥୀଙ୍କର ନାମ ଏହି ତାଲିକାରେ ରହିଛି। ତେବେ ସ୍କ୍ରିନିଂ କମିଟି ଏହି ତାଲିକା ଯାଞ୍ଚ କରି ଚୂଡାନ୍ତ କରିବ। ଆସନ୍ତା ୧୫-୧୬ ତାରିଖ ବେଳକୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି।

ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, ଜିଲ୍ଲା ସ୍ତରୀୟ କମିଟି ପଠାଇଥିବା ନାଁ ଉପରେ ପ୍ରାଧାନ୍ୟ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ବିଦାୟୀ ବିଧାନସଭାର ସମସ୍ତ ଦଳୀୟ ସଭ୍ୟ ଓ ଦଳର କେତେକ ବରିଷ୍ଠ ନେତାମାନଙ୍କ ସମେତ ୪୪ତମ ପ୍ରାର୍ଥୀଙ୍କର ତାଲିକା ଚୂଡାନ୍ତ ହୋଇଥିଲା। ତେବେ, ଆଜିକାର ବୈଠକରେ ମଧ୍ୟ ସେହି ତାଲିକା ଉପରେ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ମୋହର ଲଗାଇଛି।

ଆଜିକାର ବୈଠକରେ ରାଜ୍ୟ ପ୍ରଭାରୀ ଜୀତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରଦେଶ ନିର୍ବାଚନ କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ।

ଦଳୀୟ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା ଭୁବନେଶ୍ୱରଠାରେ  ଚାଲିଥିବାରୁ ଏଠାରେ ଆଶାୟୀମାନଙ୍କର ପ୍ରବଳ ଭିଡ ଲାଗି ରହିଥିଲା। ଆଜି ଏହି ପ୍ରକିୟା ଦିଲ୍ଲୀକୁ ସ୍ଥାନାନ୍ତରିତ ହେବା ପରେ ଏଠାରେ ଭିଡ କମିଯିବାର ଆଶା କରାଯାଏ।