ଭୁବନେଶ୍ୱର : ଆଗାମୀ ହିନ୍ଦୋଳ ଏନ୍‌ଏସି ନିର୍ବାଚନକୁ କଳେବଳେ ହାତେଇବାକୁ ବିଜେଡି ଅର୍ଥ ଏବଂ ଦଳୀୟ ଟିକେଟର ପ୍ରଲୋଭନ ଦେଉଥିବାର ଗୁରୁତର ଅଭିଯୋଗ ଆଣିଛି ବିଜେପି। ହିନ୍ଦୋଳ ଏନ୍‌ଏସି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡିର ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ହିନ୍ଦୋଳର ବିଜେପି ଯୁବନେତା ଅଶୋକ ନାୟକଙ୍କୁ ପ୍ରଲୋଭିତ କରୁଥିବାର ଅଡିଓ ଟେପ୍‌ ଆଜି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଜାରି କରିଛନ୍ତି।

Advertisment

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଅଶୋକ ନାୟକଙ୍କ ପରିବାରର ହିନ୍ଦୋଳରେ ପ୍ରଭାବ ଥିବାରୁ ବିଧାୟକ ଶ୍ରୀ ବେହେରା ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରଭାବିତ କରିବାକୁ ଉଦ୍ୟମ କରିଛନ୍ତି। ଏହା ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ। ଏହାବାଦ୍‌ ପୂର୍ବରୁ ବିଧାୟକ ସୁଶାନ୍ତ ବେହେରା ଏବଂ ବିଧାୟିକା ସୀମାରାଣି ନାୟକଙ୍କ ବିରୁଦ୍ଧରେ ଥିବା ଶିଳ୍ପ ପ୍ରତିଷ୍ଠା ପାଇଁ ୫୦କୋଟି ଲାଞ୍ଚ ମାଗୁଥିବାର ଅଭିଯୋଗକୁ ବିଧାୟକ ଏହି ଅଡିଓ ଟେପ୍‌ରେ ରେକର୍ଡ ହୋଇଥିବା ବାର୍ତ୍ତାଳପରେ ସ୍ୱୀକାର କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଲାଞ୍ଚ ମାଗୁଥିବା ବିଧାୟକ ଓ ବିଧାୟିକାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଦାୟର କରିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଢେଙ୍କାନାଳ ଜିଲ୍ଲା ସଭାପତି ବିଭୁତି ପ୍ରଧାନ, ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।