ଭୁବନେଶ୍ବର: ଟିକେଟକୁ ନେଇ ବିଜେପିରେ ବଢୁଛି ଅସନ୍ତୋଷ । ଦଳୀୟ ଟିକେଟରୁ ବଞ୍ଚିତ କୃଷ୍ଣ ପଣ୍ଡା ଓ ଅମୀୟ ଦାଶଙ୍କ ସମର୍ଥକମାନେ ବିଜେପି ପାର୍ଟି ଅଫିସରେ ତାଲା ପକାଇ ହଙ୍ଗମା କରିଛନ୍ତି। ଭୁବନେଶ୍ବର ଏକାମ୍ରରୁ ୨୦୧୪ରେ ନିର୍ବାଚନ ଲଢ଼ିଥିବା ଅମୀୟ ଦାଶଙ୍କ ସମର୍ଥକମାନେ ଗତକାଲି ଭଳି ଆଜି ମଧ୍ୟ ବିଜେପି ପାର୍ଟି ଅଫିସରେ ତାଲା ପକାଇ ନାରାବାଜୀ କରିଛନ୍ତି। ସେହିପରି ରାଜନଗରରୁ ଅଲେଖ ଜେନାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ଆଳି ଓ ରାଜନଗରର ବହୁ ଦଳୀୟ କର୍ମୀ ବିଜେପି ପାର୍ଟି ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ମିଶ୍ରଣ ପର୍ବ ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଙ୍କ ବାସଭବନରେ କରାଯାଇଛି।

Advertisment

ସେହିପରି  ବରଗଡ଼ ଲୋକସଭା ଆସନରେ ସୁବାସ ଚୌହ୍ବାନଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବାରୁ ଚୌହ୍ବାନଙ୍କ ସମର୍ଥକମାନେ ବଡ଼ ଧରଣର ପ୍ରତିବାଦ କରିଛନ୍ତି। ବରଗଡ଼ରେ ଚୌହ୍ବାନଙ୍କ ସମର୍ଥକମାନେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜୀ କରିଛନ୍ତି।

ଭଦ୍ରକରେ ମଧ୍ୟ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ସାମ୍ନାକୁ ଆସିଛି। ବାସୁଦେବପୁରରୁ ଦୀନବନ୍ଧୁ ପତିଙ୍କୁ ଟିକେଟ ଦିଆଯାଇ ନଥିବାରୁ ତାଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଏଠାରେ ବିଜେପି ମାଧବାନନ୍ଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।

publive-image

ଅନ୍ୟ ପକ୍ଷରେ ଦଳୀୟ ଟିକେଟରୁ ବଞ୍ଚିତ ବିଜେପିର ବରିଷ୍ଠ ନେତା ତଥା ଖଡିଆଳ ବିଧାୟକ ଦୁର୍ଯ୍ୟୋଧନ ମାଝୀ ଇସ୍ତଫା ଦେଇଛନ୍ତି । ତେବେ ଖଡିଆଳ ଆସନରୁ ରିତାରାଣୀ ବଗର୍ତିଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦୁର୍ଯ୍ୟୋଧନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ସେପଟେ ବିଜେପିରେ ଟିକଟ ବଂଟନକୁ ନେଇ ପଦାକୁ ଆସିଛି ଦଳୀୟ ଅସନ୍ତୋଷ । କୋରାପୁଟ ଲକ୍ଷ୍ମୀପୁରରେ ବିଜେପି ଅଫିସରେ ଭଂଗାରୁଜା ସହିତ ପୋଡାଜଳା କରିଛନ୍ତି ଦଳୀୟ କର୍ମୀ । ଲକ୍ଷ୍ମୀପୁର ଆସନରୁ କୁମୁଦ ଚନ୍ଦ୍ର ସାଉନ୍ତଙ୍କୁ ଟିକଟ ମିଳିବା ପରେ ଏହି ବିରୋଧ ସାମ୍ନାକୁ ଆସିଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୭ଟି ମଣ୍ଡଳର ସଭାପତିଙ୍କ ସହିତ କର୍ମକର୍ତା ଓ ଆଶାୟୀ ପ୍ରାର୍ଥୀ ବିରୋଧ ପ୍ରଦର୍ଶନ କରିବା ପରେ, ବ୍ଲକ ଅଫିସରେ ପୋଡାଜଳା କରିଥିଲେ । ଚଳିତ ଥର ଏଠାରୁ ଟିକଟ ଆଶାୟୀ ଥିଲେ ୬ ଜଣ ।

ତେବେ ମାତ୍ର ୨ ମାସ ତଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା କୁମୁଦଙ୍କୁ ମିଳିଛି ବିଧାନସଭା ଟିକଟ । ଜିଲ୍ଲା ବିଜେପି ସଭାପତି ଓ ବରିଷ୍ଠ ନେତା ଜୟରାମ ପାଙ୍ଗୀ, ଟଙ୍କା କାରବାର କରି କୁମୁଦ ସାଉନ୍ତଙ୍କୁ ଟିକେଟ୍ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜୟରାମ । ସେପଟେ କୁମୁଦ ସାଉନ୍ତଙ୍କ ଟିକେଟ ପ୍ରତ୍ୟାହାର ନକଲେ ୫ ହଜାର କର୍ମୀଙ୍କ ସହିତ ୪ ଟି ମଣ୍ଡଳର ସଭାପତି ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦିଆଯାଇଛି ।