ବିଜେଡିରେ ମିଶିଲେ ସୌମ୍ୟରଞ୍ଜନ, ଅଚ୍ୟୁତ

ଭୁବନେଶ୍ୱର : ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍‌ ହୋଇଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ। ସୌମ୍ୟରଞ୍ଜନଙ୍କୁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ ତାଙ୍କ ଯୋଗଦାନ ଦଳ ପାଇଁ ମୂଲ୍ୟବାନ ହେବ ବୋଲି କହିଥିଲେ। ସେହିପରି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଶ୍ରୀ ସାମନ୍ତଙ୍କ ଯୋଗଦାନ ବିଜେଡି ପାଇଁ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜେଡିରେ ଯୋଗଦାନ ପରେ ଗଣମାଧ୍ୟମକୁ ସୌମ୍ୟରଞ୍ଜନ କହିଥିଲେ, କୌଣସି ସର୍ତ୍ତ ରଖି ମୁଁ ବିଜେଡିରେ ଯୋଗ ଦେଇନାହିଁ। ୨୩ ବର୍ଷ ତଳେ ବିଜୁ ବାବୁଙ୍କ ବିରୋଧରେ ମୁଁ ଭୁବନେଶ୍ୱର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିଲି। ବିଜୁ ବାବୁ ଜିତିଲା ପରେ ମୋତେ ବ୍ୟକ୍ତିଗତ ଭାବେ ଡାକିଥିଲେ ଓ ତାଙ୍କ ସହ ଯୋଗଦେବାକୁ କହିଥିଲେ। ଆଜି ୨୩ ବର୍ଷ ତଳେ ତାଙ୍କ ନାମରେ ପ୍ରତିଷ୍ଠିତ ଦଳରେ ମୁଁ ଯୋଗ ଦେଉଛି। ମୁଁ ବିଚାର କରୁଛି, ଭାରତର ଓ ଓଡ଼ିଶାର ରାଜନୈତିକ ଅବସ୍ଥା ଯାହା, ସେଥିରେ ସବୁ ରାଜନୈତିକ ଶକ୍ତିମାନେ ବିଚାର ଅନୁସାରେ ସଂଗଠିତ ହେବା ଦରକାର। ବହୁ ପୂର୍ବରୁ କହିଛି, ବ୍ୟକ୍ତି ଓ ଦଳ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହନ୍ତି, ପ୍ରସଙ୍ଗ ଏବଂ ବିଚାର ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆଜି ଆମ ପାଖରେ ଦୁଇଟି ପ୍ରସଙ୍ଗ। ଦେଶ ପାଇଁ ଭାରତ ବିଚାରର ଗୋଟିଏ ପ୍ରସଙ୍ଗ ଉଠିଛି ଏବଂ ଓଡ଼ିଶା ପାଇଁ ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ ଓ ବିକାଶ କଥା ମଧ୍ୟ ଉଠିଛି। ମୁଁ ଭାବୁଛି, ଓଡ଼ିଶାର ସ୍ୱାର୍ଥ-ସ୍ୱାଭିମାନ ପାଇଁ ଛୋଟ ବଡ଼ ସବୁ ରାଜନୈତିକ ଶକ୍ତିମାନେ ନିଜ ନିଜ ଦୃଷ୍ଟିକୋଣରୁ ସଂଗଠିତ ହେବା ଦରକାର।

ଏବେ ଚାଷୀ, ଚିଟ୍‌ଫଣ୍ଡ୍‌ ଆଦି ପ୍ରସଙ୍ଗରେ ଆନ୍ଦୋଳନ ଜାରି ରହିବ କି ନାହିଁ ବୋଲି ଏକ ପ୍ରଶ୍ନରେ ସୌମ୍ୟରଞ୍ଜନ କହିଥିଲେ ଯେ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଆନ୍ଦୋଳନ ବନ୍ଦ ହେବାର ନାହିଁ। ଏହି ଆନ୍ଦୋଳନ ବ୍ୟକ୍ତି ଓ ଦଳ ବିରୋଧରେ ନୁହେଁ। ଏହା ଏକ ବିଚାର। ଯଦି ଓଡ଼ିଶାରେ କୃଷି ଓ କୃଷକ କେନ୍ଦ୍ରବିନ୍ଦୁରେ ନ ରହିବେ, ତେବେ ଓଡ଼ିଶାର ବିକାଶ ସବୁବେଳେ ଅଧୁରା ରହିବ। କେନ୍ଦ୍ର ସରକାରଙ୍କ ଦାୟିତ୍ୱ ପ୍ରାଇସ୍‌ ଓ ଅନ୍ୟ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର। ତେଣୁ ଏହି ଉଦ୍ୟମ ଜାରି ରହିବ। ସେହିପରି ଚିଟ୍‌ଫଣ୍ଡ୍‌ରେ ଯେଉଁମାନେ ଟଙ୍କା ହରାଇଛନ୍ତି, ସେମାନଙ୍କର ଅର୍ଥ କିପରି ଫେରସ୍ତ ମିଳିବ ସେ ନେଇ ସ୍ୱର ଉତ୍ତୋଳନ ହେବ।

‘ଆମ ଓଡ଼ିଶା ପାର୍ଟି’ ବିଜେଡିରେ ବିଲୀନ ହେଲା କି ବୋଲି ପ୍ରଶ୍ନରେ ସେ କହିଥିଲେ, ଆପାତତଃ ମିଶିଗଲା। ଏ ନେଇ ଆଗକୁ ଔପଚାରିକ ଭାବେ ଘୋଷଣା ହେବ।

ଅଚ୍ୟୁତ ସାମନ୍ତ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀରେ ମୁଁ ଅଭିଭୂତ। ତାଙ୍କ ସରଳତା, ନମ୍ରତା, ସାଧୁତା, ଜନହିତକର କାର୍ଯ୍ୟ ମୋତେ ଆକୃଷ୍ଟ କରିଛି। ମୁଁ ଆରମ୍ଭରୁ ସମାଜସେବା କାର୍ଯ୍ୟରେ ରହିଛି। ବିଜେଡିରେ ଯୋଗ ଦେଇ ସମାଜସେବାକୁ ଆହୁରି ତ୍ୱରାନ୍ଵିତ କରିବି।

ରାଜନୀତିକୁ ଆସିଲା ପରେ ସମାଜସେବା ପଥଭ୍ରଷ୍ଟ ହେବନି ତ ବୋଲି ପ୍ରଶ୍ନରେ ସେ କହିଥିଲେ, ମୋତେ ବୟସ ୫୦ ଟପିଲାଣି। ଏ ପର୍ଯ୍ୟନ୍ତ ପଥଭ୍ରଷ୍ଟ ହୋଇନି। ମୋର ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋର ସମାଜସେବା କାର୍ଯ୍ୟ ଆହୁରି ଦୃଢ଼ୀଭୂତ ହେବ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ବିଜୟଶ୍ରୀ ରାଉତରାୟ, ବିକ୍ରମ କେଶରୀ ଆରୁଖ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ନୃସିଂହ ସାହୁ, ନିରଞ୍ଜନ ପୂଜାରୀ, ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବେଦ ପ୍ରକାଶ ଅଗ୍ରଓ୍ଵାଲ, ହୃଷିକେଶ ନାଏକ, ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ, ଅରୁଣ ସାହୁ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମୀର ରଞ୍ଜନ ଦାଶ, ଅନୁଭବ ପଟ୍ଟନାୟକ, ପ୍ରଣବ କୁମାର ବଳବନ୍ତରାୟ ଓ ରାଜେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର