ନୂଆଦିଲ୍ଲୀ: ଆଜି କଂଗ୍ରେସରେ ଯୋଗ ଦେବା ପରେ ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ବିହାରର ପାଟନା ସାହିବ ଲୋକସଭା ଆସନରୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ଆଜି ବିଧିବଦ୍ଧ ଭାବେ ସେ କଂଗ୍ରେସରେ ସାମିଲ ହେବା ପରେ, ଦଳ ପକ୍ଷରୁ ତାଙ୍କୁ ପାଟନା ସାହିବ ଆସନରୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସରେ ମିଶିବା ପରେ ସିହ୍ନା କହିଛନ୍ତି କଂଗ୍ରେସରେ ରହି ଲୋକଙ୍କ ପାଇଁ କାମ କରିବି । ପୂର୍ବରୁ ମଧ୍ୟ ସେ କହିସାରିଥିଲେ ଯେ ପରିସ୍ଥିତି ଯାହା ବି ହେଉ, ନିଜ ସ୍ଥାନରୁ ହିଁ ସେ ଲଢ଼ିବେ। ଅର୍ଥାତ ପାଟଣା ସାହିବରୁ କଂଗ୍ରେସ ଟିକଟରୁ ନିର୍ବାଚନ ଲଢିବା ପାଇଁ ସେ ଇସାରା ଦେଇଥିଲେ ।
ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ସିହ୍ନା ଗତ କିଛି ଦିନ ହେବ ବିଜେପିରେ ଥିଲେ ବି ଦଳ ବିରୋଧୀ ମନ୍ତବ୍ୟ ଦେଇଆସୁଥିଲେ । ଗତବର୍ଷ ବିଜେପି ତରଫରୁ ଶତ୍ରୁଘ୍ନ ସିହ୍ନାଙ୍କୁ ପାଟନା ସାହିବରୁ ଟିକେଟ୍ ଦିଆଯାଇଥିବା ବେଳେ ଚଳିତଥର କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାର୍ଟି ପାଟନା ସାହିବରୁ ପ୍ରାର୍ଥୀ କରାଯାଇଛି । ତେବେ ବିଜେପିରେ ଥିଲା ସମୟରେ ମଧ୍ୟ ସିହ୍ନା କଂଗ୍ରେସ ଅଧ୍ୟକ୍ଷଙ୍କର କେତେକ ସ୍ଥାନରେ ପ୍ରଶଂସା କରିଥିଲେ । ସେ କଂଗ୍ରେସର ନ୍ୟାୟ ଯୋଜନାକୁ ମାଷ୍ଟର ଷ୍ଟ୍ରୋକ୍ ବୋଲି ମଧ୍ୟ କହିଥିଲେ ।