ତୃତୀୟ ସାମୁଖ୍ୟ ଗଠନ ପ୍ରୟାସ : ମେ’-ଜୁନ୍‌ରେ ନବୀନଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ସମସ୍ତ ବିରୋଧୀଙ୍କୁ ଏକାଠି କରି ତୃତୀୟ ସାମୁଖ୍ୟ ଗଠନ ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତ୍ରୀ ମମତା ବାନାର୍ଜୀ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସେ ବିଭିନ୍ନ ରାଜ୍ୟ ଗସ୍ତ କରି ଆଞ୍ଚଳିକ ଦଳର ମୁଖ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେହି କ୍ରମରେ ଆସନ୍ତା ମେ’ରୁ ଜୁନ୍‌ ମଧ୍ୟରେ ମମତା ଓଡ଼ିଶା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତୃତୀୟ ସାମୁଖ୍ୟରେ ସାମିଲ ହେବାକୁ ପ୍ରସ୍ତାବ ଦେବେ ବୋଲି ଜଣାପଡ଼ିଛି। ଆସନ୍ତା ୧୦ ତାରିଖରୁ ମମତାଙ୍କ ବିଭିନ୍ନ ରାଜ୍ୟ ଗସ୍ତ ଆରମ୍ଭ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଚେନ୍ନାଇରେ ଡିଏମ୍‌କେ ମୁଖ୍ୟ କରୁଣାନିଧିଙ୍କ ସହ ଆଲୋଚନା କରିବେ। ଏହାପରେ ୟୁପି ଯାଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିବେ, ପାଟନାରେ ଆର୍‌ଜେଡି ନେତା ଓ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ସହ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଟିଏମ୍‌ସି ପକ୍ଷରୁ ଜଣାପଡ଼ିଛି। ନିକଟରେ ମମତା ଦିଲ୍ଲୀ ଗସ୍ତ କରି ଏନ୍‌ସିପି, ବିଜେଡି, ସମାଜବାଦୀ ପାର୍ଟି, ଟିଆର୍‌ଏସ୍‌ ଓ ବିଜେପିର କିଛି ଅସନ୍ତୁଷ୍ଟ ନେତାଙ୍କୁ ଭେଟିଥିଲେ। ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ବିରୋଧୀ ତୃତୀୟ ସାମୁଖ୍ୟକୁ ଚୂଡ଼ାନ୍ତ ରୂପ ଦେବା ଦେବା ପାଇଁ ମମତା ଜୋରସୋରରେ ଲାଗି ପଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର