ମୋଦିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଜି : ଏନ୍‌ଡିଏ ଛାଡ଼ିବ ଟିଡିପି

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିକୁ ନେଇ ବିଜେପି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ମଧ୍ୟରେ ସଂପର୍କ ତିକ୍ତ ହୋଇଛି। କିଛି ଦିନ ପୂର୍ବେ ମୋଦି ମନ୍ତ୍ରିମଣ୍ଡଳରୁ ଓହରିଯାଇଥିବା ଟିଡିପି ଆସନ୍ତାକାଲି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସହ ସଂପର୍କ ଚ୍ଛିନ୍ନ କରିବାକୁ ଯାଉଛି। କେବଳ ଏତିକି ନୁହେଁ ଲୋକସଭାରେ ମୋଦି ସରକାର ବିରୋଧରେ ଆଗତ ହେବାକୁ ଯାଉଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମଧ୍ୟ ଭୋଟ୍‌ ଦେବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ନାଇଡ଼ୁ ଆଜି ଟିଡିପିର ସାଂସଦ ଏବଂ ବିଧାୟକଙ୍କ ସମେତ ପ୍ରମୁଖ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନେ ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରିବା ଲାଗି ଚନ୍ଦ୍ରବାବୁଙ୍କୁ ଜଣାଇଛନ୍ତି। ଏହା ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ ଦର୍ଶାଇଛନ୍ତି। ସେହିପରି ରାଜ୍ୟରେ ଦେଖାଦେଇଥିବା ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଜେପି ତାମିଲନାଡୁରେ ଖେଳିଥିବା କୁତ୍ସିତ ରାଜନୀତିର ପୁନରାବୃତ୍ତି ଆନ୍ଧ୍ରପ୍ରଦେଶରେ କରିବାକୁ ଚାହୁଥିବା ଦଳ ପକ୍ଷରୁ ଅଭିଯୋଗ ଉଠିଛି। ତାମିଲ ରାଜନୀତିରେ ଏଆଇଏଡିଏମ୍‌କେର ଇ. ପାଲାନିସ୍ୱାମୀ ଗୋଷ୍ଠୀ ବିରୋଧରେ ବିଜେପି ଯେପରି ଓ. ପନିରସେଲଭାମ୍‌ ଗୋଷ୍ଠୀକୁ ଲଗାଇଥିଲା, ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ଟାର୍ଗେଟ୍‌ କରିବା ଲାଗି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଏବଂ ଅଭିନେତା କେ ପବନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ବ୍ୟବହାର କରୁଛନ୍ତି ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି। ନିର୍ବାଚନ ବେଳେ ବିଜେପି-ଟିଡିପି ମେଣ୍ଟକୁ ଅଭିନେତା ପବନ କଲ୍ୟାଣଙ୍କ ଦଳ ସମର୍ଥନ କରିଥିଲା ବେଳେ ଏବେ ଟିଡିପିକୁ ବିରୋଧ କରୁଛି। ତେବେ ବିଜେପି ଇସାରାରେ ହିଁ ପବନ କଲ୍ୟାଣଙ୍କ ଦଳ ଟିଡିପି ବିରୋଧରେ ଏପରି ସ୍ୱର ଉଠାଇଛି ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି।

ଅପରପକ୍ଷେ, ବିହାର ଓ ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ପରାଜୟକୁ ଉଲ୍ଲେଖ କରି ବିଜେପି ଓ ମୋଦି ସରକାରଙ୍କ ବିରୋଧରେ ଜନମତ ବଢ଼ିଚାଲିଛି ବୋଲି ଚନ୍ଦ୍ରବାବୁ ତାଙ୍କ ସାଂସଦମାନଙ୍କୁ କହିଛନ୍ତି।ଏଣେ ଆସନ୍ତାକାଲି (ଶୁକ୍ରବାର)ସଂସଦରେ ସରକାରଙ୍କ ବିରୋଧରେ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଦଳ ଅନାସ୍ଥା ପ୍ରସ୍ଥାବ ଆଣିବ। ଅବଶ୍ୟ ଲୋକସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଉପଭୋଗ କରୁଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଭାଙ୍ଗିଯିବା ପାଇଁ କୌଣସି ବିପଦର ଆଶଙ୍କା ନାହିଁ। ତେବେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ଦାବି ଉଠାଇ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଦଳ ମୁଖ୍ୟ ଜଗନ ପ୍ରସାଦ ରେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ଲାଗି ଅନ୍ୟ ସବୁ ଦଳର ସମର୍ଥନ ଲୋଡ଼ିଛନ୍ତି। ଟିଡିପି ତାଙ୍କୁ ସମର୍ଥନ ଦେବ ବୋଲି ସୂଚନା ମିଳିଛି। ଲୋକସଭାରେ ଏନଡିଏ ସାଂସଦଙ୍କ ସଂଖ୍ୟା ୩୩୧ ରହିଥିବା ବେଳେ ରାଜ୍ୟସଭାରେ ୮୩ ଜଣ ସାଂସଦ ରହିଛନ୍ତି। ଲୋକସଭାରେ ଏନ୍‌ଡିଏ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ବଜାୟ ରଖିଥିବା ବେଳେ ରାଜ୍ୟସଭାରେ ଏହାର ଅତ୍ୟନ୍ତ ଦୁର୍ବଳ ସ୍ଥିତି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଅନ୍ତରାୟ ହୋଇଆସିଛି।

ତେବେ ଲୋକସଭା କଥା ବିଚାର କଲେ, ଏନ୍‌ଡିଏରେ କେବଳ ବିଜେପିର ୨୭୫ ଜଣ ସାଂସଦ ରହିଥିବା ବେଳେ ସହଯୋଗୀ ଶିବସେନାର ୧୮ ଜଣ, ଟିଡିପିର ୧୬ ଜଣ, ଲୋକ ଜନଶକ୍ତି ପାର୍ଟିର ୬ଜଣ, ଶିରୋମଣି ଅକାଳୀ ଦଳର ୪ ଜଣ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ୩ ଜଣ ଏବଂ ଅପନା ଦଳ ଓ ସଂଯୁକ୍ତ ଜନତା ଦଳ(ଜେଡିୟୁ)ର ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ତେବେ ମେଣ୍ଟର ପ୍ରମୁଖ ସହଯୋଗୀ ସାଜିଥିବା ଶିବସେନା ମହାରାଷ୍ଟ୍ର ରାଜନୀତି ସମେତ ବିଭିନ୍ନ ପ୍ରସଙ୍ଗରେ ବିଜେପି ସହ ଦୀର୍ଘ ଦିନ ଧରି ସମ୍ପର୍କ ତିକ୍ତ ରହିଛି। ଶିବସେନା ଓ ଟିଡିପି ଉଭୟ ମିଳିତ ଭାବେ ଏନ୍‌ଡିଏରୁ ଖସିଗଲେ ମେଣ୍ଟର ସଦସ୍ୟ ସଂଖ୍ୟା ୨୯୭କୁ ଖସି ଆସିବ। ତେବେ ସଂଖ୍ୟା ଦୃଷ୍ଟିରୁ ମେଣ୍ଟ ସରକାର ଭାଙ୍ଗିବାର କୌଣସି ଆଶଙ୍କା ନାହିଁ। କିନ୍ତୁ ଏହା ବିଜେପି ପାଇଁ ଶୁଭ ସଙ୍କେତ ନୁହେଁ।

ସମ୍ବନ୍ଧିତ ଖବର