ପ୍ରସାଦଙ୍କ ଉପରେ ଚାପ ବଢ଼ିଲା

ସଙ୍କଟରେ ନରସିଂହଙ୍କ ବିରୋଧୀ ଦଳ ନେତା ପଦ

ବିଜେପୁର ଆସନ ହାସଲ କରିବା କଂଗ୍ରେସ ପାଇଁ ଜରୁରି
ବାମ ଦଳ ଓ ସମତାକ୍ରାନ୍ତି ସମର୍ଥନ ଦେଇପାରନ୍ତି
ଅତୀତରେ ଅରୁଣ ଦେ ରଖିଥିଲେ ଶରତ ଦେବଙ୍କ ମାନ

ଭୁବନେଶ୍ୱର : ନେତୃତ୍ୱକୁ ନେଇ ବିବାଦରେ ଥିବା ରାଜ୍ୟ କଂଗ୍ରେସ ପାଇଁ ଆଉ ଏକ ସଙ୍କଟ ଟାଣି ହୋଇ ଆସିଛି। ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନ ଫଳାଫଳ ରାଜ୍ୟରେ ଦଳର ଅସ୍ତିତ୍ୱକୁ ଦୋହଲାଇ ଦେଇଛି। କିଛି ଦିନ ପୂର୍ବରୁ ଦଳୀୟ ବିଧାୟକ ସୁବଳ ସାହୁଙ୍କର ପରଲୋକ ଘଟିଥିବା ବେଳେ ଏବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ବିଧାୟକ ପଦ ରଦ୍ଦ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏମିତି ପରିସ୍ଥିତିରେ ବିଧାନସଭାରେ କଂଗ୍ରେସ ବିରୋଧୀ ଦଳ ପଦ ମର୍ଯ୍ୟାଦା ରଖିପାରିବ ନା ନାହିଁ, ସେ ନେଇ ବିତର୍କ ମୁଣ୍ଡ ଟେକିଲାଣି।

ବିଧାନସଭା ସଚିବାଳୟର କହିବା କଥା ହେଉଛି, ଏବେଠାରୁ ଏ ନେଇ କିଛି କହିହେବ ନାହିଁ। କାରଣ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ ରଦ୍ଦ ନେଇ କୋର୍ଟଙ୍କ ନିର୍ଦେଶ ମିଳିନାହିଁ। ମିଳିବା ପରେ ଏହାକୁ ତର୍ଜମା କରାଯିବ। ତା ପରେ ଯାହା କିଛି ବିଚାର କରାଯିବ।

ସେହିଭଳି ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଦେଇପାରନ୍ତି। ଯଦି ରହିତାଦେଶ ମିଳେ, ତେବେ କଂଗ୍ରେସ ପାଇଁ କୌଣସି ବିପଦ ନାହିଁ। ତେବେ ସେ ଯାହା ହେଉନା କାହିଁକି ବିରୋଧୀ ଦଳ ନେତା ପଦବି ବଞ୍ଚାଇବାକୁ ହେଲେ ଏବେ ସବୁଠାରୁ ସହଜ ବାଟ ହେଲା, କଂଗ୍ରେସକୁ ବିଜେପୁର ଆସନକୁ ନିଜ ପାଖକୁ ଫେରାଇ ଆଣିବାକୁ ପଡ଼ିବ। ଏଣୁ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ପାଇଁ ଏବେ ଚାଲେଞ୍ଜ ବଢ଼ିଛି। ଯଦି ପ୍ରସାଦ ଏହି ଆସନ ଜିଣିବାରେ ବିଫଳ ହୁଅନ୍ତି, ତେବେ ବିରୋଧୀ ଦଳ ନେତା ପଦବି ଚାଲିଗଲେ, ତାଙ୍କ ମୁଣ୍ଡରେ ହିଁ ଦୋଷ ଲାଗିବ ବୋଲି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି।

ଉଲ୍ଲେଖଥାଉକି, ବିଧାନସଭାରେ ବାମ ଦଳ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ସମତାକ୍ରାନ୍ତି ଦଳ ବିଧାୟକ ଜର୍ଜ ତିର୍କୀ ସମର୍ଥନ ଦେଲେ ବିରୋଧୀ ଦଳ ନେତା ପଦ କଂଗ୍ରେସର ହାତଛଡା ହୋଇନପାରେ। ପୂର୍ବରୁୁ ୧୯୮୦ ଦଶକରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ ଏମିତି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୧୯୮୩ ମସିହା ବେଳକୁ ବିରୋଧୀ ଦଳ ନେତା ଭାବେ ଆଳିର ତତ୍କାଳୀନ ବିଧାୟକ ଶରତ ଦେବଙ୍କ ଆସନକୁ ସୁରକ୍ଷିତ ରଖିବା ଲାଗି ସେ ସମୟରେ ବାମ ଦଳ ନେତା ଅରୁଣ ଦେଙ୍କ ସମେତ ଚାରି ବିଧାୟକ ଓ ସ୍ୱାଧୀନ ବିଧାୟକ ସମର୍ଥନ ଦେଇଥିଲେ। ମିଳିତ ବିରୋଧୀ ଦଳ ଗଠନ ହୋଇଥିଲା ଓ ଶ୍ର ଦେବଙ୍କୁ ସ୍ୱୀକୃତି ମିଳିଥିଲା। ପରେ ଅବଶ୍ୟ ଅରୁଣ ଦେଙ୍କୁ ଦଳରୁ ବିଦା କରାଯାଇଥିଲା ଓ ସ୍ୱାଧୀନ ସଭ୍ୟ ବୃନ୍ଦାବନ ବେହେରାଙ୍କ ବ୍ୟତୀତ ଅନ୍ୟ ବାମ ନେତାମାନେ ସେମାନଙ୍କ ସମର୍ଥନ ଫେରାଇ ନେଇଥିଲେ।

ଓଡ଼ିଶା ବିଧାନସଭାରେ ଏବେ ୧୪୭ଟି ଆସନ ରହିଛି। ଏଣୁ ଦ୍ୱିତୀୟ ସର୍ବାଧିକ ସଂଖ୍ୟା ଗରିଷ୍ଠ ଦଳ (ସର୍ବନିମ୍ନ ୧୦% ଆସନ ଜିିତିବା ଦରକାର)କୁ ବିରୋଧୀ ଦଳ ମାନ୍ୟତା ମିଳିବା କଥା। ଯେହେତୁ ୨୦୧୪ ନିର୍ବାଚନରେ କଂଗ୍ରେସର ୧୬ଜଣ ବିଧାୟକ ଜିତିଥିଲେ, ଏଣୁ ବିରୋଧୀ ଦଳର ମାନ୍ୟତା ମିଳିଥିଲା କଂଗ୍ରେସକୁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଦଳ ବିରୋଧୀ ଦଳ ନେତା ଭାବେ ନିଯୁକ୍ତି ଦେଇଥିଲା।

ବିଜେପୁର ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୫କୁ ଖସି ଆସିଥିଲା। ଏହି ଆସନ ଲାଗି ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ହେବ। ଏଠାରେ କଂଗ୍ରେସ ପୁଣି ଥରେ ନିଜ ଆସନ ରଖିପାରିବ କି ନାହିଁ, ତାହା ଏବେ ବି ପ୍ରଶ୍ନବାଚୀ ରହିଛି। କାରଣ, ଆଜି ଦିନର ଚିତ୍ର ହେଉଛି ଦଳ ପ୍ରାର୍ଥୀ ଚୟନରେ କେବଳ ପଛରେ ପଡ଼ିଛି ତା ନୁହେଁ, ପ୍ରଚାରରେ ମଧ୍ୟ। ରାଜ୍ୟ କଂଗ୍ରେସର ବିବାଦ ଯେଭଳି ସ୍ଥିତିରେ ପହଞ୍ଚିଛି, ପିସିସି ସଭାପତି-ବିଧାୟକ ଦଳ ମଧ୍ୟରେ ଯେଭଳି ଫାଟ ରହିଛି, ସେଥିରେ ଏ ଆସନକୁ ଦଳ ଆଉଥରେ ହାତେଇବା ମୁସ୍କିଲ। ସଭାପତି ସମସ୍ତଙ୍କୁ ସାଙ୍ଗରେ ନେଇ ଏହି ଆସନକୁ କରାୟତ କରିବେ ନା କଂଗ୍ରେସ ହାତରୁ ଏ ଆସନ ଖସିବ ତାହା ଦେଖିବା କଥା। ଯଦି ଏୟା ହୁଏ, ତେବେ ଫେବ୍ରୁଆରି ତୃତୀୟ ବା ଶେଷ ସପ୍ତାହରେ ବିଧାନସଭା ଆରମ୍ଭ ବେଳକୁ କଂଗ୍ରେସ ସଙ୍କଟ ସାମ୍ନା କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ସମ୍ବନ୍ଧିତ ଖବର