ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଉଦ୍‌ଯାପିତ : ରାଜ୍ୟ ସରକାରଙ୍କ ପ୍ରତାରଣା ଓ ଦୁର୍ନୀତିକୁ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ବର, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଉଦ୍‌ଯାପିତ ହୋଇଛି। ବି‌େଜପିର ମିସନ୍ ୧୨୦+ ହାସଲ କରିବାକୁ ଦଳ ପକ୍ଷରୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ଦୀର୍ଘ ସମୟ ଧରି ବରିଷ୍ଠ କର୍ମକର୍ତ୍ତାମାନେ ବସି ମାନସ ମନ୍ଥନ କରିଛନ୍ତି। ଏଥିରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରି ରାଜ୍ୟ ସରକାରଙ୍କ ପ୍ରତାରଣା ଓ ଦୁର୍ନୀତିକୁ ଦଳ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ହୋଇଛି। ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାରୁ ଏହି କାର୍ଯ୍ୟକାରିଣୀକୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି।

ଏହି ପ୍ରସ୍ତାବରେ ମୁଖ୍ୟତଃ ୫ଟି ଯୋଜନାରେ ପ୍ରତାରଣା ଓ ୧୬ଟି ମେଗା ଦୁର୍ନୀତି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରାଯାଇଛି। ଆୟୁଷ୍ମାନ ଯୋଜନା ଲାଗୁ ନ କରିବା, ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ଯୁବ ବାହିନୀ, ଆମ ଗାଁ ଆମ ବିକାଶ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରତାରଣା ଆଦିକୁ ପ୍ରସଙ୍ଗ କରିବ ବିଜେପି। ଏସବୁ ଦ୍ବାରା ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଛନ୍ତି ବୋଲି ଦଳ ଆରୋପ ଲଗାଇଛନ୍ତି। ସେହିପରି କାର୍ଯ୍ୟକାରିଣୀରେ ଅଭିଯୋଗ ହୋଇଥିଲା, ବିଜେଡି ସରକାର ଅନେକ ମହାଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି। ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ଏହା ମଧ୍ୟରୁ କିଛି ବଡ଼ ଦୁର୍ନୀତିକୁ ସରକାରଙ୍କ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରିବ ବିଜେପି। ଚାରା ଦୁର୍ନୀତି, ସମବାୟ ଦୁର୍ନୀତି, ପିସି ଦୁର୍ନୀତି, ଧାନ କିଣାରେ ଦୁୂର୍ନୀତି, ଜଳସେଚନ ଦୁର୍ନୀତି, ଅଙ୍ଗନବାଡ଼ି ଛତୁଆ ଦୁର୍ନୀତି, ମନରେଗା ଦୁର୍ନୀତି, ଡାଲି ଦୁର୍ନୀତି ଆଦିରେ ସରକାର କିପରି ଲିପ୍ତ ରହି ରାଜକୋଷକୁ ଲୁଟିଛନ୍ତି, ସେ ସମ୍ପର୍କରେ ବିଜେପି ଲୋକଙ୍କୁ ବୁଝାଇବ। ସାଧାରଣ ନିର୍ବାଚନରେ ଏହା ଦଳର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ନିଷ୍ପତ୍ତି ହୋଇଥିଲା।

ଆୟୁଷ୍ମାନ ‌ଭାରତ ଯୋଜନାକୁ ରାଜ୍ୟରେ ଲାଗୁ ନ କରିବା ଓ ପେ‌େଟ୍ରାଲ ଦର କେନ୍ଦ୍ର ସରକାର କମାଇ ସାରିଲା ପରେ ବି ରାଜ୍ୟ ସରକାର ନ କମାଇବା ହେଉଛି ଓଡ଼ିଆ ଲୋକଙ୍କୁ ସରକାରଙ୍କ ପ୍ରତାରଣା। ଏହି ପ୍ରସଙ୍ଗରେ ଦଳ ତା’ର ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ମତପ୍ରକାଶ ପାଇଥିଲା। ରାଜ୍ୟ ସରକାରକୁ ଭ୍ରଷ୍ଟ ଓ ଅପାରଗ ବୋଲି କହି କାର୍ଯ୍ୟକର୍ତ୍ତାମାନେ ଏହାକୁ ହଟାଇବ‌ା ଲ‌ାଗି ସଂକଳ୍ପ ନେଇଥିଲେ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର କାର୍ଯ୍ୟକାରିଣୀ ବୈଠକକୁ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଉଦ୍‌ଘାଟନ କରିଥିଲେ। ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ‌ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗୋ, ପ୍ର‌ତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ସମୀର ମହାନ୍ତି, ପୃଥ୍ବୀରାଜ ହରିଚନ୍ଦନ ଓ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଶୋକପ୍ରସ୍ତାବ ଆଗତ କରିଥିଲା ବେଳେ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ।

ସମ୍ବନ୍ଧିତ ଖବର