ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିବା ଦେଶର ଏକମାତ୍ର ରାଜନେତା ଥିଲେ ଏନଡି ତିୱାରୀ

ନୂୂଆଦିଲ୍ଲୀ : ଏକ ମସ୍ତିଷ୍କାଘାତ ପରେ ପ୍ରାୟ ଏକ ମାସ ଧରି ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କର ୯୩ ବର୍ଷ ବୟସରେ ପରଲୋକ ଘଟିଛି। ନିଜର ୯୩ତମ ଜନ୍ମତିଥିରେ ବରିଷ୍ଠ କଂଗ୍ରେସ ନେତା ତିୱାରୀଙ୍କର ବିୟୋଗ ଘଟିଛି। ଗତ ମାସ ୨୦ ତାରିଖରେ ତାଙ୍କର ଏକ ମସ୍ତିଷ୍କାଘାତ ହୋଇଥିଲା । ଏହା ପରେ ସେ  ଦିଲ୍ଲୀର ମାକ୍ସ ହସପିଟାଲରେ ଆଇସିୟୁରେ ଭର୍ତ୍ତି ଥିଲେ ।

ଶ୍ରୀ ତିୱାରୀ ଦେଶର ଏକମାତ୍ର ନେତା ଯିଏକି ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । ଏହି ଦୁଇଟି ରାଜ୍ୟ ହେଉଛନ୍ତି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ । ସେ ୧୯୭୬-୭୭, ୧୯୮୪-୮୫ ଓ ୧୯୮୮ ରେ ସୀମିତ ସମୟ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ସେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ନବଗଠିତ ଉତ୍ତରାଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ଏହାଛଡା ସେ ରାଜୀବ ଗାନ୍ଧିଙ୍କ ମନ୍ତ୍ରୀମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ । ସେ ମଧ୍ୟ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ । ତେବେ ରାଜ୍ୟପାଳ ଥିବା ଅବସ୍ଥାରେ ଏକ ଯୌନ କେଳେଙ୍କାରୀରେ ତାଙ୍କ ନାଁ ଉଠିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଓ ଏହା ସହିତ ତାଙ୍କ ଦୀର୍ଘ ରାଜନୈତିକ ଜୀବନର ଯବନୀକା ପଡିଥିଲା ।

ସମ୍ବନ୍ଧିତ ଖବର