ବିଜେପିର ନୀତିଗତ ଆଦର୍ଶ କ’ଣ ଏବେ ରାଜ୍ୟବାସୀ ଜାଣିବେ: ବିଜେଡି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମାଲାର ତଦନ୍ତ ପାଇଁ ପୁଲିସ ବ୍ୟସ୍ତ ରହୁଥିବା ବେଳେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଜୋରଦାର ବିବାଦ ଦେଖିବାକୁ ମିଳୁଛି। ରାଜ୍ୟ ବିଜେପି ଜଣେ ହତ୍ୟାକରୀଙ୍କୁ ସମର୍ଥନ କରୁଛି ବୋଲି ବୁଧବାର ବିଜେଡି ଅଭିଯୋଗ ଆଣିଛି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୁଧବାର ବରିଷ୍ଠ ବିଜେଡି ନେତା ସୁବାସ ସିଂ କହିଛନ୍ତି, ହତ୍ୟାକାଣ୍ଡ ଓ ଗୋଲକଙ୍କ ପଛରେ ବଡ଼ ବଡ଼ ନେତାଙ୍କ ହାତ ରହିଛି।

ହତ୍ୟା ଘଟଣାରେ ବିଜେପି ନେତାଙ୍କ ସମ୍ପୃକ୍ତି ନେଇ ବିଜେଡି କହିଛି, ଗୋଲକ ମହାପାତ୍ର ଦୋଷୀ ବୋଲି ଆମେ କହିନାହୁଁ। କିନ୍ତୁ ଅଭିଯୁକ୍ତ କ’ଣ ପାଇଁ ଫୋନ୍‌ କରିଥିଲେ ଗୋଲକ କହିନାହାନ୍ତି। ବିଜେଡ଼ି କହିଛି ଗୋଲକ ମହାପାତ୍ରଙ୍କୁ ଗିରଫ ପାଇଁ ଆମେ କହି ନାହୁଁ। ବିଜେପି ଭୟଭୀତ ହୋଇଛି ଓ ଯିଏ ଦୋଷୀ ସେ, ନିଶ୍ଚିତ ଭାବରେ ଦଣ୍ଡ ପାଇବ ବୋଲି ବିଜେଡି କହିଛି।

ସୂଚନାଯୋଗ୍ୟ, ହତ୍ୟାକାଣ୍ଡ ସହିତ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ଗୋଲକ ମହାପାତ୍ରଙ୍କ ନାମ ନେବା ପରେ ମଙ୍ଗଳବାର ଛତ୍ରପୁର ପୁଲିସ ନୋଟିସ୍‌ ଜାରି କରିଥିଲା। ନୋଟିସ ଅନୁସାରେ ଗୋଲକ ବୁଧବାର ଅପରାହ୍ନରେ ଛତ୍ରପୁର ଥାନାରେ ପହଞ୍ଚି ଥିଲେ। ପୁଲିସ ୨ଟି ପର୍ଯ୍ୟାୟରେ ଗୋଲକଙ୍କୁ ଜେରା କରିଛି। ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ ୧ଟା ୧୦ରୁ ୨ଟା ୧୦ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନରେ ୨ଘଣ୍ଟା ୧୩ ମିନିଟ ଜେରା କରାଯାଇଥିବା ଜଣାପଡ଼ିଛି। ଗୋଲକ ମହାପାତ୍ରଙ୍କୁ ପୁଲିସ ୧୬୧ରେ ବୟାନ ରେକର୍ଡ କରିଛି।

ନୋଟିସ୍‌ ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗୋଲକ ମହାପାତ୍ର ଦଳୀୟ କର୍ମୀଙ୍କ ସହିତ ଥାନା ପରିସରରେ ପହଞ୍ଚିଥିଲେ। ସେଠାରେ ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ମହାପାତ୍ର, ଅତିରିକ୍ତ ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ, ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ, ଆଇଆଇସି ବିଷ୍ଣୁ ପ୍ରସାଦ ଓ ହାଇକୋର୍ଟ ଓକିଲ ପାର୍ଥ ସାରଥୀ ନାୟକଙ୍କ ଉପସ୍ଥିତିରେ ଗୋଲକଙ୍କୁ ଜେରା କରାଯାଇଥିଲା।

ସମ୍ବନ୍ଧିତ ଖବର