ସୁମିତ୍ରା ଜେନା ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ସସ୍ମିତା ବେହେରାଙ୍କୁ ହଟାଯାଇଛି। ତାଙ୍କ ସ୍ଥାନରେ ସୁମିତ୍ରା ଜେନାଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଏ ନେଇ ଏଆଇସିସି ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ସୁମିତ୍ରା ଜେନାଙ୍କ ନିଯୁକ୍ତିକୁ ଦଳୀୟ ସଭାପତି ରାହୁଲ ଗାନ୍ଧୀ ଅନୁମୋଦନ ଦେଇଛନ୍ତି। ଏହି ବିଜ୍ଞପ୍ତିରେ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ବ୍ୟତୀତ ଓଡ଼ିଶା ପ୍ରଦେଶ କଂ‌େଗ୍ରସ କମିଟି(ପିସିସି)ର ଏସ୍‌ସି ବା ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଭାବେ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଏହି ବିଭାଗର ଅଧ୍ୟକ୍ଷ ପଦବିରେ ଥିବା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ପିସିସିର ସାଧାରଣ ସଂପାଦକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବରିଷ୍ଠ ଦଳୀୟ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ପିସିସି କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ନିମାପଡ଼ା-ପିପିଲିର ପୂର୍ବତନ ବିଧାୟକ ତଥା ସ୍ବାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତିଙ୍କର କନ୍ୟା ସୁମିତ୍ରା ଜେନା ପୂର୍ବରୁ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର