‘ହତ୍ୟା ଅଭିଯୁକ୍ତ’ କହିଥିବାରୁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଓକିଲ ନୋଟିସ୍‌ ପଠାଇଲେ ଶଶି ଥରୁର୍‌ : ୪୮ ଘଣ୍ଟା ମଧ୍ୟରେ କ୍ଷମା ମାଗନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ବୁଧବାର କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏକ ଓକିଲ ନୋଟିସ୍‌ ପଠାଇଛନ୍ତି। ରବିଶଙ୍କର ତାଙ୍କୁ ଜଣେ ‘ହତ୍ୟା ଅଭିଯୁକ୍ତ’ ବୋଲି କହିବା ପରେ ୪୮ ଘଣ୍ଟା ମଧ୍ୟରେ ସେ ତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରି ଶଶି ଥରୁର ନୋଟିସ୍‌ ଜାରି କରିଛନ୍ତି।

ଥରୁରଙ୍କ କହିବା ମୁତାବକ ତାଙ୍କୁ ବଦନାମ କରିବା ପାଇଁ ରବିଶଙ୍କର ପ୍ରସାଦ ସର୍ବସାଧାରଣରେ ତାଙ୍କ ସଂପର୍କରେ ମିଛ କହୁଛନ୍ତି। ଯଦି ରବି ଶଙ୍କର ଦିଆ ଯାଇଥିବା ସମୟ ଭିତରେ କ୍ଷମା ନମାଗନ୍ତି ତେବେ ସେ ଆଇନ୍‌ ଜରିଆରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧମକ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି କହିଥିଲେ କି ‘ମୋଦି ହେଉଛନ୍ତି ଶିବଲିଙ୍ଗ ଉପରେ ବସିଥିବା ବିଛା ସଦୃଶ। ଯାହାକୁ ତୁମେ ହାତରେ କାଢ଼ିପାରିବ ନାହିଁ କିମ୍ବା ଚପଲ ମାରି ବାହାର ବି କରିପାରିବ ନାହିଁ।’

ଏହାର ଉତ୍ତରରେ ରବି ଶଙ୍କର ପ୍ରସାଦ ଟୁଇଟ୍‌ କରି କହିଥିଲେ କି ‘ଶଶି ଥରୁର୍‌ ଯିଏକି ଜଣେ ହତ୍ୟା ଅଭିଯୁକ୍ତ, ଶିବଙ୍କୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି। ନିଜକୁ ଶିବ ଭକ୍ତ ବୋଲାଉଥିବା ରାହୁଲ ଗାନ୍ଧୀଙ୍କଠାରୁ ମୁଁ ଏହାର ଉତ୍ତର ଚାହୁଁଛି। ଶିବଙ୍କୁ ଅପମାନିତ କରୁଥିବା ତାଙ୍କ ଦଳର ଏହି ସାଂସଦଙ୍କ ତରଫରୁ ସେ ସମସ୍ତ ହିନ୍ଦୁଙ୍କୁ କ୍ଷମା ମାଗନ୍ତୁ।’

ସମ୍ବନ୍ଧିତ ଖବର