ଏନ୍‌ଡିଏରେ ବିଭାଜନ: ମୋଦିଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶ୍‌ଓ୍ଵାହ୍‌

ନୂଆଦିଲ୍ଲୀ: ପାର୍ଲାମେଣ୍ଟର୍‌ ଶୀତକାଳୀନ ଅଧିବେଶନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଧକ୍କା ଦେଇ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ମୁଖ୍ୟ ଉପେନ୍ଦ୍ର କୁଶ୍‌ଓ୍ଵାହ୍‌ ସୋମବାର ଦିନ ମାନବିକ ସମ୍ବଳ ବିକାଶ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି।

ଆଜି ମେଣ୍ଟର ବୈଠକରେ ଯୋଗ ଦେବେ ନାହିଁ ବୋଲି କହିବା ପରେ ସେ ନେସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଆନ୍‌ସ୍‌ (ଏନ୍‌ଡିଏ) ସହ ରହିବେ କି, ନାହିଁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା।

୨୦୧୯ ଲୋକସଭା ନିର୍ବାଚନରେ ଉପେନ୍ଦ୍ର କୁଶ୍‌ଓ୍ଵାହଙ୍କୁ ଦୁଇଟିରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦେବାକୁ ବିଜେପି ମନା କରିଦେବାରୁ ସେ ବିଜେପିର ବିରୁଦ୍ଧାଚରଣ କରି ଆସୁଥିଲେ। କିନ୍ତୁ, ବିଜେପି ତାଙ୍କ ଉପରେ ଗୁରୁତ୍ୱ ନ ଦେଇ ନୀତିଶ କୁମାରଙ୍କ ସହ ବୁଝାମଣା କରିବା ପରେ ବିଜେପି ଏବଂ ଜନତା ଦଳ (ୟୁନାଇଟେଡ୍‌) ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର କରିଥିଲା।

କୁଶ୍‌ଓ୍ଵାହ୍‌ କହି ଆସୁଥିଲେ କି, ତାଙ୍କ ଦଳକୁ ଯେତୋଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦିଆ ଯାଉଛି, ତାହା ସମ୍ମାନଜନକ ନୁହେଁ। ୨୦୧୯ ଲୋକସଭାରେ ତାଙ୍କ ଦଳକୁ ସମ୍ମାନଜନକ ଆସନ ଦିଆ ନ ଗଲେ ଏନ୍‌ଡିଏ ପ୍ରତି ଗୋଟାଏ ବଡ଼ ବିପଦ ଥିବା କଥା ସେ ସୂଚନା ଦେଉଥିଲେ।
ବିହାର ଲୋକସଭାକୁ ୪୦ ଜଣ ସାଂସଦ ପଠାଏ।

ସମ୍ବନ୍ଧିତ ଖବର