ଅନୁଭବଙ୍କୁ ନେଇ ବିଜେଡିରେ ଅସନ୍ତୋଷ

ବିଷ ଓଗାଳିଲେ ଯୁବ-ଛାତ୍ର ନେତା

ଭୁବନେଶ୍ୱର : ବିଜେଡିର ନେତା କିଏ? ନବୀନ ପଟ୍ଟନାୟକ ନା ଅନୁଭବ ମହାନ୍ତି? ବିଜେଡି କାର୍ଯ୍ୟାଳୟରେ ଆଜି ରାତିରେ ଯୁବ, ଛାତ୍ର ଶାଖାର କର୍ମକର୍ତ୍ତାଙ୍କ ଏମିତି ପ୍ରଶ୍ନ ଦଳୀୟ ମୁଣ୍ଡିଆଳମାନଙ୍କୁ ମୁଣ୍ଡ ଘୂରାଇ ଦେଇଥିଲା।

ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଯୁବ-ଛାତ୍ର ସମ୍ପର୍କ ଅଭିଯାନକୁ ନେଇ ଯୁବ ଓ ଛାତ୍ର ଶାଖାରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଅସନ୍ତୋଷ ଥମାଇବାକୁ ଆଜି ଦଳୀୟ କାର୍ଯ୍ୟାଳୟରେ ଉଭୟ ଶାଖାର ସବୁ କର୍ମକର୍ତ୍ତାଙ୍କୁ ଡକାଯାଇଥିଲା। ବୈଠକରେ କର୍ମକର୍ତ୍ତାଙ୍କୁ ବୁଝାଯିବ କ’ଣ, ସେମାନେ ଓଲଟା ବିଷ ଓଗାଳିଥିଲେ। ନିର୍ଦ୍ଦିଷ୍ଟ ଭାବେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ମାତ୍ରାଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ।

ଅଭିଯୋଗ ଉଠିଥିଲା, ଯେଉଁଠାରେ ଯୁବ-ଛାତ୍ର ସମ୍ପର୍କ ଅଭିଯାନ କରାଯାଉଛି ସେଠାରେ ଅନୁଭବ ମହାନ୍ତିଙ୍କୁ ମୁଖ୍ୟ ଆକର୍ଷଣ ଭାବେ ଉପସ୍ଥାପନ କରାଯାଉଛି। ଏପରିକି ବ୍ୟାନର୍‌, ପୋଷ୍ଟର୍‌ରେ ଅନୁଭବଙ୍କ ଫଟୋ ରଖାଯାଉଛି। ବହୁ ବ୍ୟାନର୍‌ରୁ ବିଜୁ ଓ ନବୀନଙ୍କ ଫଟୋ ବି କଟିଯାଉଛି। ବିଜେଡିରେ ନବୀନ ପଟ୍ଟନାୟକଙ୍କୁ ବାଦ୍‌ ଦେଲେ ଆଉ କୌଣସି ନେତା ଭୋଟ୍‌ ଟାଣିବାକୁ ସକ୍ଷମ ନୁହେଁ। ନବୀନ ହିଁ ଆମର ହିରୋ। ଏଥିରେ ପୁଣି ସିନେମା ହିରୋଙ୍କର କ’ଣ ଏତେ ପ୍ରୟୋଜନ ବୋଲି କର୍ମକର୍ତ୍ତାମାନେ ସିଧାସଳଖ ପ୍ରଶ୍ନ କରିଥିଲେ।

ପଞ୍ଚାୟତ ନିର୍ବାଚନ କଥା ମନେ ପକାଇ କର୍ମକର୍ତ୍ତାମାନେ କହିଥିଲେ, ପଞ୍ଚାୟତ ନିର୍ବାଚନ ବେଳେ ବି ଅନୁଭବ ବୁଲିଥିଲେ। ଅଭିନେତା ହୋଇଥିବାରୁ ଲୋକ ତାଙ୍କୁ ଦେଖିବାକୁ ଆସୁଥିଲେ। କିନ୍ତୁ ତାହା ଆଦୌ ଭୋଟ୍‌ରେ ପରିଣତ ହେଉ ନ ଥିଲା। ତେଣୁ ଅନୁଭବଙ୍କୁ ଅଯଥା ଗୁରୁତ୍ୱ ଦେଇ ସଂଗଠନ ଭୁଶୁଡ଼ିବାକୁ ଦିଆ ନ ଯାଉ। ବର୍ତ୍ତମାନ ତୃଣମୂଳ ସ୍ତରରେ ସଂଗଠନ ଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉ। ଅଭିନେତାଙ୍କୁ ବୁଲାଇ କେବଳ ଲୋକ ରୁଣ୍ଡ କରିଦେଲେ ଦଳର ଲାଭ ନୁହେଁ, ବରଂ ଭୋଟ୍‌ ଭାଙ୍ଗିଯିବ ଆଉ କ୍ଷତି ହେବ ବୋଲି ସେମାନେ ସିଧା ସିଧା ଶୁଣାଇଦେଇଥିଲେ।

ଆହୁରି ମଧ୍ୟ ଯୁବ-ଛାତ୍ର ସମ୍ପର୍କ ଅଭିଯାନ ବେଳେ ଉଭୟ ଶାଖାର ବହୁ କର୍ମକର୍ତ୍ତାଙ୍କୁ ସାମିଲ୍‌ କରାଯାଉ ନ ଥିବାରୁ ବୈଠକରେ ଭୀଷଣ କ୍ଷୋଭ ପ୍ରକାଶ ପାଇଥିଲା। ହାତଗଣତି କିଛି କର୍ମକର୍ତ୍ତା ଏହାକୁ ନିଜର ବ୍ୟକ୍ତିଗତ ପ୍ଲାଟ୍‌ଫର୍ମ ଭାବେ ବ୍ୟବହାର କରୁଥିବାର ଅଭିଯୋଗ ହୋଇଥିଲା।

ବୈଠକରେ ଯୁବ ଶାଖା ଦାୟିତ୍ୱରେ ଥିବା ସଞ୍ଜୟ ଦାସବର୍ମା, ଛାତ୍ର ଶାଖା ଦାୟିତ୍ୱରେ ଥିବା ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। କର୍ମକର୍ତ୍ତାମାନଙ୍କର ଏପରି ଅସନ୍ତୋଷ ଦେଖି ସମସ୍ତେ ନିର୍ବାକ ହୋଇଯାଇଥିଲେ। ଭିତରେ ଭିତରେ ସଂଗଠନରେ ଗଡ଼ବଡ଼ ହୋଇଯାଇଥିବା ନେଇ ସମସ୍ତେ ଅନୁଭବ କରିଥିଲେ। ଏ ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା କରାଯିବ ଓ ସମସ୍ତ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ ଅଭିଯାନ ଜାରି ରହିବ ବୋଲି ସେମାନେ ବୁଝାଇଥିଲେ। ତେବେ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ, ତାହାକୁ ସମସ୍ତେ ମାନିବାକୁ ପଡ଼ିବ ବୋଲି କହି ତାଳି ପକାଇ ବୈଠକକୁ ଶେଷ କରିଦିଆଯାଇଥିଲା। କିନ୍ତୁ ଅସନ୍ତୋଷ ସମ୍ପୂର୍ଣ୍ଣ ଥମି ନାହିଁ।

ସମ୍ବନ୍ଧିତ ଖବର