କୋଲକାତାରେ ରାଜନୈତିକ ତାତି: ବିଜେପି ରାଲିରେ ପଥରମାଡ; ଟିଏମସି-ବିଜେପି କର୍ମୀ ମୁହାଁମୁହିଁ

କୋଲକାତା:କୋଲକାତାରୁ ପୁଣି ରାଜନୈତିକ ହିଂସାର ଖବର ଆସିଛି । ବିଜେପି-ଟିଏମସି କର୍ମୀ ମୁହାଁମୁହିଁ ହୋଇଛନ୍ତି ଏବଂ ବିଜେପି ରାଲିରେ ପଥରମାଡ ହୋଇଛି । ବିଜେପିର ରୋଡ ସୋ’ ବେଳେ ପଥରମାଡ ହେବା ପରେ ରାସ୍ତା ଉପରେ ଉଭୟ ଦଳର କର୍ମୀ ହଙ୍ଗାମା କରିଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ପରିସ୍ଥିତି ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ବିଜେପି ଓ ଟିଏମସିର କର୍ମକର୍ତ୍ତାଙ୍କ ମଧ୍ୟରେ ଜାରି ରହିଛି ରାଜନୈତିକ ଛକାପଞ୍ଝା ।

ତେବେ ଆଜି ସାଉଥ କୋଲକାତାରେ ତୃଣମୂଳ କଂଗ୍ରେସରୁ ଆସି ବିଜେପିରେ ସଦ୍ୟ ମିଶିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଏକ ରୋଡ ସୋ’ ହେଉଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ଯୋଗ ଦେଇଥିଲେ । ଆଉ ଏତିକି ବେଳେ ଟିଏମସି ମହିଳା ମୋର୍ଚ୍ଚା ପକ୍ଷରୁ କଳାପତାକା ଦେଖାଯାଇଥିଲା । ଯାହା ପରେ ଆରମ୍ଭ ହୋଇଯାଇଥିଲା ତୁମୁଳକାଣ୍ଡ । ରାସ୍ତା ଉପରେ ହିଁ ବିଜେପି- ଟିଏମସି କର୍ମୀ ଉଭୟ ଉଭୟଙ୍କ ଉପରକୁ ପଥରମାଡ କରିଥିଲେ । ଖାଲି ସେତିକି ନୁହେଁ, ରାସ୍ତା ଉପରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଏଭଳି ଭୟଙ୍କର ସ୍ଥିତି ଦେଖି ବାଟରେ ଯାଉଥିବା ଲୋକ ଭୟଭୀତ ବି ହୋଇଯାଇଥିଲେ।

ସେପଟେ ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢିବେ ବୋଲି ଘୋଷଣା କରିଛନ୍ତି । ସଜସଜ ଟିଏମସିକୁ ଟାଟା କରି ବିଜେପିରେ ମିଶିଥିବା ଟିଏମସିର ପୁରୁଖା ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ମମତା ଲଢିବେ । ଗୋଟିଏ ପଟେ ମମତାଙ୍କ ଘୋଷଣା ଆଉ ଅନ୍ୟପଟେ ଶୁଭେନ୍ଦୁଙ୍କ ରାଲିରେ ପଥରମାଡ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର