ନୂଆଦିଲ୍ଲୀ: ଆମ ମନରେ ଗୋଟେ ଧାରଣା ରହିଛି ଯେ ଅଭିନେତାଅଭିନେତ୍ରୀମାନେ ହେଉଛନ୍ତି ଧନୀ ଶ୍ରେଣୀର, ଭଲ ରୋଜଗାର କରନ୍ତି । ମାତ୍ର ମନେରଖନ୍ତୁ ଯେ ସେମାନେ ପ୍ରଥମ ଦିନରୁ ତାରକା ପାଲଟି ନଥାନ୍ତି। ଆପଣ ଜାଣନ୍ତି ଯେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବି ପ୍ରଥମରୁ ଜଣେ କଳାକାର ଥିଲେ। ସେ ଟେଲି-ଧାରାବାହିକରେ ଅଭିନୟ କରି ଖ୍ୟାତି ଅର୍ଜନ କରିବା ପରେ ଯାଇ ରାଜନୀତିରେ ପ୍ରବେଶ କରିଥିଲେ।
ସ୍ମୃତି ନିକଟରେ ଏକ ସାକ୍ଷାତ୍କାରରେ ତାଙ୍କ ସଂଘର୍ଷ ସମୟର କଥା ସବୁ ମନେ ପକାଇଛନ୍ତି। ଆରଜେ ନୀଲେଶ ମିଶ୍ରଙ୍କ ସହ ବାର୍ତ୍ତାଳାପରେ ସ୍ମୃତି କହିଛନ୍ତି ଯେ ଏକଦା ତାଙ୍କ ମେକଅପ୍ ମ୍ୟାନ୍ କାର୍ରେ ଆସୁଥିବା ବେଳେ ସେ ଅଟୋରେ ଆସି ସୁଟିଂ ସେଟ୍ରେ ପହଞ୍ଚୁଥିଲେ। ଯେଉଁ କାରଣରୁ ମେକ୍ଅପ୍ ମ୍ୟାନ୍ ଥରେ ତାଙ୍କୁ କହିଥିଲେ, ‘ଗୋଟେ କାର୍ କିଣନ୍ତୁ। ମୁଁ କାର୍ ଚଲାଉଥିବା ବେଳେ ତୁଳସୀ ଭାବି (ଧାରାବାହିକରେ ସ୍ମୃତି ନିଭାଉଥିବା ଚରିତ୍ର) ଅଟୋରେ ଅସୁଥିବାର ଦେଖି ମୋତେ ଲାଜ ଲାଗୁଛି’।
ଏକ୍ତା କପୁରଙ୍କ ସୋ’ ‘କ୍ୟୁଁକି ଶାଶ୍ ଭି କଭି ବହୂ ଥି’ ଧାରାବାହିକରେ ମୁଖ୍ୟ ଚରିତ୍ର ତୁଳସୀ ଭାବି ଭୂମିକା ନିଭାଇ ସ୍ମୃତି ଘରେ ଘରେ ପରିଚିତ ଥିବା ବେଳେ ଦିନକୁ ମାତ୍ର ପାଉଥିଲେ ୧୮୦୦ ଟଙ୍କା। ସେହି ସମୟରେ ସେ ବାହା ହୋଇଥିବା ଜୁବିନ୍ ପାଉଥିଲେ ଦିନକୁ ୩୦,୦୦୦ ଟଙ୍କା।
ଖାଲି ସେତିକି ନୁହେଁ, ମାସକୁ ୧୫୦୦ଟଙ୍କା ପାରିଶ୍ରମିକରେ ସ୍ମୃତି ମୁମ୍ବାଇରେ ମ୍ୟାକ ଡୋନାଲ୍ଡ ଆଉଟଲେଟରେ ସଫେଇ କାମ ବି କରିଛନ୍ତି। ଏହା ମଧ୍ୟରେ ବି ସେ ମନୋବଳ ହାରି ଦେଇ ନଥିଲେ। ସପ୍ତାହକୁ ୬ ଦିନ କାମ କରିବା ପରେ ବାକି ଗୋଟାଏ ଦିନ ସେ ଅଡିସନ୍ ଦେବାକୁ ଯାଉଥିଲେ ଓ ଶେଷରେ ତାଙ୍କ ପରିଶ୍ରମ ଫଳ ଦେଲା। ସେ ଏକ ଲୋକପ୍ରିୟ ଧାରାବାହିକର ପ୍ରିୟ ଚରିତ୍ର ବନିପାରିଲେ।