ହୋଲି ପରେ ଦିଲ୍ଲୀ ବିଜେପିରେ ବଡ଼ ଧରଣର ପରିବର୍ତ୍ତନ, ନିଯୁକ୍ତ ହେବେ ନୂଆ ପ୍ରଦେଶ ଅଧ୍ୟକ୍ଷ

ନୂଆଦିଲ୍ଲୀ: ହୋଲି ପରେ ଦିଲ୍ଲୀ ବିଜେପିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଜଣାଯାଇଛି । ଆଗକୁ ବିଜେପି ଦିଲ୍ଲୀ ପାଇଁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରିବ । ତେଣୁ ଆଶା କରାଯାଉଛି ଯେ, ଏହି ନିଯୁକ୍ତି ସହ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରାଯିବ । ସୂଚନା ଅନୁସାରେ ହୋଲି ପରେ ଏହି ପରିବର୍ତ୍ତନର ଧାରା ଆରମ୍ଭ ହେବ ।

ଗତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀଙ୍କ ଉପରେ ଦଳ ଆଉ ଆସ୍ଥା ପ୍ରକଟ କରୁନାହିଁ। ତା’ଛଡ଼ା ଦିଲ୍ଲୀ ଭାଜପାର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀଙ୍କ କାର୍ଯ୍ୟକାଳ ଗତ ନଭେମ୍ବରରେ ଶେଷ ହୋଇଥିଲା । ତେବେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳକୁ ସମ୍ପ୍ରସାରିତ କରାଯାଇଥିଲା । ଏଣୁ ତାଙ୍କ ଜାଗାରେ କେହି ଜଣେ ବରିଷ୍ଠ ନେତାଙ୍କୁ ଅଧ୍ୟକ୍ଷ ପଦ ମିଳିବା ନିଶ୍ଚିତ ବୋଲି କୁହାଯାଉଛି।

ଉଲ୍ଲେଯୋଗ୍ୟ, ୨୦୨୨ରେ ହେବାକୁ ଥିବା ନଗର ନିଗମ ନିର୍ବାଚନ ପାଇଁ ବିଜେପି ସାଂଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ କରିବାକୁ ଚାହୁଁଛି।ଏଭଳି ସମୟରେ ଜଣେ ତୃଣମୂଳ ସ୍ତରରେ ଦଳ ପାଇଁ କାମ କରୁଥିବା ନେତାଙ୍କୁ ଅଧ୍ୟକ୍ଷ ପଦ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି । ନୂଆ ଅଧ୍ୟକ୍ଷ ତାଲିକାରେ ପୂର୍ବତନ ସଂଗଠନ ସଂପାଦକ ପବନ ଶର୍ମା, ପୂର୍ବତନ ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତା, ପୂର୍ବତନ ଅଧ୍ୟକ୍ଷ ସତୀଶ ଉପାଧ୍ୟାୟ ଏବଂ ପ୍ରଦେଶର ପୂର୍ବତନ ସାଧାରଣ ସଂପାଦକ ଆଶିଷ ସୁଦ୍‌ ପ୍ରମୁଖଙ୍କ ନାମ ଆଗରେ ରହିଥିବା ଚର୍ଚ୍ଚା ହେଉଛି ।

image source-oneindia

ଏଣେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀରେ ଦଳର ଅଟକି ରହିଥିବା ସଦସ୍ୟତା ଅଭିଯାନକୁ ପୁଣିଥରେ ନୂଆ ଧାରାରେ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର