ଏ କାହାଣୀ ଯେତିକି ରୋମାଞ୍ଚକର, ସେତିକି କରୁଣ। ଏହା ଅନ୍ୟ ନିର୍ବାଚନ କାହାଣୀଠାରୁ ଭିନ୍ନ। ଏଇଥିପାଇଁ ଯେ, ଏଥି ସହିତ ଯୋଡ଼ାହୋଇ ରହିଛି ଭାରତର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାଜୀବ ଗାନ୍ଧୀଙ୍କ ଜୀବନର ଶେଷ ଦୁଇଦିନର ସ୍ମୁତି। ମସିହା ୧୯୯୧। ଲୋକସଭା ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର। ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରୁଥାନ୍ତି ଓଡ଼ିଶାର ପ୍ରଖ୍ୟାତ ଶିକ୍ଷାବିତ୍, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଇତିହାସକାର ପ୍ରଫେସର ମନ୍ମଥନାଥ ଦାସ।
ପ୍ରଫେସର ଦାସ ଜନ୍ମଗ୍ରହଣ କରିଥିଲେ୧୯୨୪ ମସିହା ଜାନୁଆରି ୫ ତାରିଖରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅନ୍ତର୍ଗତ ଶଙ୍ଖାରି ଗାଁରେ । ତାଙ୍କର ଚାକିରିକାଳ ମଧ୍ୟରେ ସେ ଡକ୍ଟର ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ଭଳି ରାଜ୍ୟର ବହୁ ତୁଙ୍ଗ ରାଜନୈତିକ ନେତାଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ ମଧ୍ୟ ସେପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ ପ୍ରସଙ୍ଗକୁ ଏଡ଼ାଇ ଆସିଥିଲେ। ମାତ୍ର ୧୯୯୧ ଏପ୍ରିଲ ୨୦ ତାରିଖରେଏକ ଅଦ୍ଭୁତ ଘଟଣା ଘଟିଲା। ସେଦିନ ସନ୍ଧ୍ୟାରେ ସେ ତତ୍କାଳୀନ କଂଗ୍ରେସ ସଭାପତି ରାଜୀବ ଗାନ୍ଧୀଙ୍କ ଠାରୁ ସିଧାସଳଖ ଫୋନ୍ ପାଇଲେ। ଫୋନ୍ରେ ରାଜୀବ ଗାନ୍ଧିଙ୍କ କଣ୍ଠସ୍ୱର- ‘‘ଦାସ୍ଜୀ, ୟୁ ଆର୍ ମାଇଁ ପର୍ସନାଲ୍ କ୍ୟାଣ୍ଡିଡେଟ୍ ଟୁ ଲୋକ୍ସଭା ଫ୍ରମ୍ ଭୁବନେଶ୍ୱର। ପ୍ଲିଜ୍ ଗିଭ୍ ଇଓର କନ୍ସେଣ୍ଟ୍। ଆଇ ସାଲ୍ ଟେକ୍ ଚାର୍ଜ ଅଫ୍ ଇଓର୍ ଇଲେକ୍ସନ୍।’’
/sambad/media/post_attachments/wp-content/uploads/2019/04/manmathnath-das.jpg)
ମନ୍ମଥନାଥଙ୍କ ମନରେ ଦ୍ଵିଧା ଓ ଅସୁମାରୀ ଅଶଙ୍କା। ମାତ୍ର ଜଣେ ଏତେବଡ଼ ଲୋକଙ୍କର ଶ୍ରଦ୍ଧାପୂର୍ଣ୍ଣ ଅନୁରୋଧକୁ ଏଡ଼ାଇ ପାରିନଥିଲେ ସେଏବଂ ତାଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ହେଲା। ତାଙ୍କର ପ୍ରମୁଖ ପ୍ରତିଦ୍ଵନ୍ଦ୍ୱୀ ଥାଆନ୍ତି ସିପିଏମ୍ ଦଳର ଶିବାଜୀ ପଟ୍ଟନାୟକ, ବିଜେପିର ଶାନ୍ତି ଦାସ ଓ ଚନ୍ଦ୍ରଶେଖରଙ୍କ ଜନତା ପାର୍ଟିର ବାଙ୍କବିହାରୀ ଦାସ।
ମନ୍ମଥନାଥ ବାଲେଶ୍ୱରର ଲୋକ ହୋଇ ମଧ୍ୟ ଭୁବନେଶ୍ୱରରେ ଲଢ଼ୁଥିବାରୁ କଂଗ୍ରେସର ତୃଣମୂଳ ସ୍ତରରେ କିଛି ଅସନ୍ତୋଷ ଥାଏ। ମାତ୍ର ସେ ଯେ ରାଜୀବ ଗାନ୍ଧୀଙ୍କ କ୍ୟାଣ୍ଡିଡେଟ୍, ଏହି କାରଣରୁ ପ୍ରକାଶ୍ୟରେ କେହି ତାଙ୍କୁ ବିରୋଧ କରିପାରୁନଥାନ୍ତି। ନିଜେ ରାଜୀବ ଗାନ୍ଧୀ ମଧ୍ୟ ମେ ମାସ ୨୦ ତାରିଖ ସୋମବାର ଦିନ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଛ ପଡ଼ିଆରେ ତାଙ୍କ ନିର୍ବାଚନ ସଭାରେ ଯୋଗଦେଇ ବେଶ୍ ଖୁସି ଥାଆନ୍ତି।
ଆତ୍ମଜୀବନୀ ପୁସ୍ତକ ‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ’ରେ ମନ୍ମଥନାଥ ଲେଖିଛନ୍ତି, ସଭା ପରେ ରାଜ୍ୟ ଅତିଥିଭବନରେ ସେ କଥା ହେଉଥିଲେ ତାଙ୍କ ସହିତ। ହଠାତ୍ ରାଜୀବ କହିଲେ ‘‘ଆଇ ନୋ, ସମ୍ ଅଫ୍ ଆୱାର ଓନ୍ ମେନ୍ ଆର୍ ନଟ୍ ହାପି ୱିଥ୍ ଇଓର୍ ନୋମିନେସନ୍। ବଟ୍ ଆଇ ସାଲ୍ ସି ଟୁ ଇଟ୍।’’ ମନ୍ମଥ ସାହସ କରି ପଚାରିଲେ, ‘‘ରାଜୀବ୍ଜୀ, ହାଓ କୁଡ୍ ଇଉ ଗିଭ୍ ଇଓର୍ ଟ୍ରଷ୍ଟ୍ ଟୁ ଦିସ୍ ଅମ୍ବଲ୍ ମ୍ୟାନ୍ ?’’ ଇଷତ୍ ହସି ନିଜ ସ୍ୱଭାବ ସୁଲଭ ସହଜ ଭଙ୍ଗୀରେ ରାଜୀବ କହିଲେ, ‘‘ଆଇ ମେ ହାଭ୍ ମାଇଁ ଓନ୍ ରିଜନ୍।’’ ସେତେବେଳକୁ ଘଡ଼ିରେ ରାତି ୧୦ଟା ୧୫। ମନ୍ମଥନାଥ ତାଙ୍କୁ ଶୁଭରାତ୍ରି ଜଣାଇ ଫେରିଆସିଥିଲେ।
ତା’ର ଠିକ୍ ପରଦିନ,ମେ ୨୧ ତାରିଖ ମଙ୍ଗଳବାର ରାତିରେ ଆସିଲା ଆତ୍ମଘାତୀ ବୋମା ବିସ୍ଫୋରଣରେ ରାତି ୧୦ଟା ୧୦ ମିନିଟରେ ରାଜୀବଙ୍କ ନିଧନର ଦାରୁଣ ସମ୍ବାଦ। ମନ୍ମଥନାଥଙ୍କ ଭାଷାରେ, ‘‘ମାତ୍ର ୨୪ ଘଣ୍ଟା ପୂର୍ବେ ଯାହାଙ୍କ ପାଖରେ ଥିଲି, ସେ ଆଉ ନାହାନ୍ତି! ଖାଇବା ଥାଳି ଠେଲିଦେଇ ଦୁଃଖରେ ମୋତେ ବସିପଡ଼ିବା ଦେଖି ସ୍ତ୍ରୀ, ଝିଅ, ପୁଅ, ବୋହୂ ଓ ନାତିନାତୁଣୀମାନେ ପାଖକୁ ଦୌଡ଼ି ଆସିଲେ। ଦାରୁଣ ଦୁଃସମ୍ବାଦଟି ଶୁଣିବା ପରେ ଚାରିବର୍ଷର ସାନନାତୁଣୀଟି ପଚାରି ବସିଲା ‘‘କାଲି ଯା’ ଙ୍କୁ ଫୁଲ ଦେଇଥିଲି, ସେଇ ମରିଗଲେ ?’’ ‘‘ହଁ, ସେଇ ରାଜୀବ ଗାନ୍ଧୀ।’’
ରାଜୀବଙ୍କ ନିଧନ କାରଣରୁ, ବାକିଥିବା ନିର୍ବାଚନକୁ କିଛିଦିନ ଘୁଞ୍ଚାଇ ଦିଆଗଲା। ଦେଶରେ କଂଗ୍ରେସ ସପକ୍ଷରେ ବେଶ୍ ସହାନୁଭୂତିର ହାୱା ବହିଲା। ମାତ୍ର ମନ୍ମଥନାଥ ଦାସ ସିପିଏମ୍ ପ୍ରାର୍ଥୀ ଶିବାଜୀ ପଟ୍ଟନାୟକଙ୍କଠାରୁ ୭୯୮୧ ଭୋଟ ବ୍ୟବଧାନରେ ପରାଜିତ ହେଲେ। ସେ କିନ୍ତୁ ଭାଙ୍ଗିପଡ଼ି ନ ଥିଲେ। ତାଙ୍କ ନିଜଭାଷାରେ- ‘‘ଯେଉଁ ମହାନ ନେତା ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ସେ ଅକାଳରେ ନିହତ ହେଲେ। ସେପରି ମର୍ମନ୍ତୁଦ ଦୁଃଖ ତୁଳନାରେ ମୋ ପରି ନଗଣ୍ୟ ବ୍ୟକ୍ତିର ପରାଜୟ ଅତ୍ୟନ୍ତ ଗୋଟିଏ ଛାର ଘଟଣା।’’