ବିହାରରେ ଖେଳ ଆରମ୍ଭ ୧୫ ଅଗଷ୍ଟରେ ଗାନ୍ଧୀ ମୈଦାନରେ ପତାକା ଉତ୍ତୋଳନ କରିବେ ତେଜସ୍ବୀ ଯାଦବ: ଆର୍‌ଜେଡି ବିଧାୟକ ଭାଇ ବୀରେନ୍ଦ୍ରଙ୍କ ଦାବି

ପାଟନା: ‘ବିଆଇପି’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ସହନୀଙ୍କ ମାମଲା ସଂକ୍ରାନ୍ତରେ ମଙ୍ଗଳବାର ଦିନ ସାମ୍ବାଦିକମାନ‌େ ବିଧାନସଭା ପରିସରରେ ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ଭାଇ ବୀରେନ୍ଦ୍ରଙ୍କ ସହ ଆଳାପ କରିବା ବେଳେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବିହାରରେ ଖେଳ ଆରମ୍ଭ ହୋଇ ଯାଇଛି। ଅଗଷ୍ଟ ୧୫ ଦିନ ଗାନ୍ଧୀ ମୈଦାନରେ ତେଜସ୍ବୀ ଯାଦବ ପତାକା ଉଡ଼ାଇବାର ପୂର୍ଣ୍ଣ ସମ୍ଭାବନା ରହିଛି।

ତାଙ୍କ କଥାକୁ ପରୋକ୍ଷଭାବେ ବୁଝିଲେ, ତେଜସ୍ବୀ ବିହାରର ମୁଖ୍ୟମନ୍ତ୍ରୀ ହେବେ।

ସେ ଆହୁରି ମଧ୍ୟ କହିଛନ୍ତି, ତଥ୍ୟକୁ ଆଧାର କରି ମୁଁ ଯାହା କିଛି କହିଥାଏ। ବିହାର ସରକାରରେ ଅଭ୍ୟନ୍ତରୀଣ କଳହ ଆରମ୍ଭ ହୋଇଛି। ‘ଏନ୍‌ଡିଏ’ରେ ଐକ୍ୟ ନାହିଁ। ଏକଥା ମୁକେଶ ସହନୀ ସାମ୍ବାଦିକ ସମ୍ମିଳନୀରେ କହି ସାରିଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ଅଜିତ ଶର୍ମା ମଧ୍ୟ କହିଛନ୍ତି କି, ଆମେ ତ ମୁକେଶ ସହନୀଙ୍କୁ ପରାମର୍ଶ ଦେବୁ ଯେ, ସେ ମହାଗଠବନ୍ଧନକୁ ଆସନ୍ତୁ। ଯେଉଁଠି ତାଙ୍କ କଥା ଶୁଣାଯାଉନି, ତାଙ୍କୁ ଅସ୍ତବ୍ୟସ୍ତ ଲାଗୁଛି ସେ ଦଳରେ ରହିବା ଅନୁଚିତ। ମହାଗଠବନ୍ଧନକୁ ଆସି ମୁକେଶ ସହନୀ ସରକାର ଗଠନ କରନ୍ତୁ।

ବିଜେପି ବିଧାୟକ ଲକ୍ଷେଶ୍ବର ପାସୱାନ ମଧ୍ୟ କହିଛନ୍ତି ଯେ, ଦେଶରେ ପତାକା ଉଡ଼ାଇବା ଅଧିକାର ସଭିଙ୍କର ରହିଛି। କିନ୍ତୁ, ଦିବାସ୍ବପ୍ନ ଦେଖି ଯାହା କୁହାଯାଏ ତାହା ଟିକେ ଅଜବ ଲାଗେ। ମୁକେଶ ସହନୀ ‘ଏନ୍‌ଡିଏ’ର ଭାଗୀଦାର ଅଟନ୍ତି। ସରକାର ଦୃଢ଼ତାର ସହ କାର୍ଯ୍ୟକାଳ ପୂର୍ଣ୍ଣ କରିବ।

ସମ୍ବନ୍ଧିତ ଖବର