ଭୁବନେଶ୍ୱର (ସରୋଜ ଦାଶ): ଦେଢ଼ ବର୍ଷରୁ କମ୍ ଅଛି ସାଧାରଣ ନିର୍ବାଚନ। ଦେଶର ସାଧାରଣ ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ। ଏହାକୁ ଆଖିଆଗରେ ରଖି ରାଜ୍ୟରେ ରାଜନୈତିକ ଦଳଗୁଡ଼ିକ ତତ୍ପର ହୋଇ ଉଠିଛନ୍ତି। ଶାସକ ବିଜୁ ଜନତା ଦଳ ୫ମ ଥର ପାଇଁ କ୍ଷମତାସୀନ ହେବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ତାକୁ ପ୍ରଚଣ୍ଡ ପ୍ରତିରୋଧ କରିବାକୁ ଅଣ୍ଟାଭିଡୁଛି ବିଜେପି। ମାତ୍ର ରାଜ୍ୟର ମୁଖ୍ୟ ବିରୋଧୀ ଦଳ କୁହାଯାଉଥିବା କଂଗ୍ରେସ ଦଳର ଏ ପର୍ଯ୍ୟନ୍ତ ଘର ସଜଡ଼ା ସରି ନାହିଁ। ଦୀର୍ଘ ଏକ ବର୍ଷ ହେବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପରିବର୍ତ୍ତନ ପାଇଁ ନେତାମାନେ ଦିଲ୍ଲୀ ଦୌଡ଼ୁଛନ୍ତି। ପ୍ରତିଥର ସେମାନଙ୍କୁ କେବଳ ଆଶ୍ୱାସନା ମିଳିଛି। ପରିସ୍ଥିତି ଏମିତି ହୋଇଛି ଯେ ବର୍ତ୍ତମାନ ଦଳରେ ନେତା ତ ଅଛନ୍ତି, କର୍ମୀମାନେ କିନ୍ତୁ ଅନ୍ୟ ଦଳକୁ ମୁହାଁଇଲେଣି। କେବଳ ସେତିକି ନୁହେଁ, ନୂଆ ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଉଭୟ ବିଜେଡି ଓ ବିଜେପି କସରତ ଆରମ୍ଭ କରି ଦେଇଥିବା ବେଳେ ରାଜ୍ୟ କଂଗ୍ରେସ ଏ କସରତ ଠାରୁ ଢ଼େର ପଛରେ ପଡ଼ିଯାଇଥିିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2018/01/congress-meeting-photo-9-300x200.jpg)
ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଜୟଦେବ ଜେନାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ବିଜେଡିର ମୁକାବିଲା କରିବାକୁ ଯାଇ ଚିଟ୍ପଟ୍ଟାଙ୍ଗ ହୋଇ ପଡ଼ିଥିଲା। ଯେଉଁ କେତେଜଣ କଂଗ୍ରେସ ନେତା ବିଧାୟକଭାବେ ନିବାଚିତ ହୋଇ ବିଧାନସଭାକୁ ଆସିଥିଲେ ସେମାନେ ଦଳୀୟ ସଙ୍ଗଠନ ଅପେକ୍ଷା ବ୍ୟକ୍ତିଗତ ସଙ୍ଗଠନ ଯୋଗୁଁ ସଫଳତା ପାଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଜୟଦେବ ଜେନାଙ୍କୁ ହଟାଇ ପ୍ରସାଦ ହରିଚନ୍ଦନଙ୍କ ମୁଣ୍ଡରେ ପିସିସି ଶିରପା ବନ୍ଧା ଯାଇଥିିଲା। ପ୍ରସାଦ ମଧ୍ୟ ଏବେ ରାଜ୍ୟ କଂଗ୍ରେସରେ ‘ମୁଁ ନୁହେଁ, ଆମେ’ ନୀତି ଚାଲିବ ବୋଲିି ଘୋଷଣା କରିଥିଲେ। ମାତ୍ର ବର୍ଷକ ମଧ୍ୟରେ ପ୍ରସାଦଙ୍କ ‘ମୁଁ ନୁହେଁ ଆମେ’ ନୀତି ହଜିଗଲା। ଦଳୀୟ ଶୃଙ୍ଖଳା କେବଳ ବିଶୃଙ୍ଖଳାର ରୂପ ନେଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦିନକୁ ଦିନ ଦଳୀୟକର୍ମୀ ସଂଖ୍ୟା ମଧ୍ୟ କମି କମି ଚାଲିଛି। ତେଣୁ ପ୍ରସାଦଙ୍କୁ ହଟାଇ ତାଙ୍କ ସ୍ଥାନରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେବା ପାଇଁ ସଂଖ୍ୟାଧିକ କଂଗ୍ରେସ ବିଧାୟକ ଓ ବହୁ ବରିଷ୍ଠ କଂଗ୍ରେସ ନେତା ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା ଓଡ଼ିଶା ପ୍ରସଙ୍ଗରେ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ନିକଟରେ ନିଜ ମତ ଉପସ୍ଥାପନ କରିଥିଲେ। ପର୍ଯ୍ୟବେକ୍ଷକମାନେ ଓଡ଼ିଶାରୁ ଫେରି ତତ୍କାଳୀନ କଂଗ୍ରେସ ଉପଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ସେମାନଙ୍କ ରିପୋର୍ଟ ଦେଇଥିଲେ।
/sambad/media/post_attachments/wp-content/uploads/2018/01/niranjan-300x167.jpg)
ଇତିମଧ୍ୟରେ ଉପାଧ୍ୟକ୍ଷରୁ ରାହୁଳ ଗାନ୍ଧୀ କଂଗ୍ରେସ ଦଳର ଅଧ୍ୟକ୍ଷ ହୋଇ ସାରିଛନ୍ତି। ମାତ୍ର ଓଡ଼ିଶା କଂଗ୍ରେସ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳ ହୋଇଛି ଯେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ଶୋଚନୀୟ ଭାବେ ରାଜ୍ୟରେ ତିନି ନମ୍ବର ସ୍ଥାନକୁ ଠେଲି ହୋଇ ଯାଇଛି। ତିନି ନମ୍ବର ସ୍ଥାନ ପରେ ଥିବା ବିଜେପି ନିଜ ସ୍ଥିତିରେ ବେଶ୍ ଉନ୍ନତି କରି ରାଜ୍ୟରେ ଦୁଇ ନମ୍ବର ସ୍ଥାନକୁ ଆସିଯିବା ସହିତ ବିଜେଡ଼ିକୁ କଡ଼ା ଟକ୍କର ଦେବା ପାଇଁ ଯୋଜନା ଆରମ୍ଭ କରିଛି।ସବୁ ବେଳେ ନୂଆ ଭୋଟରମାନେ ରାଜନୀତିରେ ଏକ ନିର୍ଣ୍ଣାୟକ ମୋଡ଼ର ମଙ୍ଗୁଆଳ ସାଜିଥାନ୍ତି। ବିଜୁ ଜନତା ଦଳ ପ୍ରତିଷ୍ଠା ଓ କ୍ଷମତାସୀନ ହେବା ସମୟରେ ରାଜ୍ୟରେ ଯେଉଁ ଶିଶୁମାନେ ଜନ୍ମ ଗ୍ରହଣ କରିଥିଲେ, ସେମାନେ ଆଜି ଭୋଟର ହୋଇ ସାରିଛନ୍ତି। ଦୀର୍ଘ ୧୮ ବର୍ଷ ହେବ ସେମାନେ କେବଳ ଗାଟଏ ରାଜନୈତିକ ଦଳର ସରକାର ଦେଖିଛନ୍ତି। ଅନ୍ୟ ରାଜନୈତିକ ଦଳଗୁଡ଼ିକ ପ୍ରତି ମୋନଙ୍କର ଆକର୍ଷଣ ରହିବା ସ୍ୱାଭାବିକ। ମାତ୍ର ବିରୋଧୀ କଂଗ୍ରେସ ଦଳ ଏହି ନୂଆ ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇ ନାହିଁ। ଅପରପକ୍ଷେ ନିଜ ଘର ସଜଡ଼ା ସରୁ ନ ଥିବାରୁ ଦଳୀୟ ନେତା ଓ କମୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ସ୍ଥାପନ ହୋଇ ପାରୁ ନାହିଁ। ନେତା କର୍ମୀଙ୍କ ପାଖରେ ପହଞ୍ଚି ପାରୁ ନଥିବା ଅଭିଯାଗ ହେଉଛି।ଫଳରେ ଦଳୀୟ କର୍ମୀମାନେ ନିଜକୁ ଅବହେଳିତ ମନେ କରୁଛନ୍ତିି। ଏ ପରିସ୍ଥିତିିରେ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ କିପରି ରାଜ୍ୟରେ ବର ଗଛର ରୂପ ନେଇ ସାରିଥିବା ବିଜେଡିକୁ ସାମ୍ନା କରିବ ସେ ନେଇ ରାଜନୈିତିକ ବିଶ୍ଳେଷକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି।