ଶିବସେନାର ଘୋଷଣା: ଦଶହରା ପରେ ଅଯୋଧ୍ୟାରେ କରିବ ର‍୍ୟାଲି

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦଶହରା ପରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ ରାମ ମନ୍ଦିର ପ୍ରସଙ୍ଗକୁ ନେଇ ସହଯୋଗୀ ଦଳ ବିଜେପିର ଆଲୋଚନା କରିଛନ୍ତି। ରାଜ୍ୟସଭା ସାଂସଦ କହିଛନ୍ତି, ଠାକରେ ଅକ୍ଟୋବର ୧୯ରେ ମୁମ୍ବାଇରେ ହେବାକୁ ଥିବା ପାର୍ଟିର ବାର୍ଷିକ ଦଶହରା ର‍୍ୟାଲିରେ ନିଜ ଗସ୍ତ ତାରିଖ ଘୋଷଣା କରିବେ। ସେ କହିଛନ୍ତି, ଶିବସେନା ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗକୁ ସବୁବେଳେ ସମର୍ଥନ ଜଣାଇ ଆସୁଛି। ୪ ବର୍ଷ କ୍ଷମତାରେ ରହିବା ପରେ ବିଜେପି ଏଠାରେ ଭବ୍ୟ ରାମମନ୍ଦିର ନିର୍ମାଣ କରିବା ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହିଁ। ଠାକରେ ଏଠାରେ ବୁଧବାର ସନ୍ଧ୍ୟାରେ ରାମ ଜନ୍ମଭୂମି ନ୍ୟାସ ପ୍ରମୁଖ ଜନ୍ମେଜୟ ସରଣଙ୍କୁ ଭେଟିଛନ୍ତି।

ସରଣଜୀ ମହାରାଜ ଠାକରେଙ୍କୁ ଅଯୋଧ୍ୟା ଯିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ଓ କହିଛନ୍ତି, ନ୍ୟାସକୁ ରାମମନ୍ଦିର ନିର୍ମାଣରେ ଶିବସେନାର ସହଯୋଗ ଦରକାର ଅଛି। ଶିବସେନାର ବରିଷ୍ଠ ନେତା ଅରବିନ୍ଦ ସାଓ୍ଵନ୍ତ କହିଛନ୍ତି, କ୍ଷମତାସିନ ଏନଡିଏ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଲୋକଙ୍କୁ ୩ଟି ପ୍ରତିଶ୍ରୁତି ଦେଇଥିଲା। ଏହି ୩ଟି ପ୍ରସଙ୍ଗ ଥିଲା ସମ୍ବିଧାନର ଧାରା ୩୭୦, ଅଯୋଧ୍ୟାରେ ରାମମନ୍ଦିର ଓ କଶ୍ମୀର ପ୍ରସଙ୍ଗ।

 

ସମ୍ବନ୍ଧିତ ଖବର