ସୋନିଆ ଗାନ୍ଧି ନିଜେ ପ୍ରଧାନମନ୍ତ୍ରୀ ନ ହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି: ଜୟଦେବ ଜେନା

ଭୁବନେଶ୍ୱର: ସୋନିଆ ଗାନ୍ଧି ନିଜେ ପ୍ରଧାନମନ୍ତ୍ରୀ ନ ହୋଇ ପ୍ରଧାନମନ୍ତ୍ରୀ ତିଆରି କରନ୍ତି ବୋଲି ଓଡ଼ିଶା କଂଗ୍ରେସ ପ୍ରଦେଶ କମିଟି (ପିସିସି)ର ପୂର୍ବତନ ସଭାପତି ଜୟଦେବ ଜେନା ନିଜର ପ୍ରତିକ୍ରିୟା ଦେଇଛନ୍ତି। ସୋନିଆ ଗାନ୍ଧି ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷ ହେବାକୁ ରାଜି ହେବା ପ୍ରସଙ୍ଗରେ ଜୟଦେବ କହିଛନ୍ତି, ଏହା ଐତିହାସିକ ବିଜୟ। ସମସ୍ତେ ଆଶା କରୁଥିଲେ ଯେ, ସୋନିଆ ଗାନ୍ଧି ଦାୟିତ୍ୱ ନେଲେ କଂଗ୍ରେସ ପୂର୍ବ ଅବସ୍ଥାକୁ ଫେରି ଆସିବ। ତାଙ୍କ ନେତୃତ୍ୱରେ କଂଗ୍ରେସକୁ ନୂତନ ଦିଗ୍‌ଦର୍ଶନ ମିଳିବ। କଂଗ୍ରେସକୁ ନେଇ ବିରୋଧୀଙ୍କ ଯେଉଁ ଭାବନା ଥିଲା, ତାହା ଆଉ କାମ କରିବ ନାହିଁ। କାରଣ ସୋନିଆ ପୂରା ଦେଶର କଥା ଚିନ୍ତା କରିବେ।

ଓଡ଼ିଶାରେ କଂଗ୍ରେସ ସ୍ଥିତି ନେଇ ଜୟଦେବ କହିଛନ୍ତି, ଯାହାକୁ ଦାୟିତ୍ୱ ମିଳିବ, ତାଙ୍କ ଅଧିନରେ ଆମେ କାମ କରିବୁ। ବିରୋଧୀ ଭାବୁଥିଲେ ଯେ, ଗାନ୍ଧି ପରିବାର ଗଲେ କଂଗ୍ରେସ ବିଭାଜନ ହେବ। କଂଗ୍ରେସର କମାଣ ସୋନିଆଙ୍କ ହାତକୁ ଆସିବା ପରେ ବିରୋଧୀମାନେ ଭୟଭୀତ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ରାଜନୀତିରେ ଜଣାଶୁଣା ନେତ୍ରୀ ସୋନିଆ ଗାନ୍ଧିଙ୍କୁ କଂଗ୍ରେସ ଶନିବାର ବିଳମ୍ବିତ ରାତି ଅନ୍ତରୀଣ ଅଧ୍ୟକ୍ଷ ପଦରେ ନିଯୁକ୍ତ କରିଛି। ସୋନିଆ ଗାନ୍ଧିଙ୍କୁ ପୁଣି ଥରେ କଂଗ୍ରେସର ନେତୃତ୍ୱ ମିଳିବା ପରେ ରାଜନୈତିକ ମହଲରେ ଅନେକ ଆଲୋଚନା ଓ ସମାଲୋଚନା ହେଉଛି।

ସମ୍ବନ୍ଧିତ ଖବର