ଶକ୍ତି ପରୀକ୍ଷା ଦେବାକୁ ଡରୁଛନ୍ତି କମଲନାଥ: ବିଜେପି ନେତା ଶିବରାଜ ସିଂହ ଚୌହାନ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର କମଲନାଥ ସରକାର ବିଧାନସଭାରେ ଶକ୍ତି ପରୀକ୍ଷା ଦେବାକୁ ରାଜ୍ୟପାଳ ଲାଲାଜୀ ଟଣ୍ଡନ ନିର୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କମଲନାଥ ଏହା କରିବାକୁ ଡରୁଛନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବା ବାଚସ୍ପତିଙ୍କର କାମ। କିନ୍ତୁ ସେ ଏଥିଲାଗି ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି ଶିବରାଜ ସିଂହ ଚୌହାନ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କମଲନାଥଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇଛି। ମଧ୍ୟପ୍ରଦେଶରେ ବିଜେପିର ସରକାର ଗଠିତ ହେବ ବୋଲି କହିଛନ୍ତି। ବେଙ୍ଗାଲୁରୁରେ ବିଦ୍ରୋହୀ ବିଧାୟକଙ୍କୁ ବନ୍ଦୀ କରି ରଖାଯାଇଥିବା ଖବରକୁ ଶିବରାଜ ସିଂହ ଚୌହାନ ଅସ୍ବୀକାର କରିଛନ୍ତି। କ୍ଷମତା ଚାଲିବା ଭୟରେ ମୁଖ୍ୟମନ୍ତ୍ରୀ କମଲନାଥ ଏକଥା କହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ୧୫ ମାସର କମଲ ନାଥ ସରକାର ସଂକଟରେ ପଡ଼ିଯାଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ‌ଯୋଗ ଦେବା ପରେ ତାଙ୍କ ସମର୍ଥକ ବିଧାୟକ ଏବଂ ମନ୍ତ୍ରିମଣ୍ଡଳର ୬ ଜଣ ସଦସ୍ୟ ଇସ୍ତଫା ଦେଇଥିଲେ। ଯଦି ସମସ୍ତ ବିଧାୟକଙ୍କ ଇସ୍ତଫା ଗ୍ରହଣ କରାଯାଏ ତେବେ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ସଂଖ୍ୟାଲଘୁରେ ପରିଣିତ ହୋଇଯିବ।

image source–one india

ମଧ୍ୟପ୍ରଦେଶର ମୋଟ ୨୩୦ ବିଧାନସଭା ଆସନ ମଧ୍ୟରୁ କମଲନାଥ ସରକାରଙ୍କ ନିକଟରେ ୧୨୦ ବିଧାୟକ ଥିଲେ। ଯଦି ୨୨ ବିଧାୟକଙ୍କ ଇସ୍ତଫା ଗ୍ରହଣ ହୋଇଯାଏ, କମଲନାଥ ସରକାରଙ୍କ ନିକଟରେ ବିଧାୟକଙ୍କ ସଂଖ୍ୟା ୯୮ ହୋଇଯିବ। ବିଦ୍ରୋହୀ ବିଧାୟକଙ୍କ ସଂପର୍କରେ ଆଜି ବାଚସ୍ପତି ଯେଉଁ ନିଷ୍ପତ୍ତି ନେବେ ସେହି ଆଧାରରେ ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। କଂଗ୍ରେସର ବିଧାୟକମାନେ ଜୟପୁରରୁ ଭୋପାଳ ଫେରିବା ପରେ ସେମାନଙ୍କର କରୋନା ଭାଇରସ ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର