ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ : ସେପ୍ଟେମ୍ବର ୨୪ରୁ ସବୁ ନିର୍ବାଚନମଣ୍ଡଳୀରେ ସମାବେଶ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ସଙ୍ଗଠନକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ। ଲୋକଙ୍କ ଘରେ ପହଞ୍ଚି ପରିବାର ସହ ଯୋଡ଼ି ହେବାକୁ ପରାମର୍ଶ ଦିଆଯାଇଛି। ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ମହିଳା ଜନତା ଦଳର ସମାବେଶ ହେବ। ଅକ୍ଟୋବରରେ ହେବାକୁ ଥିବା ଦଳର ଜନସମ୍ପର୍କ ପଦଯାତ୍ରାରେ ଗୋଟିଏ ଦିନ କେବଳ ମହିଳାଙ୍କୁ ନେଇ ଆୟୋଜିତ ହେବ। ଏଥିସହ ବ୍ଲକରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ମହିଳାଙ୍କ ସୁବିଧା, ଅସୁବିଧା, ସେମାନଙ୍କ ପାଇଁ କରାଯାଇଥିବା ଯୋଜନା ସମ୍ପର୍କରେ ଅବଗତ କରାଇବାକୁ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଅଗଷ୍ଟ ୧୫ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ହେଲେ ମହିଳାଙ୍କ ପାଇଁ ଏହି ଯୋଜନାରେ ଆଉ ଦୁଇ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି। ଅକ୍ଟୋବର ୨ରୁ ରାଜ୍ୟ ସରକାର ନିଜର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ସବୁ ଯୋଜନାର ବାର୍ତ୍ତା ଓଡ଼ିଶାର ପ୍ରତି ଘରେ ଘରେ ପହଞ୍ଚାଇବା ପଡ଼ିବ। ବିଜୁ ଜନତା ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆପଣମାନେ ନିଜ ସ୍ତରରେ କାର୍ଯ୍ୟ ଜାରି ରଖନ୍ତୁ ବୋଲି ଦଳର ବ୍ଲକ/ଜିଲ୍ଲା ଓ ରାଜ୍ୟ ମହିଳା କର୍ମକର୍ତ୍ତାଙ୍କୁ କହିଛନ୍ତି।

ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିନିକିଆ ଅଧିବେଶନରେ ବିଜୁ ମହିଳା ଜନତା ଦଳର ଆଗାମୀ ଦିନରେ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିଲା। ଏଥିସହ ରାଜ୍ୟର ମହିଳାଙ୍କ ପାଇଁ ବିଜୁ ଜନତା ଦଳ ପ୍ରତିବଦ୍ଧତା ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର